ଜନସମୁଦ୍ର ହେବ ବଡ଼ଦାଣ୍ଡ
୨ଠ୨୨ ରଥଯାତ୍ରା ଲାଗି ପ୍ରଥମ ସମନ୍ୱୟ ବୈଠକ
ପୁରୀ, ୨୩ା୫ (ବୁ୍ୟରୋ): ଦୁଇବର୍ଷ ପରେ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା । ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନିମତ୍ତ ପ୍ରଶାସନ ପକ୍ଷରୁ ପ୍ରୟାସ ଚାଲିଛି । ସୋମବାର ଟାଉନହଲ୍ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ବ୍ୟାପକ ଆଲୋଚନା କରାଯାଇଛି । କରୋନା ଯୋଗୁଁ ଲଗାତାର ଦୁଇବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । କଟକଣା ପ୍ରତ୍ୟାହୃତ ହେବା ସହିତ ଏଥର ଭକ୍ତ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ବିପୁଳ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି । ଶ୍ରୀଗୁଣ୍ଡିଚା ଦିନ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି ।
ଏକ ସମୟରେ ଏତେ ସଂଖ୍ୟଙ୍କ ଲୋକଙ୍କ ସୁରକ୍ଷା ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଥିବାରୁ ବ୍ୟାପକ ବ୍ୟବସ୍ଥା କରାଯିବ । ସେଥିଲାଗି ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ସିସିଟିଭି ଲଗାଯିବ । ଭକ୍ତଙ୍କ ରହଣିଠାରୁ ଆରମ୍ଭ କରି ଯାତାୟାତ ଓ ପାନୀୟ ଜଳ ଯୋଗାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ବୈଠକରେ ପୁରୀ ସହରର ପରିମଳ ବ୍ୟବସ୍ଥା ଉପରେ ଆଲୋଚନା ସମୟରେ ହୋହଲ୍ଲା ହୋଇଥିଲା । ସହରର ପ୍ରତ୍ୟେକ ଗଳିକନ୍ଦିର ରାସ୍ତାଘାଟ ନଷ୍ଟ ହୋଇ ଥିଲେ ବି ମରାମତି କରାଯାଇନାହିଁ । ଯଦ୍ୱାରାକି ରଥଯାତ୍ରା ସମୟରେ ବହୁ ଅସୁବିଧା ସୃଷ୍ଟି ହେବା ସମ୍ଭାବନା ରହିଛି । ତେଣୁ ରାସ୍ତା ସମସ୍ୟାର ତୁରନ୍ତ ସମାଧାନ ସ୍ୱରୂପ ଆବଶ୍ୟକ ମରାମତି ଶେଷ କରିବାକୁ ସ୍ଥାନୀୟ ପୌରନିର୍ବାହୀ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ନିଦେ୍ର୍ଦଶ ଦେଇଥିଲେ ।
ବୈଠକରେ ରଥକାଠ, କନା, ଦଉଡି ଯୋଗାଣ, ରଥନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ, ଗମନାଗମନ ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସେହିପରି ସ୍ନାନ ପୂର୍ଣ୍ଣିମାରେ ମଧ୍ୟ ପ୍ରବଳ ଭକ୍ତଙ୍କ ସାମଗମ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଛି । ରଥଯାତ୍ରାରୁ ବାହୁଡ଼ା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ଶହ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି କରାଯିବ । ଆଇନଶୁଙ୍ଖଳା ଓ ଟ୍ରାଫିକ ସୁପରିଚାଳନା ଲାଗି ଶହେ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ସହିତ ଶତାଧିକ ଅଫିସରଙ୍କୁ ନିଯୁକ୍ତ କରାଯିବ । ଚଳିତବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ସେବାୟତଙ୍କଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସହମତ ହୋଇଥିଲେ ।
ବୈଠକରେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ସଂସ୍କୃତି ବିଭାଗ ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ, ସୂଚନା ଲୋକସର୍ମ୍ପକ ବିଭାଗ ନିଦେ୍ର୍ଦଶକ ଇନ୍ଦ୍ରମଣି ତି୍ରପାଠୀ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ଉପଜିଲ୍ଲାପାଳ ଭବତରଣ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ ।