ଖେଳ ପଡ଼ିଆରେ ଉଦ୍ୟାନ ନିର୍ମାଣକୁ ବିରୋଧ
ଧାମନଗର (ଆପ୍ର): ଧାମନଗର ବ୍ଲକ୍ ଅଧୀନ ଆନନ୍ଦପୁର ପଞ୍ଚାୟତର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ୮.୬ ଏକର ପରିମିତ ଖେଳ ପଡ଼ିଆ ସଂକୁଚିତ ହେବାରେ ଲାଗିଛି । ଚାରି ପଟ ଜବରଦଖଲ ହୋଇଥିବା ବେଳେ ଏବେ ପଡ଼ିଆର ୨୫ ପ୍ରତିଶତ ଅଂଶକୁ ମାଟି ପକାଇ ପୋତା ଯାଉଥିବା ଦେଖିବାକୁ ମିଳିଛି । ଏହି ଜାଗାରେ ୧୦୦ ମିଟର ଲମ୍ବ ଓ ୭୦ ମିଟର ଚଉଡ଼ା ଅଞ୍ଚଳରେ ଗୋଟିଏ ଗ୍ରାମୀଣ ଉଦ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହି ଉଦ୍ୟାନ ନିର୍ମାଣକୁ ବିରୋଧ କରି ସ୍ଥାନୀୟ ଲୋକ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲାପାଳ ଓ ରାଜସ୍ୱ ସଚିବଙ୍କୁ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ସୋଧ ରାଜସ୍ୱ ମଣ୍ଡଳ ଅଧୀନ ଆନନ୍ଦପୁର ମୌଜାର ଖାତା ନମ୍ବର ୫୯୯ର ପ୍ଲଟ୍ ନମ୍ବର ୧୧୦ରେ ଥିବା ଏହି ପଡ଼ିଆଟି ଗୋଚର କିସମର । ହେଲେ ତକ୍ରାଳୀନ ଜମିଦାର ମହେନ୍ଦ୍ର ନାଥ ଦତ୍ତଙ୍କ ଅମଳରୁ ଜଗନ୍ନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନରୁ ଏହା ଖେଳ ପଡ଼ିଆ ଭାବେ ବ୍ୟବହୃତ ହୋଇଆସୁଛି । ବିଭିନ୍ନ ସମୟରେ ଏହି ପଡ଼ିଆରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ହେଲେ ଏବେ କିଛି ବ୍ୟକ୍ତି ନିଜର ଫାଇଦା ପାଇଁ ପଡ଼ିଆକୁ ଜବରଦଖଲ କରି ଗ୍ରାମୀଣ ଉଦ୍ୟାନ ନିର୍ମାଣ କରୁଛନ୍ତି । ସେହି ପଡ଼ିଆ ପାଖରେ ଅନେକ ଅନାବାଦୀ ଓ ଅବ୍ୟବୃତ ସରକାରୀ ଜମି ରହିଛି । ପଡ଼ିଆରୁ ପାଖାପାଖି ୧.୫ ଏକର ଜମିକୁ ପୋତି ଉଦ୍ୟାନ କରାଯାଉ ଥିବା ଜଣାପଡ଼ିଛି । ଏଠାରେ ଗ୍ରାମୀଣ ପାର୍କ କରା ନ ଯାଇ ଏକ ମିନି ଷ୍ଟାଡିୟମ କରାଗଲେ ଏହାର ଗାରିମା ବଢ଼ିଥାନ୍ତା ବୋଲି ପୂର୍ବତନ ସରପଞ୍ଚ ବିଜୟ ଦାସ କହିଛନ୍ତି । ପାର୍କ କରାଗଲେ ପଡ଼ିଆର କୌଣସି କ୍ଷତି ହେବ ନାହିଁ ବୋଲି ସରପଞ୍ଚ ମୀନା ମାଝି କହିଛନ୍ତି । ତେବେ ଗୋଚର ଜମିରେ ଯଦି ପାର୍କ ନିର୍ମାଣ ହେଉଥାଏ ତାହାକୁ ଅନୁମତି ଦିଆଯିବ ନାହିଁ ବୋଲି ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ପ୍ରକାଶ କରିଛନ୍ତି । ଏ ନେଇ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ଟୁଇଟ୍ କରି ଅଭିଯୋଗ କରିଛନ୍ତି ।