ଜଙ୍ଗଲ ଜମି ଜବରଦଖଲ ବିରୋଧରେ ଆଦିବାସୀ ମେଳି

ଚୌଦ୍ୱାର (ଆପ୍ର): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅଧିନ କରଞ୍ଜି ଗାମରେ ଥିବା ଜଙ୍ଗଲ ଜମି ଜବର ଦଖଲ ହେଉଥିବା ଏବଂ ବାହାରର ପ୍ରତିଷ୍ଠିତ ବ୍ୟକ୍ତିମାନେ ଜଙ୍ଗଲ ଜମିରେ କୋଠା ମାନ ନିର୍ମାଣ କରୁଥିବା ଅଭିଯୋଗ କରି ସ୍ଥାନୀୟ ଆଦିବାସୀ ମାନେ ମେଳି କରିବା ସହିତ ଜଙ୍ଗଲ ଜମି ଜବରଦଖଲର ତୀବ୍ର ପ୍ରତିବାଦ କରିଛନ୍ତି । ସୂଚନାରୁ ପ୍ରକାଶଯେ କରଞ୍ଜି ଓ ଏହା ଆଖପାଖ ଜଙ୍ଗଲଘେର ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଶହଶହ ବର୍ଷ ଧରି ବସବାସ କରୁଥିବାବେଳେ ଜଙ୍ଗଲର ସୁରକ୍ଷା କରିବା ସହିତ ଜଙ୍ଗଲ ଜମି ଚାଷକରି ପରିବାର ଚଳାଇ ଆସୁଛନ୍ତି । ହେଲେ କିଛି ପ୍ରଭାବଶଳୀ ବ୍ୟକ୍ତି ଏହି ଜଙ୍ଗଲ ଜମିକୁ ଜବରଦଖଲ କରି ସେହି ଜମିରେ କୋଠାଘର, ପାଣି ପମ୍ପ ଆଦି ନିର୍ମାଣ କରିଛନ୍ତି । ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରେ ଉକ୍ତ ବ୍ୟକ୍ତି ଆଦିବାସୀମାନଙ୍କ ନାନାମତେ ଡରାଇବା ସହିତ ସେମାନଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଦିବାସୀ ଅଧିକାର ମଞ୍ଚର ନେତୃତ୍ୱରେ ସୋମବାରଦିନ ସ୍ଥାନୀୟ ଅଞ୍ଚଳର ବହୁ ଆଦିବାସୀ ପୁରୁଷ ଓ ମହିଳାମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି କରଞ୍ଜି ପଞ୍ଚାୟତ ନିକଟରେ ମେଳି କରିଥିଲେ ।
ସିପିଆଇ (ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟା ପୁଷ୍ପା ଦାସ, ସୁରେଶ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ବଦ୍ରି ନାରାୟଣ ଦାସ, ଟାଙ୍ଗୀ- ଚୌଦ୍ୱାର ବ୍ଲକ୍ ଆଞ୍ଚଳିକ କମିଟି ସମ୍ପାଦକ ବିଷ୍ଣୁ ବେହେରା, ରମେଶ ବେହେରା ପ୍ରମୁଖ ଏହି ମେଳିରେ ଯୋଗଦେଇ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଜଙ୍ଗଲ ଜମିର ଏଭଳି ଜବରଦଖଲକୁ ତୀବ୍ର ବିରୋଧ କରିଥିଲେ । ଦୀର୍ଘ ବର୍ଷଧରି ଜଙ୍ଗଲରେ ରହି ଏହାକୁ ସୁରକ୍ଷା ଦେଉଥିବା ଗରିବ ଆଦିବାସୀ ମାନଙ୍କୁ ଜମି ପଟ୍ଟା ମିଳୁ ନଥିବାବେଳେ ବାହାରର ପ୍ରଭାବ ଶାଳୀ ବ୍ୟକ୍ତିମାନେ କାହା ସାହସରେ ଜଙ୍ଗଲ ଜବରଦଖଲ କରୁଛନ୍ତି ବୋଲି ବକ୍ତାମାନେ ପ୍ରଶ୍ନ କରିଥିଲେ । ଜବରଦଖଲକାରୀଙ୍କ ନିକଟରୁ ଜଙ୍ଗଲ ଜମି ଉଦ୍ଧାର କରିବା ସହିତ ଘରଡ଼ିହ ନଥିବା ଆଦିବାସୀମାନଙ୍କୁ ସରକାର ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବାକୁ ମେଳିରେ ଦାବି କରାଯାଇଥିଲା । ଆଦିବାସୀ ନେତା ସୁନାରାମ ହେମ୍ବ୍ରମ୍ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳିକୁ ମଞ୍ଚର ବ୍ଲକ୍ ସମ୍ପାଦକ ଚନ୍ଦ୍ର ମୋହନ ମାଝୀ, ମୁକୁନ୍ଦ କୁଇଁକେଲ, ରସିକ କୁଇଁକେଲ, ଟୁକୁନୀ ସଏ, ସଂଜୁ ତିରିଆ, ନରେନ୍ଦ୍ର ହେମ୍ବ୍ରମ ପ୍ରମୁଖ ପରିଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *