୨୧ ଘେରା ଚାପ ଖେଳିଲେ ମହାପ୍ରଭୁ
ପୁରୀ (ବୁ୍ୟରୋ): ରବିବାର ଥିଲା ଭଉଁରୀ ଯାତ । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ୨୦ତମ ଦିବସ । ଏହି ପବିତ୍ର ତିଥିରେ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁ ୨୧ ଘେରା ପରିକ୍ରମା କରି ଜଳକ୍ରୀଡ଼ା କରିଥିଲେ । ଏହି ଅବସରରେ ମଦନମୋହନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଭଉଁରୀ ଯାତ ଦେଖିବା ଲାଗି ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଭକ୍ତଙ୍କ ଗହଳି ଲାଗିଥିଲା । ସୋମବାର ବାହାର ଚନ୍ଦନ ଯାତ୍ରାର ଶେଷ ଦିବସ । ଏହି ଦିନ ହଳଦୀପାଣି ନୀତି ସମ୍ପନ୍ନ ହେବ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାଜନ ସେବକ ରାମକୃଷ୍ଣ ଦୁଇ ଦେବଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ପାଲିଙ୍କିରେ ବିଜେ କରାଇଥିଲେ । ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଣି ବିମାନରେ ବିଜେ କରାଇଥିଲେ । ପରେ ଫୁଲମାଳ ଲାଗି ବିଜେ କାହାଳି ବାଜିଥିଲା । ବିମାନବଡୁମାନେ ଘଣ୍ଟ, ଛତା, କାହାଳି ସହ ମହାପ୍ରଭୁଙ୍କୁ ନେଇ ଅପରାହ୍ଣରେ ସିଂହଦ୍ୱାର ଦେଇ ବଡ଼ଦାଣ୍ଡକୁ ଓହ୍ଲାଇଥିଲେ । ଅପରାହ୍ଣରେ ଚନ୍ଦନ ଚକଡ଼ାରେ ଠାକୁର ପହଞ୍ଚିବା ପରେ ଭିତରଚ୍ଛୁ ମହାପାତ୍ର ମହାପ୍ରଭୁଙ୍କୁ ଜଳଲାଗି କରିଥିଲେ । ପରେ ଦିନ ଚାପ ହୋଇଥିଲା । ନରେନ୍ଦ୍ର ପୁଷ୍କରିଣୀରେ ଠାକୁର ନନ୍ଦା ଓ ଭଦ୍ରା ଚାପରେ ଗୋଟିଏ ଘେରା ପରିକ୍ରମା କରିଥିଲେ । ଦିନ ଚାପ ସାରି ମହାପ୍ରଭୁ ଚନ୍ଦନକୁଣ୍ଡକୁ ବିଜେ ହୋଇଥିଲେ । ଚନ୍ଦନକୁଣ୍ଡରୁ ଉଠିବା ପରେ ମହାପ୍ରଭୁ ଚନ୍ଦନ ମଣ୍ଡପ ଗର୍ଭଗୃହକୁ ବିଜେ ହୋଇଥିଲେ । ସେଠାରେ ସାଦା ବେଶ ହୋଇ ଶୀତଳ ଭୋଗ ବଢ଼ିଥିଲା । ପରେ ମହାପ୍ରଭୁ ଜଗତି ଉପରକୁ ବିଜେ ହୋଇଥିଲେ । ସେଠାରେ ଗଜ ଉଦ୍ଧାରଣ ବେଶ ହୋଇଥିଲା । ମହାପ୍ରଭୁ ପୁନର୍ବାର ଚନ୍ଦନ ମଣ୍ଡପ ଗର୍ଭଗୃହକୁ ବିଜେ ହୋଇଥିଲେ । ସେଠି ମାଣ୍ଡୁଆ ଭୋଗ ହୋଇଥିଲା । ପରେ ଭିତରଚ୍ଛୁ ମହାପାତ୍ର ବନ୍ଦାପନା କରିବା ସହ ବିଡିଆ ମଣୋହି କରିଥିଲେ । ମହାପ୍ରଭୁଙ୍କ ଏକାନ୍ତ ନୀତିପରେ ମହାରଣା ସେବକମାନେ ରାତି ଚାପ ଲାଗି ମହାପ୍ରଭୁଙ୍କୁ ନନ୍ଦା ଓ ଭଦ୍ରା ଚାପକୁ ବିଜେ କରାଇଥିଲେ । ନନ୍ଦାରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଭଦ୍ରାରେ ରାମକୃଷ୍ଣ ଓ ପଞ୍ଚ ମହାଦେବ ବସି ଚାପ ଖେଳିଥିଲେ । ଭଉଁରୀ ଯାତ ଲାଗି ଠାକୁର ୨୧ ଘେରା ଚାପ ଖେଳିଥିଲେ । ଚାପ ଖେଳିବାପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ ।