ରାହୁଲଙ୍କୁ ଟିମ୍ ଇଣ୍ଡିଆର ନେତୃତ୍ୱ

ଦକ୍ଷିଣ ଆଫ୍ରିକା ବିପକ୍ଷ
ଘରୋଇ ଟି-୨୦ ଶୃଙ୍ଖଳା
ଉମରାନ, ଅର୍ଶଦୀପ ନୂଆମୁହଁ ହାର୍ଦ୍ଦିକ, କାର୍ତ୍ତିକଙ୍କ ପ୍ରତ୍ୟାବର୍ତ୍ତନ
ମୁମ୍ବାଇ, ୨୨ା୫ (ଏଜେନ୍ସି): ଜୁନ୍ ୯ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତିକ ଘରୋଇ ଶୃଙ୍ଖଳା ପାଇଁ ରବିବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି । ନିୟମିତ ଅଧିନାୟକ ରୋହିତ ଶର୍ମା, ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲି, ପେସର୍ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମୀଙ୍ୁ ହ୍ୱାଇଟ୍-ବଲ୍ ଶୃଙ୍ଖଳା ପାଇଁ ବିଶ୍ରାମ ଦିଆଯାଇଛି । ରୋହିତଙ୍କ ଅନୁପସ୍ଥିତିରେ ବ୍ୟାଟର୍ ଲୋକେଶ ରାହୁଲ ନେତୃତ୍ୱ ଦାୟିତ୍ୱ ତୁଲାଇବେ ଏବଂ ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ ଉପ-ଅଧିନାୟକ ହେବେ ।
ଆଇପିଏଲ୍ରେ ପ୍ରଭାବିତ କରିପାରିଥିବା ଜାମ୍ମୁ-କାଶ୍ମୀରର ପେସ୍ ସେନ୍ସେସନ୍ ଉମରାନ ମାଲିକ ଓ ପଞ୍ଜାବର ଡେଥ୍ ଓଭର୍ ବିଶେଷଜ୍ଞ ଅର୍ଶଦୀପ ସିଂହଙ୍କୁ ଜାତୀୟ ଟିମ୍ ପକ୍ଷରୁ ଖେଳିବାର ସୁଯୋଗ ଦିଆଯାଇଛି । ଏହାଛଡ଼ା ୱିକେଟ୍କିପର୍-ବ୍ୟାଟର୍ ଦିନେଶ କାର୍ତ୍ତିକ ଓ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ପରେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଆଇପିଏଲ୍ର ଚଳିତ ସିଜନ୍ରେ ସନ୍ରାଇଜର୍ସ ହାଇଦରାବାଦ ପକ୍ଷରୁ ଖେଳୁଥିବା ଉମରାନ ୧୩ ମ୍ୟାଚ୍ରୁ ୨୧ ୱିକେଟ୍ ଅକ୍ତିଆର କରିଛନ୍ତି । ତେବେ ନିରନ୍ତର ଘଣ୍ଟା ପ୍ରତି ୯୫ ମାଇଲ୍ ବେଗରେ ବୋଲିଂ କରିବାର ସାମର୍ଥ୍ୟ ଯୋଗୁଁ ସେ ଚୟନକାରୀଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି । ଉମରାନଙ୍କ ଚୟନ ଆପାତତଃ ନିଶ୍ଚିତ ଥିଲା । ସେହିପରି ଅର୍ଶଦୀପ ଲିଗ୍ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳି ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ।
ଉଭୟ ହାର୍ଦ୍ଦିକ ଓ କାର୍ତ୍ତକ ଆଇପିଏଲ୍ରେ ଭଲ ପ୍ରଦର୍ଶନ ଯୋଗୁଁ ଟିମ୍କୁ ଫେରିଛନ୍ତି । କାର୍ତ୍ତିକ ନିଜ ଶେଷ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ୨୦୧୯ ଫେବ୍ରୁଆରୀ ୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ଅନ୍ୟପଟେ, ଫିଟ୍ନେସ୍ ଓ ଫର୍ମ ଉଭୟ ସମସ୍ୟାରୁ ମୁକୁଳିଥିବା ହାର୍ଦ୍ଦିକ ନୂଆ ଫ୍ରାଞ୍ଚାଇଜୀ ଗୁଜରାଟ ଟାଇଟନ୍ସର ସଫଳତାର ସହ ନେତୃତ୍ୱ ନେଇଛନ୍ତି ଏବଂ ଟିମ୍ ପ୍ଲେ-ଅଫ୍ରେ ସ୍ଥାନ ପାଇଛି ।
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଜୁନ୍ ୯ରୁ ଆରମ୍ଭ ହୋଇ ୧୯ ଯାଏଁ ଚାଲିବ । ମ୍ୟାଚ୍ଗୁଡ଼ିକ ଦିଲ୍ଲୀ, କଟକ, ଭାଇଜାଗ୍, ରାଜକୋଟ୍ ଓ ବେଙ୍ଗାଲୁରୁଠାରେ ଖେଳାଯିବ । ଭାରତୀୟ ଟିମ୍ ଏହାପରେ ଦୁଇ ଟି-୨୦ ମ୍ୟାଚ୍ ଖେଳିବା ପାଇଁ ଆୟରଲାଣ୍ଡ ଯିବ । ଚଳିତ ବର୍ଷ ଶେଷ ବେଳକୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଚୟନକାରୀମାନେ ଆଇପିଏଲ୍ ତାରକାମାନଙ୍କୁ ସୁଯୋଗ ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ସେମାନଙ୍କ ଦକ୍ଷତାର ଅସଲି ପରୀକ୍ଷା ହେବ ।
ଭାରତୀୟ ଟି-୨୦ ଟିମ୍
ଲୋକେଶ ରାହୁଲ (ଅଧିନାୟକ), ଋତୁରାଜ ଗାଏକୱାଡ଼, ଈଶାନ କିଶନ, ଦୀପକ ହୁଡ଼ା, ଶ୍ରେୟାସ ଆୟର, ରିଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍, ଅଭେଶ ଖାଁ, ଅର୍ଶଦୀପ ସିଂହ, ଉମରାନ ମଲିକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *