ସରିଲା ବାହାର ଚନ୍ଦନ ଯାତ୍ରା: ଆଜିଠୁ ଭିତର ଚନ୍ଦନ

ପୁରୀ (ବୁ୍ୟରୋ): ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ସୋମବାର ଶେଷ ହୋଇଛି । ମଙ୍ଗଳବାର ଠାରୁ ଆରମ୍ଭ ହେବ ଭିତର ଚନ୍ଦନ । ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁଯାୟୀ ଭିତର ଚନ୍ଦନ ୨୧ଦିନ ମଧ୍ୟରେ ଜ୍ୟେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଏବଂ ରୁକୁଣାହରଣ ଏକାଦଶୀ ଏହି ଚାରିଦିନ ହିଁ ମହାପ୍ରଭୁଙ୍କ ଜଳକ୍ରୀଡ଼ା ନୀତି ହୋଇଥାଏ ।
ସୋମବାର ଅପରାହ୍ଣରେ ଶ୍ରୀମନ୍ଦିରରୁ ଚନ୍ଦନ ଯାତ୍ରା ଲାଗି ଦିଅଁ ବିଜେ ହୋଇଥିଲେ । ମହାପଭୁ ନରେନ୍ଦ୍ର ଚକଡ଼ାରେ ବିଜେ ହେବାପରେ ଭିତରଚ୍ଛ ମହାପାତ୍ର ସେବକ ଜଳ ଲାଗି କରିଥିଲେ । ପରେ ଦିଅଁ ଚାପକୁ ବିଜେ ହୋଇଥିଲେ । ଚାପରେ ମୁଦିରସ୍ତ ସେବକ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ପ୍ରସାଦ ଲାଗି କରିଥିଲେ । ଏହା ପରେ ଦିନ ଚାପ ଆରମ୍ଭ ହୋଇଥିଲା । ନନ୍ଦା ଚାପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଭଦ୍ରା ଚାପରେ ରାମକୃଷ୍ଣ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥିଲେ । ଦିନଚାପ ନୀତି ସରିବା ପରେ ନନ୍ଦା ଓ ଭଦ୍ରା ଚାପ ଏକାଠି ଯୋଡ଼ି ହୋଇ ରହିଥିଲା । ରାମକୃଷ୍ଣ ମଦନମୋହନଙ୍କ ଚାପକୁ ବିଜେ ହୋଇଥିଲେ । ମୁଦିରସ୍ତ ସେବକ ହଳଦୀପାଣି ପିଚିକାରୀ ମାରି ଦିଅଁଙ୍କ ଶ୍ରୀପୟର ଧୋଇଥିଲେ । ଭିତରଚ୍ଛ ବନ୍ଦାପନା କରି ସାରିବା ପରେ ମୁଦିରସ୍ତ ସେବକ ଚାମର ଆଲଟ କରି ରାଜନୀତି ସମ୍ପନ୍ନ କରିଥିଲେ ।
ଦିଅଁ ଚନ୍ଦନ ମଣ୍ଡପ ଗର୍ଭଗୃହକୁ ବିଜେ ହୋଇଥିଲେ । ସେଠାରେ ମଇଲମ ହୋଇ ସାଦା ବେଶ ହେବାପରେ ଶୀତଳଭୋଗ ବଢ଼ିଥିଲା । ଝୁଲଣକୁଞ୍ଜ ଲାଗି ହୋଇ ଠାକୁରଙ୍କ ବେଶ ହୋଇଥିଲା । ପରେ ଦିଅଁ ମାଣ୍ଡୁଅ ଭୋଗ ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ ।
ସୂଚନାଥାଉକି, ବର୍ଷକେ ଥରେ ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି । ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ଲାଗି ମହାପ୍ରଭୁ ଅକ୍ଷୟ ତୃତୀୟାଠାରୁ ୨୧ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତମାନେ ବ୍ୟାକୁଳ ଭାବେ ଚାହିଁ ରହିଥାନ୍ତି । ହେଲେ ମହାମାରୀ କରୋନା ଯୋଗୁଁ ଲଗାତାର ଦୁଇବର୍ଷ ଧରି ମହାପ୍ରଭୁଙ୍କ ଜଳକ୍ରୀଡ଼ା ନୀତି ଦେଖିବାରୁ ବଞ୍ଚôତ ରହିଛନ୍ତି ଶ୍ରଦ୍ଧାଳୁ । ଗତବର୍ଷ ବାହାର ଚନ୍ଦନ ଯାତ୍ରା ବନ୍ଦ କରାଯାଇ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ସମ୍ପନ୍ନ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *