ଏବେ କମିଲା, ପୁଣି ବଢ଼ିବ!

ଭୁବନେଶ୍ୱର,୨୨ା୫(ବୁ୍ୟରୋ): ବହୁ ଚାପ ପରେ ପେଟ୍ରୋଲ-ଡିଜେଲ ଦର କମିଛି । କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଏବଂ ଡିଜେଲ ଉପରୁ ୬ ଟଙ୍କା ଉତ୍ପାଦ ଶୁଳ୍କ କମାଇବା ପରେ ଭୁବନେଶ୍ୱରରେ ରବିବାର ପେଟ୍ରୋଲ୍ ୯ଟଙ୍କା ୩୧ ପଇସା ଏବଂ ଡିଜେଲ ଲିଟର ପ୍ରତି ୭ ଟଙ୍କା ୪୯ ପଇସା ଶସ୍ତା ହୋଇଛି । ଏବେବି ଭୁବନେଶ୍ୱରରେ ପେଟ୍ରୋଲ୍ ୧ଠ୩ ଟଙ୍କା ଉପରେ ରହିଛି । ତଥାପି କେନ୍ଦ୍ର ସରକାର ଶୁଳ୍କ କମାଇବା ଯୋଗୁ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହେଲେ ଏ ଆଶ୍ୱସ୍ତି ଅଳ୍ପଦିନ ପାଇଁ ।
ପେଟ୍ରୋଲିୟମ ଡିଲର ସଂଘ ଯେଉଁ ହିସାବ ଦେଉଛି, ତାହା ସତ ହେଲେ ଅଳ୍ପଦିନରେ ପୁଣିଥରେ ତେଲଦର ଉପରମୁହାଁ ହେବ । ଅଲ୍ଇଣ୍ଡିଆ ପେଟ୍ରୋଲିୟମ ଡିଲର୍ସ ସଂଘ ମହାସଚିବ ସଞ୍ଜୟ ଲାଠ୍ କହିଛନ୍ତି, ବର୍ତ୍ତମାନ ତୈଳ କମ୍ପାନୀମାନେ ବଡ଼ ଧରଣର କ୍ଷତି ସହୁଛନ୍ତି । ଏପରିକି ଦେଶର ତିନିଟି ତୈଳ କମ୍ପାନୀଙ୍କ ମଧ୍ୟରୁ ଦୁଇଟି ତୈଳ କମ୍ପାନୀ ଚଳିତ ମାସ ୨ଠ ତାରିଖ ସୁଦ୍ଧା ୧୨ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି । ଏଭଳି ଅବସ୍ଥା ଲାଗି ରହିଲେ ପୂର୍ବରୁ ଥିବା ‘ଡେଲି ପ୍ରାଇସ୍ ମେକାନିଜିମ୍’ ଅର୍ଥାତ୍ ଅନ୍ତର୍ଜାତୀୟ ଦର ଅନୁସାରେ ପ୍ରତ୍ୟେକ ଦିନ ଦର ବଦଳିବାର ବ୍ୟବସ୍ଥାକୁ ତୈଳ କମ୍ପାନୀ ଲାଗୁ କରିପାରନ୍ତି । ଯଦି ଏଭଳି ହୁଏ ତାହେଲେ ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଯାଇପାରେ ।
ଉତ୍ପାଦ ଶୁଳ୍କ କେନ୍ଦ୍ର କମାଇବା ପରେ ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଲିଟର ପିଛା ୧ଠ୩ ଟଙ୍କା ୩୭ ପଇସା ଏବଂ ଡିଜେଲ ଲିଟର ପିଛା ୯୪ ଟଙ୍କା ୮୬ ପଇସା ହୋଇଛି । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ସ୍ୱତଃପ୍ରବତ୍ତ ଭାବେ କମିଛି ରାଜ୍ୟର ଭାଟ୍‌ । ପେଟ୍ରୋଲ ଉପରେ କେନ୍ଦ୍ର ଉତ୍ପାଦ ଶୁଳ୍କ ବାବଦକୁ ୮ଟଙ୍କା କମାଇଥିବାବେଳେ ଭାଟ୍‌ ବାବାଦକୁ ରାଜ୍ୟର ଟିକସ ୧ଟଙ୍କା ୩୧ ପଇସା କମିଯାଇଛି । ଠିକ୍‌ ସେଭଳି ଡିଜେଲ୍ ଲିଟର ପିଛା କେନ୍ଦ୍ର ୬ଟଙ୍କା କମାଇଥିବା ବେଳେ ରାଜ୍ୟର ଟ୍ୟାକ୍ସ ବାବାଦକୁ ୧ଟଙ୍କା ୪୯ ପଇସା କମିଛି । ଏବେ ପେଟ୍ରୋଲ ଲିଟର ପିଛା କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବାଦକୁ ୧୯ ଟଙ୍କା ୯୦ ପଇସା ଓ ରାଜ୍ୟ ଭାଟ୍‌ ବାବଦକୁ ୨୨ଟଙ୍କା ୫୯ ପଇସା ନେଉଛି । ଆଉ ଡିଜେଲ୍‌ ଉପରେ କେନ୍ଦ୍ର ସରକାର ୧୫ଟଙ୍କା ୮୦ ପଇସା ଓ ରାଜ୍ୟ ୧୭ ଟଙ୍କା ୮୫ ପଇସା ଟିକସ ନେଉଛି ।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ଶୁଳ୍କ କମାଇବା ପରେ ରାଜ୍ୟ ସରକାର ଭାଟ୍‌ କମାଇବାକୁ ଦାବି ଜୋରଦାର ହୋଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟୁଇଟ୍ କରି ଭାଟ୍‌ ହ୍ରାସ କରିବାକୁ ଦାବି କରିଛନ୍ତି । ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭାଟ୍ କମାଇବାକୁ ଦାବି କରିଛନ୍ତି । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ବିଧାୟକ ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ବହୁ ଚାଲାକିରେ କାମ କରୁଛନ୍ତି । ତୈଳଦର ୨ଠ ଟଙ୍କା ବଢ଼ାଇ ୧ଠ ଟଙ୍କା କମାଇ ଦେଉଛନ୍ତି । ଏ ଚାଲବାଜି ବନ୍ଦ ହେଉ । ପେଟ୍ରୋଲ-ଡିଜେଲ ଦର ୫ଠରୁ ୬ଠ ଟଙ୍କା ଭିତରେ ରହୁ । ଏହା ହେଲେ ଦରଦାମ୍ ନିୟନ୍ତ୍ରଣ ହେବ । ଏଥିରେ ରାଜ୍ୟ ସରକାରଙ୍କ ମଧ୍ୟ କର୍ତ୍ତବ୍ୟ ରହିଛି । ରାଜ୍ୟ ମଧ୍ୟ ଏଥିପାଇଁ ଉତ୍ତରଦାୟୀ । ପେଟ୍ରୋଲ-ଡିଜେଲ ଜିଏସ୍ଟି ପରିସରକୁ ଆସିଲେ ଢେର୍ ଦାମ୍ କମିଯିବ । ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ପେଟ୍ରୋଲ ଡିଜେଲ୍‌ ଟିକସ ରାଜ୍ୟ ରିସୋର୍ସ ବେସ୍ର ପ୍ରମୁଖ ଅଂଶ । ତେଣୁ ଏହା ଉପରେ ଅନୁଧ୍ୟାନ କଲା ପରେ ହିଁ ଯାହା ନିଷ୍ପତ୍ତି ନିଆଯିିବ । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଗତ ନଭେମ୍ବର ମାସରେ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ୍ରେ ଭାଟ୍ ହ୍ରାସ କରିଥିଲେ । ତେଳ ଦର କମାଇବା ପାଇଁ କେନ୍ଦ୍ର ସରକାରଙ୍କ ଯେତିକି ସ୍କୋପ୍ ଅଛି, ରାଜ୍ୟର ନାହିଁ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *