ପୁରୀରେ ଗୁଳିକାଣ୍ଡ ପରେ ଛୁରାମାଡ଼
ସେବାୟତ ଶିବରାମ ମୃତ, ଜଣେ ଗିରଫ
୨ ଦୁର୍ବୃତ୍ତ ୨ ରାଉଣ୍ଡ୍ ଗୁଳି ଫୁଟାଇଥିଲେ, ଛୁରାମାଡ଼ରେ ଯୁବକ ଗୁରୁତର
ପୁରୀ, ୨୪ା୫ (ବୁ୍ୟରୋ): ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ପୁରୀ ସହରର ସୁରକ୍ଷା ନିମିତ୍ତ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ହେଲେ ପୁଲିସକୁ ଚାଲେଞ୍ଜ ଦେଇ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଦୁଇ ଦୁଇଟି ଅପରାଧ ଘଟାଇଛନ୍ତି । ଜଣେ ସେବାୟତଙ୍କୁ ଗୁଳିକରି ହତ୍ୟା କରାଯିବାର କିଛି ଘଣ୍ଟା ପରେ ଆଉ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଛି । ସେବାୟତ ହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି । ଛୁରାମାଡର ତଦନ୍ତ ଚାଲିଥିବାବେଳେ ଦୁଇ ଦୁଇଟି ହିଂସାକାଣ୍ଡକୁ ନେଇ ପୁରୀବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ରାତି ପ୍ରାୟ ୯ଟା ସମୟରେ ୨୪ ଘଣ୍ଟା ଗହଳି ହେଉଥିବା ଏମାରମଠ ଚକଡ଼ାରେ ଲୋକନାଥଙ୍କ ସେବାୟତ ଶିବରାମ ପାତ୍ରଙ୍କୁ ଗୁଳି କରାଯାଇଛି । ତାଙ୍କ ମୁଣ୍ଡରେ ଏକ ରାଉଣ୍ଡ ଗୁଳି ବାଜିଛି । ଗୁଳିମାଡ଼ ପରେ ଶିବରାମଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଛାନ୍ଭିନ୍ ଚଳାଇ ଗୁକାଣ୍ଡର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ଗିରଫ କରିଛି ।
ତେବେ ଗୁଳିମାଡ଼ରେ ପୁଣି ଜଣେ ସେବାୟତଙ୍କ ମୃତୁ୍ୟ ଘଟିବାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ମହଲରେ ଆତଙ୍କ ସୃଷ୍ଟି ହୋଇଛି । ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା ଛାନ୍ଭିନ୍ ଚଳାଇଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି, ପୂର୍ବ ଶତ୍ରୁତା କାରଣରୁ ଗୁଳିମାଡ଼ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଦୁଇଜଣ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିବା ସୂଚନା ମିଳିଛି ।
ବିଳମ୍ବିତ ରାତିରେ ବଡଦାଣ୍ଡ ସ୍ଥିତି ମାଉସୀ ମା’ ମନ୍ଦିରରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାରୁ ସୂର୍ଯ୍ୟନାରାୟଣଙ୍କ ଉପରେ ଛୁରା ମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।