ଗୋଟିଏ ସିଜନ୍ରେ ହଜାରେ ଛକା
ଆଇପିଏଲ୍ରେ ନୂଆ ରେକର୍ଡ
କୋଲକାତା,୨୩ା୫ (ଏଜେନ୍ସି): ସନ୍ରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗସ୍ ମ୍ୟାଚ୍ରୁ ଆଇପିଏଲ୍-୨୦୨୨ ଲିଗ୍ର ଅନ୍ତ ଘଟିଛି । ଏହି ଅନ୍ତିମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟ୍ରେ ପରାସ୍ତ କରିଥିଲା । ହାଇଦ୍ରାବାଦ ବନାମ ପଞ୍ଜାବ ମ୍ୟାଚ୍ ସମୟରେ ସମୁଦାୟ ୧୫ଟି ଛକା ମାରିଥିବାବେଳେ ଏଥିସହ ଚଳିତ ଆଇପିଏଲ୍ରେ ଏକ ହଜାର ଛକାର ଇନିଂସ୍ ଅତିକ୍ରମ କରିଛି । ଆଇପିଏଲ୍ ଇତିହାସରେ ଏପରି ପ୍ରଥମ ଥର ହୋଇଥିଲା ଯେ, ଯେତେବେଳେ ଏକ ସିଜନ୍ରେ ଏକ ହଜାର ଛକା ମାରିଥିଲେ ।
ଏହା ପୂର୍ବରୁ ୨୦୧୮ରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ରହିଥିଲା । ସେସମୟରେ ୮୭୨ ଛକା ମାରିଥିବାବେଳେ ୨୦୧୯ରେ ୭୮୪ ଏବଂ ୨୦୨୦ରେ ୭୩୪ ଛକା ମାରିବାର ରେକର୍ଡ ରହିଛି । ଲିଗ୍ ଷ୍ଟେଜ୍ରେ ଏଯାଏଁ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ରାଜସ୍ଥାନ ରୟାଲ୍ସର ଓପନର୍ ବ୍ୟାଟ୍ସମ୍ୟାନ୍ ଜସ୍ ବଟଲର୍ଙ୍କ ନାଁରେ ରହିଥିଲା । ଜସ୍ ଏହି ସିଜନ୍ରେ ଖେଳିଥିବା ୧୪ଟି ମ୍ୟାଚ୍ରୁ ସର୍ବାଧିକ ୩୭ ଛକା ମାରିଛନ୍ତି । ଏହି ତାଲିକାରେ ବଟଲର୍ଙ୍କ ପରେ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍(୩୪), ଆଣ୍ଡ୍ରେ ରସେଲ୍(୩୨), କେଏଲ୍ ରାହୁଲ(୨୫) ଏବଂ ରାଓମେନ୍ ପାୱେଲ(୨୨)ଙ୍କ ନାଁ ସାମିଲ୍ ଅଛି ।
ଚଳିତ ଆଇପିଏଲ୍ର ପ୍ରତ୍ୟେକଟି ମ୍ୟାଚ୍ରେ ହାରାହାରି ୧୪ରୁ ଅଧିକ ଛକା ହୋଇଥିବାବେଳେ ବାକି ଥିବା ଆଉ ୪ଟି ମ୍ୟାଚ୍ରେ ଛକା ସଂଖ୍ୟା ମିଶାଇଲେ ୧୦୫୦ ପାର୍ କରିପାରେ, ଯାହାକି ଆଉ ଏକ ରେକର୍ଡ ହୋଇଯିବ । ଏଥର ମୁମ୍ବାଇ ଏବଂ ପୁଣେରେ ଲିଗ୍ ମ୍ୟାଚ୍ ଖେଳାଯାଇଥିବାବେଳେ ସେଠାକାର ପିଚ୍ରେ ଧୂଆଁଧାର ରନ୍ ହେବା ସହ ସମସ୍ତ ଟିମ୍ର ଖେଳାଳି ଛକା ମାରି ନୂଆ ରେକର୍ଡ କରିବାର ସୁଯୋଗ ପାଇପାରିଛନ୍ତି ।