ପୁଣି ବଢ଼ିବ ରେପୋ ରେଟ୍

ମୁମ୍ବାଇ,୨୩ା୫: ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସୁ ନାହିଁ । ସବୁ ସାମଗ୍ରୀର ଦର ବଢିଚାଲିଛି । ଏ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସିଏନ୍ବିସି-ଟିଭି ୧୮କୁ ସାକ୍ଷାତ କାର ଦେଇ ଶ୍ରୀ ଦାସ ଜୁନ୍ରେ ହିଁ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରାଯିବା ସମ୍ପର୍କରେ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ଜୁନ୍ ପ୍ରଥମ ସପ୍ତାହରେ ପୁନର୍ବାର ମୌଦ୍ରିକ ନୀତି (ମନିଟାରୀ ପଲିସି) ବୈଠକ ଡକାଯିବ ।
ରିଜର୍ଭ ବ୍ୟାଙ୍କ ଖୁଚୁରା ମହଙ୍ଗା ହାର ସମ୍ପର୍କରେ ଯେଉଁ ଆକଳନ କରିଥିଲେ, ଗତ ୪ ମାସ ହେଲା ତା’ଠାରୁ ଉଚ୍ଚସ୍ତରରେ ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସ କହିଛନ୍ତି, “ନୀତିଗତ ଦରରେ ବୃଦ୍ଧି ସମ୍ଭାବନା ରହିଛି । ଏ ବାବଦରେ ବିଶେଷ ଚିନ୍ତା କରିବାର କିଛି ନାହିଁ । କିନ୍ତୁ (ରେପୋ ରେଟ୍) ବୃଦ୍ଧି କେତେ ହେବ, ସେ ବିଷୟରେ ମୁଁ କିଛି ହେଲେ କହିବା ସ୍ଥିତିରେ ନାହିଁ । ରେପୋ ରେଟ୍ ବଢ଼ି ୫.୧୫ ପ୍ରତିଶତ ହେବ, ଏକଥା ସମ୍ଭବତଃ ଠିକ୍ ନୁହେଁ ।”
ମନିଟାରୀ ପଲିସି କମିଟି (ଏମ୍ପିସି)ର ଆଗାମୀ ବୈଠକ ଜୁନ୍ ୬ ରୁ ଆରମ୍ଭ ହୋଇ ୮ରେ ସରିବ । ଉଲ୍ଲେଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥାଇ ଚଳିତ ମାସ ଆରମ୍ଭରେ ଏନ୍ପିସିର ଜରୁରୀ ବୈଠକ ଡକାଯାଇଥିଲା ଏବଂ କମିଟିର ନିଷ୍ପତ୍ତି ଅନୁସାରେ ରେପୋ ରେଟ୍ରେ ୦.୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଗତ ୪ବର୍ଷ ଭିତରେ ଏହା ଥିଲା ପ୍ରଥମ ରେପୋ ରେଟ୍ ବୃଦ୍ଧି ।
ଏପ୍ରିଲ୍ ମାସର ମୌଦ୍ରିକ ନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ ରୁଷ୍-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱବ୍ୟାପୀ ଉତ୍ତେଜନା ବୃଦ୍ଧି ପ୍ରସଙ୍ଗ ଦର୍ଶାଇ ଦେଶର ମୁଦ୍ରାସ୍ଫୀତି ୪.୫ ରୁ ବଢ଼ି ୫.୭ ପ୍ରତିଶତ ହେବ ବୋଲି ଆକଳନ କରିଥିଲା; ତା’ସହିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଜିଡିପି (ମୋଟ୍ ଘରୋଇ ଉତ୍ପାଦନ) ଆକଳନକୁ ୭.୮ ରୁ କମାଇ ୭.୨ ପ୍ରତିଶତ କରିଥିଲା ।
ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି, ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ମିଳିତ ଭାବେ ନୂଆ ନୂଆ ପଦକ୍ଷେପ ନେବା ଆରମ୍ଭ କରାଯାଇଛି । ଗତ ୨-୩ ମାସ ଭିତରେ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ କାବୁ କରିବା ଲାଗି ଅନେକ କାର୍ଯ୍ୟ କରିଛି ।
ଅନ୍ୟପକ୍ଷେ, କେନ୍ଦ୍ର ସରକାର ଗହମ ରପ୍ତାନୀ ବ୍ୟାନ କରିବା ସହ ପେଟ୍ରୋଲ ଓ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ (ଏକ୍ସାଇଜ୍ ଡୁ୍ୟଟି) କମାଇଛନ୍ତି । ଏହିସବୁ ଉପାୟ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ସହାୟକ ହେବ । ଲଗାତାର ବଢୁଥିବା ମୁଦ୍ରାସ୍ଫୀତିକୁ ୨ରୁ ୬ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଦାୟିତ୍ୱ ରିଜର୍ଭ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏବେ କିନ୍ତୁ ମୁଦ୍ରାସ୍ଫୀତି ଏହି ସ୍ତରରୁ ଊଦ୍ଧ୍ୱର୍ରେ ଅଛି ।
ଶ୍ରୀ ଦାସ କହିଛନ୍ତି, “ରୁଷ୍ ଓ ବ୍ରାଜିଲ୍କୁ ଛାଡି ପ୍ରାୟ ସବୁ ଦେଶରେ ସୁଦ୍ଧ ହାର ନିମ୍ନ ସ୍ତରରେ ଅଛି । ବିକଶିତ ଦେଶଗୁଡିକର ମୁଦ୍ରାସ୍ଫୀତି ଲକ୍ଷ ପ୍ରାୟ ୨ ପ୍ରତିଶତ । କିନ୍ତୁ ଜାପାନ ଏବଂ ଅନ୍ୟ ଏକ ଦେଶକୁ ଛାଡିଦେଲେ ଅବଶିଷ୍ଟ ସବୁ ବିକଶିତ ଦେଶରେ ମୁଦ୍ରାସ୍ଫୀତି ୭ ପ୍ରତିଶତ ଉପରେ ଅଛି ।
ବିତ୍ତୀୟ ନିଅଣ୍ଟ (ଫିସ୍କାଲ୍ ଡେଫିସିଟ୍) ସମ୍ପର୍କରେ ଦାସ କହିଛନ୍ତି, ସରକାର ଏ ସମ୍ପର୍କିତ ଲକ୍ଷ୍ୟ ହାସଲ କରିବା ସମ୍ଭାବନା ଅଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ୬.୪ ପ୍ରତିଶତ ରହିପାରେ । ଋଣ ସୀମା ବଢାଇବା ସମ୍ଭବତଃ ଆବଶ୍ୟକ ହେବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *