ଶାନ୍ତି ପାଇଁ ‘କ୍ୱାଡ୍’ର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଚତୁର୍ରାଷ୍ଟ୍ରୀୟ ଶିଖର ସମ୍ମିଳନୀ
ଟୋକିଓ (ଏଜେନ୍ସି): ଜାପାନର ଟୋକିଓ ଠାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ୨ ଦିନିଆ କ୍ୱାଡ୍ ଶିଖର ସମ୍ମିଳନୀ । ଉଦ୍ଘାଟନୀ ସମାରୋହରେ ଆୟୋଜକ ଜାପାନ୍ ସମେତ କ୍ୱାଡ୍ର ସମସ୍ତ ସଦସ୍ୟ ରାଷ୍ଟ୍ର ଯଥା ଆମେରିକା, ଭାରତ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ରାଷ୍ଟ୍ରମୁଖ୍ୟମାନେ ଯୋଗଦେଇ ୨୬/୧୧ ମୁମ୍ବାଇ ଆକ୍ରମଣ ଏବଂ ପଠାନ୍କୋଟ୍ ଉପରେ ଆତଙ୍କବାଦୀ ହମ୍ଲାକୁ ତୀବ୍ର ନିନ୍ଦା କରିଛନ୍ତି । କ୍ୱାଡ୍ ବୈଠକରେ ୪ ରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ପ୍ରତ୍ୟେକ ପ୍ରସଙ୍ଗଜନିତ ଆଲୋଚନା ତଥା ଚର୍ଚ୍ଚା ଉପରେ ଏବେ ସମଗ୍ର ବିଶ୍ୱର ସତର୍କ ଦୃଷ୍ଟି ନିବଦ୍ଧ ରହିଛି ।
କ୍ୱାଡ୍ ସଂଗଠନର ୪ ସଦସ୍ୟ ରାଷ୍ଟ୍ର (ଜାପାନ-ଆମେରିକା-ଭାରତ-ଅଷ୍ଟ୍ରେଲିଆ)ଙ୍କ ରାଷ୍ଟ୍ରମୁଖ୍ୟଙ୍କ ପକ୍ଷରୁ ଜାରି ମିଳିତ ଘୋଷଣାନାମାରେ କୁହାଯାଇଛି ଯେ, ଆତଙ୍କବାଦ ପଛରେ ଯାହାବି କାରଣ ଥାଉ ଏହା ଠିକ୍ ନୁହେଁ । ଏତଦ୍ବ୍ୟତୀତ ପାକିସ୍ତାନର ସିଧାସଳଖ ନାମ ନଧରି ଆତଙ୍କବାଦୀମାନଙ୍କୁ ଆର୍ଥିକସ୍ତରରେ, ସାମରିକସ୍ତରରେ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ସହଯୋଗ କରୁଥିବା ଦେଶଗୁଡ଼ିକୁ ତୀବ୍ର ନିନ୍ଦା କରାଯାଇଛି । ପ୍ରକାଶ, ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ମିଳିତ ଭାବେ ଏକ ଚତୁଃରାଷ୍ଟ୍ରୀୟ ମେଣ୍ଟ ଗଠନ କରିଛନ୍ତି ଏବଂ ଏହାକୁ କ୍ୱାଡ୍ ଭାବେ ସମ୍ବୋଧିତ କରାଯାଉଛି । ଏସିଆ ମହାଦେଶରେ ଚୀନ୍ର ବଢ଼ିଚାଲିଥିବା ଆଧିପତ୍ୟକୁ ରୋକିବା ଉଦେ୍ଦଶ୍ୟରେ ଏହି ସାମରିକ ଓ ଆର୍ଥିକ ମେଣ୍ଟ ଗଠନ କରାଯାଇଛି ।
କ୍ୱାଡ୍ ବୈଠକର ପ୍ରଥମ ଦିନରେ ୪ ଜନନାୟକ ନିଜ ସମ୍ବୋଧନ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଉଦ୍ଘାଟନୀ ଭାଷଣରେ କହିଛନ୍ତି ଯେ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା, ସମ୍ବୃଦ୍ଧି ତଥା ସହୃଦୟତା ବଜାୟ ରଖିବା ଉଦେ୍ଦଶ୍ୟରେ ଭାରତ-ଆମେରିକା-ଜାପାନ୍-ଅଷ୍ଟ୍ରେଲିଆ ମଧ୍ୟରେ ଗଠନ ହୋଇଥିବା କ୍ୱାଡ୍ ମେଣ୍ଟ ମାତ୍ର ଅଳ୍ପ ଦିନରେ ବିଶ୍ୱ ମଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିପାରିଛି । କ୍ୱାଡ ସଦସ୍ୟ ରାଷ୍ଟ୍ର ୦କରୋନା କାଳରେ ଟିକା ବିତରଣରୁ ନେଇ, ଜଳବାୟୁ କାର୍ଯ୍ୟ, ଯୋଗାଣ, ବିପର୍ଯ୍ୟୟ ପରି·ଳନା, ଅର୍ଥନେତିକ ସହଯୋଗ ପରି ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସମନ୍ୱୟ ରକ୍ଷା କରିଛନ୍ତି । ସେହିପରି ମଙ୍ଗଳବାର ଦିନ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଇଡନ୍ କହିଛନ୍ତି ଯେ, ଭାରତ ଏବଂ ଆମେରିକାର ସହଭାଗିତା ସମଗ୍ର ବିଶ୍ୱରେ ସବୁଠୁ ଅଧିକ ସୁଦୃଢ଼ ହେବାକୁ ଯାଉଛି । ଭାରତ-ଆମେରିକା ମିଳିତ ଭାବେ ଅନେକ କିଛି ହାସଲ କରିପାରିବେ । ଭାରତ ଠାରୁ ଅନେକ କିଛି ଶିକ୍ଷା ଗ୍ରହଣ କରାଯାଇପାରିବ ବୋଲି ମଧ୍ୟ ବାଇଡନ୍ କହିଛନ୍ତି । ଏହି ଅବସରରେ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିଜ୍ ମଧ୍ୟ ଉପସ୍ଥିତ ଥିଲେ । ବିଶ୍ୱର ଏହି ୩ ଶୀର୍ଷ ନେତା ଭାରତରେ ପ୍ରସ୍ତୁତ କରୋନା ଭ୍ୟାକ୍ସିନ୍କୁ ଏବଂ ଭାରତ ସରକାରଙ୍କ କରୋନା ପରିଚାଳନା ନୀତିକୁ ବେଶ୍ ତାରିଫ୍ କରିବା ଦେଖିବାକୁ ମିଳିଛି । ଏତଦ୍ବ୍ୟତୀତ ଆସନ୍ତାକାଲି ହେବାକୁ ଥିବା ଆଲୋଚନା ଚକ୍ରରେ ରୁୂଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ହେବା ସହ ମୋଦି ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିଜ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।