ସର୍ବସାଧାରଣରେ ରହିବ ସଡ଼କ ଦୁର୍ଘଟଣା ତଥ୍ୟ
ଭୁବନେଶ୍ୱର (ବୁ୍ୟରୋ): ସଡ଼କ ସୁରକ୍ଷା ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏଣିକି ସର୍ବସାଧାରଣରେ ସଡ଼କ ଦୁର୍ଘଟଣାର ତଥ୍ୟ ରହିବ । ଜିଲ୍ଲାରେ ମାସକ ଭିତରେ କେତେ ଦୁର୍ଘଟଣା ଘଟୁଛି, ତାହା ସର୍ବସାଧାରଣରେ ଉପଲବ୍ଧ ହେବ । ଜିଲ୍ଲା ୱେବ୍ସାଇଟ୍, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ୱେବ୍ସାଇଟ୍ରେ ଦୁର୍ଘଟଣା ତଥ୍ୟ ପ୍ରକାଶ କରିବାକୁ ଜିଲ୍ଲା ସଡ଼କ ସୁରକ୍ଷା କମିଟିଗୁଡ଼ିକୁ କୁହାଯାଇଛି ।
ଏଥିସହ ସବୁ ଜିଲ୍ଲାର ସଡ଼କ ସୁରକ୍ଷା କମିଟି ପୁନର୍ଗଠିତ ହୋଇଛି । ଏହି କମିଟି କିପରି କାର୍ଯ୍ୟ କରିବ ସେନେଇ ବିସ୍ତୃତ କାର୍ଯ୍ୟାବଳୀ ଜାରି କରାଯାଇଛି । କମିଟି ଜିଲ୍ଲାରେ ସଡ଼କ ଦୁର୍ଘଟଣାଗୁଡ଼ିକର ସମୀକ୍ଷା କରିବ । ରାଜ୍ୟ ସଡ଼କ ସୁରକ୍ଷା ନୀତି କାର୍ଯ୍ୟାନ୍ୱୟନର ତଦାରଖ ସହ ଏହା ଅଧୀନରେ ଲକ୍ଷ୍ୟ ଧାର୍ଯ୍ୟ ହେବ । ସୁପ୍ରିମକୋର୍ଟ କମିଟି, ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶର କାର୍ଯ୍ୟକାରୀ କରିବ କମିଟି । ଜିଲ୍ଲାରେ ହେଉଥିବା ଦୁର୍ଘଟଣାର ବିସ୍ତୃତ ତଥ୍ୟ ରାଜ୍ୟ ସଡ଼କ ସୁରକ୍ଷା ପରିଷଦକୁ ନିୟମିତ କମିଟି ଜଣାଇବ । ଯେଉଁଥିରେ ଯାନ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବ । ଏଥିସହ ଦୁର୍ଘଟଣାର କାରଣ, ଘଟଣାସ୍ଥଳ ତଦନ୍ତ, ଉଲ୍ଲଙ୍ଘନକାରୀ, ପୀଡ଼ିତଙ୍କ ସ୍ଥିତି, ଆଘାତର ପ୍ରକାର, ଏଫ୍ଆଇଆର ଆଦି ସମ୍ପର୍କରେ ଜଣାଇବେ । ଏମର୍ଜେନ୍ସି ମେଡିକାଲ୍ ପ୍ଲାନ୍ ପ୍ରସ୍ତୁତ କରିବା, ଏମର୍ଜେନ୍ସି କେସ୍ରେ ହସ୍ପିଟାଲ୍ରେ ଶଯ୍ୟା ଉପଲବ୍ଧତା ଜାଣିବା ପାଇଁ ହସ୍ପିଟାଲ୍ ସହ ଯୋଗାଯୋଗ ରଖିବା, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବା ଆଦି ବିଭିନ୍ନ ଦିଗରେ ଏହି କମିଟି କାର୍ଯ୍ୟ କରିବ । ଏହାଛଡ଼ା ଜିଲ୍ଲା ସଡ଼କ ସୁରକ୍ଷା ପ୍ଲାନ୍ ବିକଶିତ କରିବେ । ୧୫ ଦିନରେ ଅନ୍ତତ ଥରେ ଭର୍ଚୁଆଲ୍ରେ ଏବଂ ମାସକୁ ଥରେ ଜିଲ୍ଲାପାଳ ସ୍ଥିର କରିଥିବା ସ୍ଥାନରେ କମିଟିର ଶାରୀରିକ ବୈଠକ ହେବ ।
ପୁନର୍ଗଠିତ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ଏବଂ ରାଜପଥ ପ୍ରଶାସକ (ହାଇୱେ ଆଡ୍ମିନିଷ୍ଟ୍ରେଟର) ସଦସ୍ୟ ସଚିବ ରହିବେ । ଏହି କମିଟିରେ ସଦସ୍ୟ ଭାବେ ଡିସିପି/ଏସ୍ପି, ଚିଫ୍ ମେଡିକାଲ ଅଫିସର, ନିର୍ବାହୀ ଯନ୍ତ୍ରୀ, ପିଡବ୍ଲୁ୍ୟଡି (ରୋଡ୍), ସଡ଼କ ପରିବହନ ମନ୍ତ୍ରାଳୟର ଆଞ୍ଚଳିକ ପ୍ରତିନିଧି, ଏନ୍ଏଚ୍ଏଆଇର ପ୍ରକଳ୍ପ ନିଦେ୍ର୍ଦଶକ, ପୌରାଞ୍ଚଳର ନିର୍ବାହୀ ଅଧିକାରୀ, ଆର୍ଟିଓ, ଡିଇଓ, ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ଦୁଇଜଣ ଅଧିସ୍ୱୀକୃତ ସାମ୍ବାଦିକ, ସିଭିଲ୍ ସୋସାଇଟି ସଂଗଠନର କିମ୍ବା ସଡ଼କ ସୁରକ୍ଷା ପାଇଁ କାମ କରୁଥିବା ଏନ୍ଜିଓରୁ ଜଣେ, ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ବସ୍ ମାଲିକ ସଂଘ ଏବଂ ଟ୍ରକ୍ ମାଲିକ ସଂଘରୁ ଜଣେ ଲେଖାଏଁ ସଦସ୍ୟ ରହିବେ । ତେବେ ଜିଲ୍ଲାରେ ଯଦି ନିର୍ବାହୀ ଯନ୍ତ୍ରୀ/ଅଧୀକ୍ଷଣ ଯନ୍ତ୍ରୀ ଏକାଧିକ ଥିଲେ କିଏ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ ତାହା କମିଟି ଅଧ୍ୟକ୍ଷ ଚୟନ କରିବେ ।