ୟୁରୋପରେ ମହାସଙ୍କଟ
ଆଉ ମାତ୍ର ୭ଠ ଦିନର ଗହମ ସପ୍ଲାଇ ଷ୍ଟକ୍
ରପ୍ତାନୀ କଟକଣା ହଟାଇବାକୁ କ୍ୱାଡ୍ ବୈଠକରେ
ମୋଦିଙ୍କୁ ଗୁହାରି କରିବେ ବାଇଡନ୍!
ୟୁରୋପରେ ମହାସଙ୍କଟ
ୱାଶିଂଟନ, ୨୨ା୫: ୟୁରୋପର ଶସ୍ୟ ଭଣ୍ଡାର ବା ‘ବ୍ରେଡ୍ ବାସ୍କେଟ୍’ କୁହାଯାଉଥିଲା ୟୁକ୍ରେନ୍ରେ ଯୁଦ୍ଧ ଚାଲିଥିବାରୁ ସେ ଦେଶରୁ ଖାଦ୍ୟଶସ୍ୟ ଆସି ପାରୁନାହିଁ । ଫଳତଃ ସମଗ୍ର ୟୁରୋପରେ ମହାସଙ୍କଟ ଉପୁଜିବାକୁ ଯାଉଛି । ଏଭଳି ଅଭାବନୀୟ ସ୍ଥିତି ଅନିବାର୍ଯ୍ୟ ବୋଲି ଜାତିସଂଘ ମଧ୍ୟ ଚେତାବନୀ ଦେଇଛି । ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପୃଥିବୀରେ ଆଉ ମାତ୍ର ୧୦ ସପ୍ତାହ ପାଇଁ ଗହମ ସପ୍ଲାଇ ଷ୍ଟକ୍ ଅଛି । ୨୦୦୮ ମସିହା ପରେ ଏଭଳି ପରିସ୍ଥିତି ଦେଖା ଦେଇ ନ ଥିଲା । ଗୋ ଇଣ୍ଟେଲିଜେନ୍ସ ରିପୋର୍ଟରେ ମଧ୍ୟ ଠିକ୍ ଏହି କଥା ଦର୍ଶାଯାଇଛି । ୟୁକ୍ରେନ୍ ଓ ଋଷ୍ ପୃଥିବୀର ଏକ-ଚତୁର୍ଥାଂଶ ଗହମ ଆବଶ୍ୟକତା ପୂରଣ କରି ଆସୁଥିଲେ । ରୁଷ୍ ରାଷ୍ଟ୍ରପତି ପୁତିନ୍ ଗହମକୁ ଅସ୍ତ୍ର ରୂପେ ପ୍ରୟୋଗ କରିବା ନେଇ ପାଶ୍ଚାତ୍ୟ ଦେଶମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଯୁଦ୍ଧରେ ରୁଷୀୟ ସୈନିକମାନେ ୟୁକ୍ରେନ୍ର କୃଷି କ୍ଷେତ୍ରଗୁଡ଼ିକୁ ଟାର୍ଗେଟ୍ କରିବା ସହ ୟୁକେନ୍ର ଶସ୍ୟ ଭଣ୍ଡାର ଲୁଟ୍ କରୁଛନ୍ତି । ଗୋ ଇଣ୍ଟେଲିଜେନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାରା ମେନକର ଚେତାବନୀ ଦେଇ କହିଛନ୍ତି ଖାଦ୍ୟସାମଗ୍ରୀ ସପ୍ଲାଇଚେନ୍ ବ୍ୟାହତ ହୋଇଥିବା ଯୋଗୁଁ ୟୁରୋପ ଓ ଆମେରିକା ଏକ ଅସାଧାରଣ ଚାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଫଳତଃ ପୃଥିବୀର ଭୂ-ରାଜନୈତିକ ସ୍ଥିତିରେ ନାଟକୀୟ ପରିବର୍ତ୍ତନ ଘଟିପାରେ । ରୁଷିଆରେ ଚଳିତ ବର୍ଷ ପର୍ଯ୍ୟାପ୍ତ ଗହମ ଅମଳ ହୋଇଛି । ପୁତିନ କିନ୍ତୁ ପୂର୍ବଭଳି ୟୁରୋପକୁ ଗହମ ସପ୍ଲାଇ କରି ନ ପାରନ୍ତି । ଅପରପକ୍ଷେ ପ୍ରତିକୂଳ ପାଗ ଯୋଗୁଁ ୟୁରୋପ ଓ ଆମେରିକାରେ ଗହମ ଫସଲର ବ୍ୟପାକ କ୍ଷତି ଘଟିଛି । ସୋମବାର ଠାରୁ ଜାପାନରେ ଆରମ୍ଭ ହେଉଥିବା କ୍ୱାଡ୍ ଶୀର୍ଷ ସମ୍ମିଳନୀରେ ଗହମ ସଙ୍କଟ ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ୍ ଶିଖର ବୈଠକରେ ଯୋଗ ଦେବା ଲାଗି ରବିବାର ରାତିରେ ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି ।
ପରିବର୍ତ୍ତିତ ପରିସ୍ଥିତିରେ ଭାରତ ଗହମ ରପ୍ତାନୀକୁ ବ୍ୟାନ୍ କରିଦେଇଥିବାରୁ ଆମେରିକା ସମେତ ୟୁରୋପୀୟ ଦେଶମାନେ ଚିନ୍ତିତ । କ୍ୱାଡ୍ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
ସହ ଆଲୋଚନା କରିବା ମଧ୍ୟରେ ଗହମ ରପ୍ତାନୀ ପ୍ରସଙ୍ଗ ଉଠାଇ ପାରନ୍ତି । ଏହାର ସୂଚନା ବାଇଡେନ୍ ପ୍ରଶାସନ ପକ୍ଷରୁ ଦିଆଯାଇଛି । ଭାରତର ପିଡିଏସ୍ ଷ୍ଟକ୍ରୁ ୟୁରୋପକୁ ଗହମ ରପ୍ତାନୀ ପାଇଁ ରାଷ୍ଟ୍ରପତି ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିପାରନ୍ତି ।