ଏମାରମଠ ପରିସରରେ ପୁଣି ଜିପିଆର୍ଏସ୍ ସର୍ଭେ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ଖନନ କରାଯାଇଥିଲା । ସେହି ସମୟରେ ଜିପିଆର୍ଏସ୍ ହୋଇ ନ ଥିଲା । ହେଲେ କିଛିଦିନ ତଳେ ଏମାରମଠ ପରିସରରୁ ଖନନ ଜାରି ରହିଥିବା ବେଳେ ଦୁଇଟି ସିଂହମୂର୍ତ୍ତି ଉଦ୍ଧାର ହୋଇଥିଲା । ଫଳରେ ଏହାକୁ ନେଇ ତର୍କବିତର୍କ ହେବା ପରେ ଶେଷରେ ଓବିସିସି ପକ୍ଷରୁ ଜିପିଆର୍ଏସ୍ ସର୍ଭେ ଆରମ୍ଭ କରାଯାଇଛି ।
ପ୍ରଥମେ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଜିପିଆର୍ଏସ୍ ସର୍ଭେ କରାଯାଇଥିବା ବେଳେ ମଙ୍ଗଳବାର ଏମାରମଠ ଖନନ ସ୍ଥଳକୁ ଜିପିଆର୍ଏସ୍ କରାଯାଇଛି । ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କାର୍ଯ୍ୟ କରାଯାଉଛି । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟିଟେଡ୍ର ୫ଜଣ ଇଞ୍ଜିନିୟର ଏବଂ ୮ଜଣ କର୍ମଚାରୀ ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତତ୍ସହିତ ସର୍ଭେ କାର୍ଯ୍ୟରେ ତିନୋଟି ମେସିନ୍ ବ୍ୟବହାର କରାଯାଇଛି । ଅନ୍ୟପକ୍ଷରେ ସର୍ଭେ ସମ୍ପର୍କରେ ଅଧିକାରୀମାନେ କୁହନ୍ତି, ସର୍ଭେ କାର୍ଯ୍ୟ ଶୀଘ୍ର ଶେଷ କରାଯାଇ ରିପୋର୍ଟ ଖୁବ୍ଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ।