ରୋଗୀଙ୍କୁ ଘରୋଇ ହସ୍ପିଟାଲ୍ ପଠାଉଥିଲେ

ଏସ୍ସିବିରୁ ଗିରଫ ହେଲେ ୫ ଦଲାଲ
କଟକ (ବୁ୍ୟରୋ): ଏସ୍ସିବି ମେଡ଼ିକାଲରୁ ପୁଣି ଗିରଫ ହେଲେ ଦଲାଲ । ରେଡ଼ିଓଲୋଜି ବିଭାଗରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ ଏକ ଠିକା ସଂସ୍ଥାର ୫ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ । ଏସ୍ସିବିକୁ ଆସୁଥିବା ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହି ଘରୋଇ ହସ୍ପିଟାଲକୁ ପଠାଉଥିବାରୁ ଜଗତପୁର ଆଇବି ରୋଡ୍ର ବୁଲୁ ଓରଫ ବିଜୟ ଦାସ (୫୦), ନୂଆ ବଜାରର ଦିପ୍ତୀରଞ୍ଜନ ନାୟକ (୩୫), ଜଗତପୁରର ଲକ୍ଷ୍ମୀଧର ନାଏକ (୪୨), ମାନସିଂପାଟଣାର ସଚ୍ଚିଦାନନ୍ଦ ସାହୁ (୪୮) ଓ ଆନନ୍ଦପୁରର ରମଣିରଞ୍ଜନ ମହାପାତ୍ର (୪୧)ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୩୦୦ ଟଙ୍କା ଓ ଆଉଟଡୋର୍ ଟିକେଟ୍ ଜବତ କରାଯାଇଛି ।
ଗତକାଲି ଦେବବ୍ରତ ମହାନ୍ତିଙ୍କର ପେଟ ଯନ୍ତ୍ରଣା ହେବାରୁ ସେ ଏସ୍ସିବି ମେଡିସିନି ବିଭାଗ ଡାକ୍ତରଙ୍କ ପରାମର୍ଶ ନେବାକୁ ଆସିଥିଲେ । ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେବାରୁ ସେ ରେଡ଼ିଓଲୋଜି ବିଭାଗକୁ ଯାଇଥିଲେ । ସେଠାରେ ତାଙ୍କୁ ଜୁଲାଇ ୧୯ରେ ଅଲଟ୍ରାସାଉଣ୍ଡ ପାଇଁ ତାରିଖ ଦିଆଯାଇଥିଲା । ଏହାର କିଛି ସମୟ ପରେ ୫ ଜଣ ବ୍ୟକ୍ତି ଆସି ଏସ୍ସିବି କର୍ମଚାରୀ ଭାବେ ପରିଚୟ ଦେଇ କମ ସମୟ ମଧ୍ୟରେ ଅଲଟ୍ରାସାଉଣ୍ଡ କରିଦେବେ ବୋଲି କହିଥିଲେ । କିନ୍ତୁ ଅଲଟ୍ରାସାଉଣ୍ଡ ପାଇଁ ସେମାନେ ୨୦୦ ଟଙ୍କା ଦାବି କରିଥିଲେ । ଏପରିକି ଅଲଟ୍ରାସାଉଣ୍ଡ ମଧ୍ୟ ଖୁବ କମ ମୂଲ୍ୟରେ ମାକ୍ସ ଡାଇଗ୍ନୋଷ୍ଟିକ ସେଣ୍ଟରରେ କରାଇଦେବା ପାଇଁ କହିଥିଲେ । ଦେବବ୍ରତ ସେମାନଙ୍କ କଥାରେ ବିଶ୍ୱାସ ନ କରି ମଙ୍ଗଳାବାଗ ଥାନାରେ ସୋମବାର ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ଅଭିଯୋଗ ପଞ୍ଜୀକୃତ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯୋଜନା ପସ୍ତୁତ କରି ସେମାନଙ୍କୁ ଗିରଫ କରିଥିଲା । ୫ ଦଲାଲଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି ।
ପୂର୍ବରୁ ମଧ୍ୟ ଏସ୍ସିବି ଆଉଟସୋର୍ସିଂ କର୍ମଚାରୀ ଉତ୍ତମ ସେବା ଯୋଗାଇ ଦେବା ଆଳରେ ଦୁର୍ଗମ ଅଞ୍ଚଳରୁ ଆସୁଥିବା ରୋଗୀଙ୍କଠାରୁ ଟଙ୍କା ନେଉଥିବା ନେଇ ସୂଚନା ରହିଥିବା ଡିସିପି ପିନାକ ମିଶ୍ର କହିଛନ୍ତି । କମିଶନରେଟ ପୁଲିସ ଆଗାମୀ ଦିନରେ ଦଲାଲମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏହାସହ ଉପଯୁକ୍ତ ଭାବେ ଯାଞ୍ଚ କରି ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେବା ନିମିତ୍ତ ଏସସିବି କର୍ତ୍ତୃପକ୍ଷଙ୍କୁ ଡିସିପି ପରାମର୍ଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *