ଗଢ଼ାଗଲା ଟାସ୍କଫୋର୍ସ, ପିଏସି

କଂଗ୍ରେସର ୨ଠ୨୪ ନିର୍ବାଚନ ରଣନୀତି
ନୂଆଦିଲ୍ଲୀ (ଏଜେନ୍ସି): ୨ଠ୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁୂତି ଆରମ୍ଭ କରିଦେଇଛି । ରାଜସ୍ଥାନର ଉଦୟପୁର ଠାରେ ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରିବା ପରେ ପରେ କଂଗ୍ରେସର ଏବେ ପ୍ରତ୍ୟେକ ନେତା ମାତ୍ରାଧିକ ଉତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଅନୁୂସାରେ ଏଣିକି କଂଗ୍ରେସରେ କାମ ହେଉଥିବା ଦେଖିବାକୁ ମିଳୁଛି । ଦଳୀୟ ନେତାମାନେ ଏବେ ନିଜ ନିଜ ନିର୍ବାଚନୀ କ୍ଷେତ୍ର ବା ଅଞ୍ଚଳର ଲୋକମାନଙ୍କ ପାଖକୁ ଯିବା ଏବଂ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଏସବୁ ମଧ୍ୟରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମଙ୍ଗଳବାର ଦିନ ଏକ ୮ଜଣିଆ ଟାସ୍କଫୋର୍ସ ଗଠନ କରିଥିବା ସୂଚନା ମିଳିଛି । ୨ଠ୨୪ ସାଧାରଣ ନିର୍ବାଚନକୁୂ ଦୃଷ୍ଟିରେ ରଖି ଏହାର ଗଠନ କରାଯାଇଛି । ଏତଦ୍ବ୍ୟତୀତ ଏକ ୮ଜଣିଆ ପଲିଟିକାଲ ଆଫାୟାର୍ସ୍ (ରାଜନୈତିକ କାର୍ଯ୍ୟାନ୍ୱୟନ କମିଟି) କମିଟି (ପିଏସି) ମଧ୍ୟ ସେ ଗଠନ କରିଛନ୍ତି ।
ସୋନିଆ, ପିଏସିରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖର୍ଗେ, ଗୁଲାମନବୀ ଆଜାଦ୍, ଅମ୍ବିକା ସୋନୀ, ଦିଗବିଜୟ ସିଂହ, ଆନନ୍ଦ ଶର୍ମା, କେସି ବେଣୁଗୋପାଳ, ଜିତେନ୍ଦ୍ର ସିଂହଙ୍କ ଭଳି ଅନୁଭବୀ ତଥା ଦକ୍ଷ ନେତାମାନଙ୍କୁ ସାମିଲ କରିଛନ୍ତି । ସେହିପରି ଟାସ୍କଫୋର୍ସରେ ପି.ଚିଦାମ୍ବରମ୍, ମୁକୁଲ ୱାସନିକ, ଜୟରାମ ରମେଶ, କେସି ବେଣୁଗୋପାଳ, ଅଜୟ ମାକେନ, ପ୍ରିୟଙ୍କା ଗାନ୍ଧୀ, ରଣଦୀପ ସୁରଜେୱାଲା, ସୁନୀଲ କନ୍ଗୋଲୁ ପ୍ରମୁଖ ନେତାମାନଙ୍କୁ ସ୍ଥାନ ମିଳିଛି । ପ୍ରକାଶ, ନିଜକୁ ନିର୍ବାଚନୀ ଷ୍ଟ୍ରାଟେଜିଷ୍ଟ କହୁଥିବା ପ୍ରଶାନ୍ତ କିଶୋର (ପିକେ)ଙ୍କ ପୂର୍ବତନ ସହଯୋଗୀ ଭାବେ ସୁନୀଲ କନ୍ଗୋଲୁ ଦୀର୍ଘସମୟ କାମ କରିଛନ୍ତି । କୌଣସି କାରଣରୁ ପିକେଙ୍କୁ ନିଜ ପଟକୁ ଆଣିବାରେ ସଫଳ ହୋଇପାରିନଥିଲେ ମଧ୍ୟ (ଦଳରେ ସାମିଲ କରିପାରିନଥିଲେ) ତାଙ୍କର ପୂର୍ବ ସହଯୋଗୀ ସୁନୀଲ କନୁଗୋଲୁଙ୍କୁ ଟାସ୍କଫୋର୍ସରେ ସାମିଲ କରି କଂଗ୍ରେସ ଏକ ବଡ଼ ଚାଲ୍ ଖେଳିଛି ।
ଉଦୟପୁର ଚିନ୍ତନ ଶିବିରରେ ସହମତିକ୍ରମେ ଦଳ ପକ୍ଷରୁ ଦେଶବ୍ୟାପୀ ଭାରତ ଜୋଡୋ’ ଯାତ୍ରା ଆୟୋଜନ କରାଯିବା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ କଂଗ୍ରେସ ପକ୍ଷରୁ ଏକ ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପ୍ ଫର୍ ଭାରତ ଜୋଡୋ’ ଗଠନ କରାଯାଇଛି । ଏଥିରେ କଂଗ୍ରେସର ଅନେକ ଭେଟେରାନ୍ ନେତାମାନଙ୍କୁ ସୋନିଆ ସାମିଲ କରିବା ପୂର୍ବକ ଏହି ଯାତ୍ରାକୁ ସଫଳ କରିବାର ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଦିଗ୍ବିଜୟ ସିଂହ, ସଚିନ୍ ପାଇଲଟ, ଶଶି ଥରୁର, ରମ୍ବିତ୍ ସିଂ ବିଟ୍ଟୁ, କେଜି ଜର୍ଜ, ଜୋଥୀ ମାନି, ପ୍ରଦୁ୍ୟତ୍ ବୋଲଦୋଲୋଇ, ଜିତୁ ପଟୱାରୀ, ସଲୀମ୍ ଅହମ୍ମଦ ପ୍ରମୁଖଙ୍କୁ ସ୍ଥାନ ଦିଆଯାଇଛି ।
ଉଦୟପୁର ଚିନ୍ତନ ଶିବିର କାଳରେ ସୋନିଆ, ୨ଠ୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପାଇଁ ପିଏସି ଏବଂ ଟାସ୍କଫୋର୍ସ ଗଠନ କରାଯିବା ନେଇ ଘୋଷଣା କରିଥିଲେ । ଏବେ ସେଦିଗରେ କଂଗ୍ରେସ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି । ତେବେ ଏସବୁ ମଧ୍ୟରେ କେତୋଟି ବଡ଼ କଥା ସାମ୍ନାକୁ ଆସିଛି । ପ୍ରଥମତଃ କଂଗ୍ରେସ ନିଜ ଜାତୀୟ ଯୋଜନାରେ ପ୍ରିୟଙ୍କା ଗାନ୍ଧୀଙ୍କୁ ବିଧିବଦ୍ଧ ଭାବେ କୌଣସି ଦାୟିତ୍ୱ ପ୍ରଦାନ କରିଛି । ଏତଦ୍ବ୍ୟତୀତ ଦଳର ଜି-୨୩ ସଦସ୍ୟ (ଅସନ୍ତୁଷ୍ଟ ନେତା ସମୂହ)ଙ୍କ ମଧ୍ୟରୁ ୨ଜଣ ଗୁଲାମନବୀ ଆଜାଦ୍ ଏବଂ ଶଶି ଥରୁରଙ୍କୁ ମଧ୍ୟ ନିଜର ଏହି ନିର୍ବାଚନୀ ଷ୍ଟ୍ରାଟେଜୀରେ ପ୍ରତିନିଧିତ୍ୱ ଦାୟିତ୍ୱ ଦେଇ ଏହି ଦୁଇ ନେତାଙ୍କୁ ନିଜ ପକ୍ଷକୁ ଆଣିବାରେ ସଫଳ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *