ବ୍ଲକ୍ ଅଫିସ୍ ଆଗରେ ଜବ୍କାର୍ଡଧାରୀଙ୍କ ବିକ୍ଷୋଭ
ମନରେଗାରେ ଦୁର୍ନୀତି ଅଭିଯୋଗ
ଶେରଗଡ଼ (ଆପ୍ର): ମୂଲ ମଜୁରି କରି ପେଟ ପୋଷୁଥିବା ଶ୍ରମିକ ଓ ଶ୍ରମଜୀବୀ ପରିବାରକୁ କାମ ଯୋଗାଇବା ଲାଗି ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ତଳସ୍ତରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗାଁ ଗହଳିର ଶ୍ରମିକମାନଙ୍କୁ ପଞ୍ଜୀକୃତ କରାଇ ସେମାନଙ୍କ ଦ୍ୱାରା ହେଉଥିବା କାର୍ଯ୍ୟ ସେହି ଶ୍ରମିକଙ୍କ ଦ୍ୱାରା ନକରାଇ ମେସିନ ଦ୍ୱାରା କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ ପରେ ଗତ ଅପ୍ରେଲ ମାସଠାରୁ ଶେରଗଡ଼ ବ୍ଲକରେ ଆରମ୍ଭ ହୋଇଥିବା ମନରେଗା କାର୍ଯ୍ୟରେ ଶ୍ରମିକ ନିୟୋଜିତ କରି କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଶେରଗନ ବ୍ଲକ ଧବଳପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୋମବାର ଗ୍ରାମର ଶହ ଶହ ମହିଳା ଓ ପୁରୁଷ ଏକତି୍ରତ ହୋଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ, ଜବ କାର୍ଡ ଥାଇ ମଧ୍ୟ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉ ନାହିଁ । ଯଦି ନିୟୋଜିତ କରାଯାଏ ତାହେଲେ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ମଜୁରୀ ଠାରୁ ୧୬୨ ଟଙ୍କା କମ୍ ଅର୍ଥାତ ମାତ୍ର ୬୦ ଟଙ୍କା ଦିଆଯିବ ବୋଲି ନିର୍ବାଚିତ ପ୍ରତିନିଧିମାନେ ପ୍ରକାଶ କରିଥିବା ଜବକାର୍ଡଧାରୀ ମହିଳାମାନେ ଅଭିଯୋଗ କରିଛନ୍ତି । ଏହି ଘଟଣା କୁ ନେଇ ସୋମବାର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣାରେ ବସିଥିଲେ । ଖବରପାଇ ଘଟଣା ସ୍ଥଳରେ ବିଡିଓ ଶମ୍ଭୂନାଥ ନନ୍ଦୀ ପହଞ୍ଚି ଶ୍ରମିକଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କୁ ଜବକାର୍ଡରେ କାମ ଯୋଗାଇ ଦେବା ସହିତ ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀ ଶାନ୍ତ ପଡ଼ିଥିଲେ ।