ରାୟ ସଂରକ୍ଷିତ ରଖିଲେ ଏସ୍ଡିଜେଏମ୍
ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା
କଟକ (ବୁ୍ୟରୋ): ସାଂସଦ ତଥା ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ମଙ୍ଗଳବାର ଏସ୍ଡ଼ିଜେଏମ୍ଙ୍କ ଅଦାଲତରେ ଶୁଣାଣି ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନ୍ର ଶୁଣାଣି ଶେଷ କରି କୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି । ବର୍ଷାଙ୍କ ରୋଜଗାର ସମ୍ପର୍କିତ ତଥ୍ୟ କୋର୍ଟରେ ରଖିବାକୁ ଏକ ମାମଲା ହୋଇଥିବା ବେଳେ ବର୍ଷାଙ୍କୁ ଘରୁ ଉଚ୍ଛେଦ ପାଇଁ ଅନ୍ୟ ଏକ ପିଟିସନ୍ ଦାୟର ହୋଇଛି । ଏପରିକି ନିଜ ପିଟିସନ୍ରେ ଅନୁଭବ ଉଲ୍ଲେଖ କରିଥିଲେ କି, ପତ୍ନୀ ବର୍ଷା ତାଙ୍କର ପୈତୃକ ଘର ଛାଡ଼ନ୍ତୁ । ସେଥିପାଇଁ ସେ ବର୍ଷାଙ୍କ ପାଇଁ ଭଡ଼ା ଘରର ବ୍ୟବସ୍ଥା କରିବେ । ସେ ବାବଦୀୟ ଖର୍ଚ୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯାହା ଉପରେ ଉଭୟ ପିଟିସନର ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ବର୍ଷା ପାରିବାରିକ ହିଂସାର ଶିକାର ହେଉଥିବାର ଅଭିଯୋଗ ଆଣି ପ୍ରଥମେ ଏସ୍ଡ଼ିଜେଏମ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଉକ୍ତ ଆବେଦନଟି କୋର୍ଟରେ ବିଚାରଧୀନ ଥିବାବେଳେ ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା । ଯାହା ଉପରେ ଶୁଣାଣି ଶେଷ ହୋଇଛି । ତେବେ ଅନୁଭବ ସୋସିଆଲ୍ ମିଡ଼ିଆରେ ଅନେକ ଆପତ୍ତିଜନକ କଥା ଉଠାଇଛନ୍ତି, ଯାହା ତାଙ୍କର ଚରିତ୍ର ସଂହାର କରୁଛି । ଏହାସହ ସେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରି ବର୍ଷାଙ୍କ ତରଫରୁ ଏସ୍ଡ଼ିଜେଏମ୍ କୋର୍ଟରେ ସାନି ପିଟିସନ ଦାୟର ହୋଇଛି ।