ଥାଇଲାଣ୍ଡରେ ଦୌଡ଼ିବେ ଗଞ୍ଜାମର ୨ ଖେଳାଳି

ବ୍ରହ୍ମପୁର (ବୁ୍ୟରୋ): ଜିଲ୍ଲା ପ୍ରଶାସନ ସହାୟତାରେ ଜିଲ୍ଲାର ୨ ଯୁବ ଆଥଲେଟ୍ ସନ୍ଦୀପ ଓ ପଞ୍ଚାନନ ବିଦେଶରେ ଖେଳିବା ସୁଯୋଗ ପାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଯୁବନୀତି ଓ କ୍ରୀଡାନୀତିକୁ ଆଧାରକରି ଆର୍ଥିକ ଦୁର୍ବଳ ପରିବାରର ୨ ଉଦୀୟମାନ କ୍ରୀଡାବିତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସହଯୋଗର ହାତ ବଢ଼ାଇଛି ପ୍ରଶାସନ । ଏଥିସହ ରୋଟାରୀ କ୍ଲବ୍ କର୍ମକର୍ତ୍ତାମାନେ ମଧ୍ୟ ଦୁହିଁଙ୍କୁ ସହାୟତା କରିଛନ୍ତି । ଫଳତଃ ଥାଇଲାଣ୍ଡରେ ଆସନ୍ତା ୨୫ରୁ ୩୦ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଓପନ୍ ଇଣ୍ଟର ନ୍ୟାସନାଲ୍ ସ୍ପୋର୍ଟ୍ସ ଚାମ୍ପିୟାନସିପ୍ରେ ଅଂଶଗ୍ରହଣ ନେଇ ବ୍ରହ୍ମପୁର ଗୋଷାଣୀନୂଆଗାଁର ଡି.ସନ୍ଦୀପ ପାତ୍ର ଓ କୁକୁଡାଖଣ୍ଡି ବ୍ଲକ୍ ମଦନମୋହନପୁର ଗ୍ରାମର ପଞ୍ଚାନନ ସେଠୀଙ୍କ ସ୍ୱପ୍ନ ଏବେ ପୁରା ହେବାକୁ ଯାଉଛି ।
ଦୁହେଁ ବ୍ରହ୍ମପୁର ସିଟି କଲେଜରେ ଗ୍ରାଜୁଏସନ୍ ଶେଷ କରିଛନ୍ତି । ସନ୍ଦୀପଙ୍କ ପିତା କ୍ଷୀର ବିକି ଓ ପଞ୍ଚାନନଙ୍କ ବାପା ଲଣ୍ଡି୍ର କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ବହୁ ବାଧାବିଘ୍ନ ସତ୍ତ୍ୱେ୍ୱ କଠୋର ପରିଶ୍ରମ କରି ଦୁହେଁ ଖେଳକୁଦର ଅଭ୍ୟାସ କରି ଅନେକ ସଫଳତା ହାସଲ କରିଛନ୍ତି । ଦୁଇ ଯୁବ ଉଦୀୟମାନ କ୍ରୀଡାବିତ୍ଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବା ଜାଣିବାକୁ ପାଇଥିଲେ ବ୍ରହ୍ମପୁରର ଡେପୁଟି ମେୟର ଇ.ବିବେକ ରେଡ୍ଡି । ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଓ ବ୍ରହ୍ମପୁର ଉପଜିଲ୍ଳାପାଳ ଭି.କୀର୍ତ୍ତିଭାସନଙ୍କୁ ଏନେଇ ଅବଗତ କରାଇଥିଲେ ସେ । ବ୍ରହ୍ମପୁର ଉପଜିଲ୍ଲାପାଳ ଉଭୟଙ୍କୁ ରେଡକ୍ରସ୍ ପାଣ୍ଠିରୁ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ତାଙ୍କରି ଆହ୍ୱାନକ୍ରମେ ସହରର ବହୁ ବ୍ୟକ୍ତିବିଶେଷ ମଧ୍ୟ ଦୁହିଁଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି । ରୋଟାରୀ କ୍ଲବ୍ ତରଫରୁ ମଧ୍ୟ ବେଶ ମାତ୍ରାରେ ଆର୍ଥିକ ସହାୟତା ସହ ବ୍ଲେଜର୍, ସୁଟ୍ ଓ କିଟ୍ ପ୍ରଦାନ କରାଯାଇଥିଲା । ସହରର କିଛି ବୁଦ୍ଧିଜୀବୀ ଓ କ୍ରୀଡାପ୍ରେମୀ, ଦଳମତ ନିର୍ବିଶେଷରେ ସମସ୍ତ ଦଳର ପ୍ରତିନିଧି ମଧ୍ୟ ବ୍ୟକ୍ତିଗତ ଭାବେ ଏବଂ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ଦୁହିଁଙ୍କ ଥାଇଲାଣ୍ଡ ଗସ୍ତ ମାର୍ଗ ସୁଗମ କରିଥିଲେ । ବ୍ରହ୍ମପୁର ଫିଜିକାଲ ଏକାଡେମୀର କୋଚ୍ ହାବିଲଦାର ସୀମାଞ୍ଚଳ ବାରିକଙ୍କ ଠାରୁ ତାଲିମ ଗ୍ରହଣ କରିଛନ୍ତି ଡି.ସନ୍ଦୀପ ଓ ପଞ୍ଚାନନ ।
ଚଳିତ ବର୍ଷ ଜାନୁୟାରୀ ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ଗୋଆର ମଡଗାଁଓ ଠାରେ ରୁରାଲ ଗେମ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ୟୁଥ୍ ଅଲିମ୍ପିକ୍ରେ ପଞ୍ଚାନନ ୪୦୦ମିଟର ଓ ୮୦୦ମିଟର ଦୌଡରେ ଶୀର୍ଷ ସ୍ଥାନ ପାଇଥିଲେ । ସନ୍ଦୀପ ୧୦୦ ଓ ୨୦୦ ମିଟର ରନିଂରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଦୁହେଁ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ଏଥିସହ ଥାଇଲାଣ୍ଡ ଓପନ୍ ଇଣ୍ଟର ନ୍ୟାସନାଲ୍ ପାଇଁ ଦୁହେଁ ଚୟନ ହୋଇଥିଲେ । ପ୍ରଶାସନ ସହାୟତା ପାଇବା ପରେ ଦୁହେଁ ମଙ୍ଗଳବାର ସକାଳେ କୋଲକାତା ଯାତ୍ରା କରିଛନ୍ତି । ଏହି ଅବସରରେ ଡେପୁଟି ମେୟର ଇ.ବିବେକ ରେଡ୍ଡି, ସହକାରୀ ଜିଲ୍ଲାପାଳ ବିନୋଦ ବେହେରା, ରୋଟାରୀ କ୍ଲବ୍ କର୍ମକର୍ତ୍ତାମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *