ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କଲେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ
ପୁରୀ, ୨୪ା୫(ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଘନେଇବାରେ ଲାଗିଥିବା ବେଳେ ଦୈନିକ ଏଥିରେ ଯୋଡି ହେଉଛିନୂଆ ଫର୍ଦ୍ଦ । ବେଆଇନ୍ ନିର୍ମାଣ ପ୍ରସଙ୍ଗକୁ ନେଇ ଗୋବର୍ଦ୍ଧନପୀଠ ମୁଖ୍ୟ ଶଙ୍କରାଚାର୍ଯ୍ୟ ମୁହଁ ଖୋଲିବା ପରେ ତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଶଙ୍କରାଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିବାରୁ ପ୍ରଶାସନର ଚେତା ପଶିଛି । ମଙ୍ଗଳବାର ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଗୋବର୍ଦ୍ଧନପୀଠକୁ ଯାଇ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ୍ କରି ଆଲୋଚନା କରିଥିବା ଜଣାପଡ଼ିଛି ।
ବିଜେଡିର ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ନେତୁତ୍ୱରେ ବିଜେପିର ଯତୀନ ମହାନ୍ତି, ସୁଦୀପ୍ ରାୟ । କଂଗେସର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ଥପତି ସୁଦର୍ଶନ ସାହୁ ପ୍ରମୁଖ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର, ଏଏସ୍ଆଇର ଅତିରିକ୍ତ ଅଧୀକ୍ଷକ ଚିତ୍ତରଞ୍ଜନ ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ସାକ୍ଷାତ ଆଲୋଚନା ସମୟରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଉପୁଜିବାରୁ ପ୍ରଥମେ ଜିଲ୍ଲାପାଳ ସମର୍ଥ ବର୍ମା ଗୋବର୍ଦ୍ଧନପୀଠକୁ ଯାଇ ଜଗତ୍ଗୁରୁଙ୍କ ସହ ଆଲୋଚନା କରିଥିଲେ । ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୁତ୍ୱରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଆଜି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଘଟଣାରେ ଆଲୋଚନା ଜୋର ଧରିଛି ।