ସ୍କୁଲରୁ ଅଲିମ୍ପିକ୍ ପ୍ରସ୍ତୁତି
ଭୁବନେଶ୍ୱର,୨୪ା୫(ବୁ୍ୟରୋ): ଅଲିମ୍ପିକ୍ ପାଇଁ ସ୍କୁଲ୍ସ୍ତରରୁ ହେବ ପ୍ରସ୍ତୁତି । ସ୍କୁଲ ସମୟରୁ ପିଲା ଅଲିମ୍ପିକ୍ ମୂଲ୍ୟବୋଧ କ’ଣ ଜାଣିବେ । ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷା ସହ କ୍ରୀଡ଼ାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୁଝିବେ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଇଣ୍ଟରନ୍ୟାସନାଲ୍ ଅଲିମ୍ପିକ୍ କମିଟି (ଆଇଓସି) ସହଭାଗିତାରେ ଅଲିମ୍ପିକ୍ ମୂଲ୍ୟବୋଧଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭର୍ଚୁଆଲ୍ ମୋଡ୍ରେ ୯ଠଟି ସ୍କୁଲ୍ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଉରକେଲା ଓ ଭୁବନେଶ୍ୱରରେ ପାଇଲଟ ପ୍ରକଳ୍ପ ଭାବେ ଏହା ଆରମ୍ଭ ହୋଇଛି । ଆଗକୁ ଅନ୍ୟ ସ୍କୁଲ୍ଗୁଡ଼ିକୁ ଏହା ସମ୍ପ୍ରସାରିତ ହେବ । ଦେଶରେ ନୂଆ ଅଲିମ୍ପିକ୍ ଆନେ୍ଦାଳନର ଏହା ଅୟମାରମ୍ଭ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯକ୍ରମ ଜରିଆରେ ଆମ ପିଲାମାନେ ଅଲିମ୍ପିକର ଅନୁଭବ ପାଇପାରିବେ । ପରଷ୍ପରକୁ ସମ୍ମାନ, ବନ୍ଧୁତ୍ୱର ଭାବ ଏବଂ ଉକ୍ରର୍ଷତା ହାସଲର ବିଦ୍ୟା ହାସଲ କରିପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ବ୍ୟକ୍ତିତ୍ୱ ବିକାଶରେ କ୍ରୀଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତା ହାସଲ ପାଇଁ ଉଦ୍ୟମ ଜାରି ରହିଛି । ଭାରତରେ ଏକ ବୃହତ୍ କ୍ରୀଡ଼ା ହବ୍ ଭାବେ ଓଡ଼ିଶା ଉଭା ହେଉଛି । ସହଭାଗିତା ଜରିଆରେ କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ ଜାରି ରହିବ । ଏହି କାର୍ଯ୍ୟକ୍ରମରେ ସହଭାଗିତା ପାଇଁ ଆଇଓସିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ସେହିପରି ରାଜ୍ୟରେ କ୍ରୀଡ଼ାର ବିକାଶ ଦିଗରେ ନିକଟ ସହଭାଗୀ ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ଡ. ନରିନ୍ଦର ବାତ୍ରା, ଆଇଓସି ସଦସ୍ୟ ନୀତା ଅମ୍ବାନି, ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କ ଅବଦାନକୁ ସ୍ମରଣ କରିଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କିଭଳି ଶିକ୍ଷା, କ୍ରୀଡ଼ା ସମେତ ପ୍ରତିଟି କ୍ଷେତ୍ରରେ ରୂପାନ୍ତରଣ ଅଣାଯାଉଛି, ତାହା ଉପରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ଆଇଓସି ଶିକ୍ଷା କମିସନ ଅଧ୍ୟକ୍ଷ ମିକାଏଲା ସି. ଜାୱରସ୍କି କହିଥିଲେ, ପରିବର୍ତ୍ତନର ଏକ ଶକ୍ତିଶାଳୀ ଅସ୍ତ୍ର ହେଉଛି ଶିକ୍ଷା । ଏହି କାର୍ଯ୍ୟକ୍ରମ ସ୍କୁଲ୍ ପାଠ୍ୟକ୍ରମ ସହ ସମନ୍ୱିତ ହେବ । ଆଇଓସି ସଂସ୍କୃତି ଓ ଐତିହ୍ୟ କମିଟି ନିଦେ୍ର୍ଦଶକ ଆଞ୍ଜେଲିଟା ଟିଓ କହିଥିଲେ, ଅଲିମ୍ପିକ୍ ଜୀବନର ଦର୍ଶନକୁ ବଢ଼ାଇବ । ଏହା ଛାତ୍ରଛାତ୍ରୀଙ୍କୁ ଏକ ଶାନ୍ତିପୂର୍ଣ୍ଣ, ଉନ୍ନତ ଜୀବନଯାପନ ଦିଗରେ ଅଗ୍ରସର କରାଇବ । ଆଇଓସି ସଦସ୍ୟ ନୀତା ଅମ୍ବାନୀ କହିଥିଲେ, ସବୁ ଛୁଆ ଯଦିଓ ଅଲିମ୍ପିଆନ୍ ହୋଇପାରିବେନି କିନ୍ତୁ ସମସ୍ତେ ଏଥିରୁ ଶିକ୍ଷାଲାଭ କରିପାରିବେ । ବର୍ତ୍ତମାନ ସମୟରେ ଓଡ଼ିଶା କ୍ରୀଡ଼ା ହବ୍ ପାଲଟିଥିବା ସେ ପ୍ରକାଶ କରିବା ସହ ଦେଶରେ ଅଲିମ୍ପିକ ଶିକ୍ଷା ଆନେ୍ଦାଳନରେ ସେ ସାମିଲ ହୋଇଥିବାରୁ ଖୁସି ପ୍ରକଟ କରିଥିଲେ । ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରା କହିଥିଲେ, ଜୀବନର ମୂଲ୍ୟବୋଧ ଶ୍ରେଣୀଗୃହ ବାହାରୁ ଜାଣିବାକୁ ମିଳେ । ଅଲିମ୍ପିକ୍ ଆନେ୍ଦାଳନ ସାମାଜିକ ପରିବର୍ତ୍ତନ ପାଇଁ ସମ୍ଭାବନା ରଖୁଛି ।
ଓଡ଼ିଶା ହକି ପ୍ରମୋସନ କାଉନ୍ସିଲ୍ ସଭାପତି ଦିଲ୍ଲୀପ ତିର୍କୀ ଏହି ଅବସରରେ ବକ୍ତବ୍ୟ ରଖିଥିଲେ । ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ର ଅଧ୍ୟକ୍ଷ ନରିନ୍ଦର ବାତ୍ରା କହିଥିଲେ, ଏହି ନିଆରା ଆନେ୍ଦାଳନ ସହିତ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଆଇଓସିକୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ସଚିବ ଭିନିଲ୍ କ୍ରିଷ୍ଣା ପ୍ରମୁଖ ଯୋଗ ଦେଇଥିଲେ ।