ଡରାଉଛି ମଙ୍କିପକ୍ସ
୧୫ ଦିନରେ ୧୫ ଦେଶକୁ ସଂକ୍ରମିତ
ଆକ୍ସନ ମୋଡ୍ରେ ଭାରତ ସରକାର
ନୂଆଦିଲ୍ଲୀ (ଏଜେନ୍ସି): କରୋନା ମହାମାରୀରେ ପୀଡ଼ିତ ସମଗ୍ର ବିଶ୍ୱ ଏବେ ମଙ୍କିପକ୍ସ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାରେ ଲାଗିଛି । ମାତ୍ର ୧୫ ଦିନ ମଧ୍ୟରେ ବିଶ୍ୱର ୧୫ ଦେଶକୁ ଏହି ରୋଗ ସଂକ୍ରମିତ ହୋଇସାରିଛି । ସ୍ଥିତି ଏବେ ଏପରି ହୋଇଛି ମଙ୍କିପକ୍ସ ପାଇଁ ମଧ୍ୟ କରୋନା ଭଳି ଆଇସୋଲେସନ୍ ବ୍ୟବସ୍ଥା ଆରମ୍ଭ କରାଯାଉଥିବା ଦେଖିବାକୁ ମିଳୁଛି । ଶୁକ୍ରବାର ଦିନ ବେଲଜିୟମ୍ ସରକାର ନିଜ ଦେଶରେ ମଙ୍କିପକ୍ସ ରୋଗୀଙ୍କ ପାଇଁ ୨୧ ଦିନିଆ କ୍ୱାରାଣ୍ଟାଇନ୍ ଅବଧି ବାଧ୍ୟତାମୂଳକ ଘୋଷଣା କରିଛନ୍ତି । ଏଥିସହ ମଙ୍କିପକ୍ସ ପାଇଁ କୌଣସି ଦେଶ କ୍ୱାରାଣ୍ଟାଇନ୍ ବା ଆଇସୋଲେସନ୍ ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ବେଲଜିୟମ ପ୍ରଥମ ଦେଶ ପାଲଟିଯାଇଛି । ପ୍ରକାଶ, ବେଲଜିୟମ୍ରେ ସମ୍ପ୍ରତି ମଙ୍କିପକ୍ସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉଦେ୍ଦଶ୍ୟରେ ବେଲ୍ଜିୟମ୍ ସରକାର ଏପ୍ରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏସବୁୂ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଏସମ୍ପର୍କରେ ଚେତାବନୀ ଜାରି କରିସାରିଛି । ଯେକୌଣସି ଦେଶରେ ଗୋଟିଏ ମଙ୍କିପକ୍ସ ସଂକ୍ରମଣଜନିତ ମାମଲାକୁ ଆଉଟବ୍ରେକ୍ ବିଚାର କରାଯିବ ବୋଲି ହୁ’ କହିଛି ।
ଅନ୍ୟପକ୍ଷେ ବିଶ୍ୱସ୍ତରରେ ମଙ୍କିପକ୍ସ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ ମଧ୍ୟ ଆଲର୍ଟ ଜାରି କରିଦିଆଯାଇଛି । ସୋମବାର ମୁମ୍ବାଇର ବୃହନ୍ମୁମ୍ବାଇ ନଗର ନିଗମ (ବିଏମ୍ସି) ଏଠାରେ ଥିବା କସ୍ତୁରବା ହସ୍ପିଟାଲରେ ମଙ୍କିପକ୍ସ ସଂକ୍ରମିତ ରୋଗୀଙ୍କ ପାଇଁ ୨୮ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରାଇଥିବା ଜାଣିବାକୁ ମିଳିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଦେଶରେ ମଙ୍କିପକ୍ସ ସଂକ୍ରମଣଜନିତ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ, ତଥାପି ଭାରତ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦ୍ରୁତଗତିରେ ବୃଦ୍ଧି ପାଉଥିବା ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (ଏନ୍ସିଡ଼ିସି) ଏବଂ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍)କୁ ଏନେଇ ଆଲର୍ଟ ଜାରି କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରାୟ ସମସ୍ତ ବିମାନ ବନ୍ଦର ଏବଂ ସାମୁଦ୍ରିକ ବନ୍ଦର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ମଙ୍କିପକ୍ସ ପ୍ରଭାବିତ ଦେଶଗୁଡ଼ିକରୁ ଆସୁଥିବା ନାଗରିକମାନଙ୍କୁ ତୁରନ୍ତ ସେହି ସ୍ଥାନରୁ ହିଁ ଚିହ୍ନଟ କରିବା ସହ ସେମାନଙ୍କୁ ଆଇସୋଲେସନ୍ରେ ରଖିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଇବାର ସବୁପ୍ରକାର ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏତଦ୍ବ୍ୟତୀତ ବିଦେଶାଗତଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ଏବଂ ସେଗୁଡ଼ିକୁ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ ଅଫ୍ ଭାଇରୋଲୋଜି (ଏନ୍ଆଇଭି)କୁ ପଠାଇବାକୁ ମଧ୍ୟ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍, ଆମେରିକା, ଇଟାଲୀ, ସ୍ୱିଡେନ୍, ଫ୍ରାନ୍ସ, ସ୍ପେନ୍, ପର୍ତ୍ତୁଗାଲ, ଜର୍ମାନୀ, ଅଷ୍ଟ୍ରେଲିଆ, କାନାଡା, ବେଲଜୟିମ, ନେଦରଲ୍ୟାଣ୍ଡ, ଇସ୍ରାଏଲ, ଅଷ୍ଟି୍ରଆ ଏବଂ ସ୍ୱିଜରଲ୍ୟାଣ୍ଡ ଆଦି ଦେଶରେ ମଙ୍କିପକ୍ସ ସଂକ୍ରମଣଜନିତ ମାମାଲା ସାମ୍ନାକୁ ଆସିଛି । କେବଳ ୨ ସପ୍ତାହ ମଧ୍ୟରେ ବିଶ୍ୱସ୍ତରରେ ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧ଠଠରେ ପହଞ୍ଚôଛି । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କାହାର ମୃତୁ୍ୟ ହୋଇନାହିଁ । ତେବେ ଡାକ୍ତରୀ ରିପୋର୍ଟ ଅନୁସାରେ ବିଶେଷତଃ ଗର୍ଭବତୀ ଏବଂ ୫ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ମଙ୍କିପକ୍ସ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ । ଅଧିକାଂଶ ମାମଲାରେ ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ରୋଗୀ ପ୍ରାୟତଃ ୨୧ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଉଥିବା ଦେଖିବାକୁ ମିଳୁଥିବା ବେଳେ ଆଉ କେତେକାଂଶରେ ଏହା ଅଧିକ ଗୁରୁତର ସାବ୍ୟସ୍ତ ହୋଇଥିବା ମଧ୍ୟ ଜଣାପଡିଛି । ଗର୍ଭବତୀ, ଶିଶୁଙ୍କୁ ବାଦ୍ଦେଲେ କମ୍ ପ୍ରତିରୋଗ ଶକ୍ତି ସମ୍ପନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ ମଙ୍କିପକ୍ସ ବିପଦ ସୃଷ୍ଟି କରିପାରେ ।
ହୁ’ ଅନୁସାରେ ମଙ୍କିପକ୍ସ ଏକ ଭାଇରାଲ ଭୂତାଣୁ ଯାହାକି ମୁଖ୍ୟତଃ ଛୁଆଁଛୁଇଁ କାରଣରୁ ଜଣକ ଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହୋଇଥାଏ । ୧୯୫୮ରେ ଏକ ମାଙ୍କଡ଼ ଠାରୁ ଏହି ଭୂତାଣୁକୁ ଠାବ କରାଯାଇଥିଲା । କିନ୍ତୁ ୧୯୭ଠ ବେଳକୁ ପ୍ରଥମଥର ପାଇଁ କୌଣସି ମଣିଷଙ୍କ ଠାରେ ଏହି ଭୂତାଣୁ ସଂକ୍ରମଣ ଚିହ୍ନଟ କରାଗଲା । ମଙ୍କିପକ୍ସ ସଂକ୍ରମଣ ମୁଖ୍ୟତଃ ଆଖି, ନାକ ଏବଂ ମୁହଁ ମାଧ୍ୟମରେ ଶରୀରକୁ ସଂକ୍ରମିତ କରିଥାଏ । ରୋଗୀର କପଡ଼ା, ଖାଇବା ପାତ୍ର, ଶୋଇବା ବିଛଣା ଏବଂ ସେ ବ୍ୟବହାର କରୁଥିବା ଯେକୌଣସି ସାମଗ୍ରୀ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଭୂତାଣୁ ଜଣେ ସୁସ୍ଥ ବ୍ୟକ୍ତିକୁ ମଧ୍ୟ ସଂକ୍ରମିତ କରିପାରେ । ଏତଦ୍ବ୍ୟତୀତ ମାଙ୍କଡ଼, ମୂଷା ତଥା ଅନ୍ୟ ଜୀବଜନ୍ତୁଙ୍କ ରକ୍ତ, ମଳମୂତ୍ର ସଂସ୍ପର୍ଶରେ ଆସିଲେ କିମ୍ବା ସେମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେବା ଦ୍ୱାରା ମଧ୍ୟ ମଙ୍କିପକ୍ସ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥାଏ । ମୁଖ୍ୟତଃ ଏହି ଭୂତାଣୁ ମଧ୍ୟ ଏବଂ ପଶ୍ଚିମ ଆଫ୍ରିକୀୟ ଦେଶମାନଙ୍କରେ ଦେଖିବାକୁ ମିଳିଥାଏ । ନାଇଜେରିଆ, ଘାନା ଏବଂ ଡିଆର କାଙ୍ଗୋ ଭଳି ଦେଶରେ ମଙ୍କିପକ୍ସଜନିତ ସଂକ୍ରମଣ ଏକ ସାମାନ୍ୟ ରୋଗ ଭାବେ ବିବେଚିତ ହୋଇଥାଏ ।