୩ ଭ୍ରଷ୍ଟ ବିଚାରପତି ବରଖାସ୍ତ
ପ୍ରୟାଗରାଜ, ୨୨ା୫: ଏହ୍ଲାବାଦ ହାଇକୋର୍ଟ ଭ୍ରଷ୍ଟାଚାର ମାମଲାରେ ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) ପାହ୍ୟାର ତିନି ଜଣ ବିଚାରପତିଙ୍କୁ ବରଖାସ୍ତ କରିଛନ୍ତି । ହାଇକୋର୍ଟଙ୍କୁ ମିଳିଥିବା ଅଭିଯୋଗ ଭିତ୍ତିରେ ପ୍ରଶାସନିକ କମିଟି ୫ ଜଣ ନ୍ୟାୟିକ ଅଧିକାରୀଙ୍କ ସମ୍ପର୍କରେ ଅନେକ ଦିନ ଧରି ଯାଞ୍ଚ କରିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଏଡିଜେ ପାହ୍ୟାର ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ଆଗତ ଅଭିଯୋଗ ପ୍ରମାଣିତ ହେବାରୁ ସେମାନଙ୍କୁ ତକ୍ରାଳ ବରଖାସ୍ତ କରିବା ଲାଗି ହାଇକୋର୍ଟ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି । ରାଜ୍ୟପାଳଙ୍କ ସମ୍ମତି ପରେ ଏ ସମ୍ବନ୍ଧରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହେବ ।
ଦୋଷୀ ସାବ୍ୟସ୍ତ ବିଚାରପତିମାନେ ହେଲେ ଏଡିଜେ ଅଶୋକ କୁମାର ସିଂହ, ଅତିରିକ୍ତ ଜିଲ୍ଲା ଓ ସତ୍ର ନ୍ୟାୟାଧୀଶ ହିମାଂଶୁ ଭଟନାଗର ଓ ଡକ୍ଟର ରାକେଶ କୁମାର ନୈନ (ବିଶେଷ ନ୍ୟାୟଧୀଶ, ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଅଧିନିୟମ, ଗାଜିପୁର) ।
ଅଶୋକ କୁମାର ସିଂହଙ୍କୁ ୨୦୦୧ ମାର୍ଚ୍ଚ ୨୮ରେ ଅତିରିକ୍ତ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ) ରୂପେ ଗାଜିପୁରରେ ନିଯୁକ୍ତ କରାଯାଇଥିଲା । ୨୦୧୫ ଜୁଲାଇ ୪ରେ ତାଙ୍କୁ ଅତିରକ୍ତ ଜିଲ୍ଲା ଓ ସତ୍ର ନ୍ୟାୟାଧୀଶ ରୂପେ ବଦାୟୁଁରେ ନିଯୁକ୍ତ କରାଯିବାର ମାତ୍ର ୭ ଦିନ ପରେ ସସ୍ପେଣ୍ଡ କରାଯାଇଥିଲା ।