ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ଉଦ୍ୟମ

ବିରୋଧୀ ନେତାଙ୍କ ସହ କେସିଆର୍ଙ୍କ ମନ୍ତ୍ରଣା
ନୂଆଦିଲ୍ଲୀ, ୨୨ା୫: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ନେତା କେ ଚନ୍ଦ୍ରଶେଖର ରାଓ (କେସିଆର୍) ଏବେ ଦେଶବ୍ୟାପୀ ରାଜନୈତିକ ଗସ୍ତରେ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଘେରିବା ଉଦେ୍ଦଶ୍ୟରେ ଏକ ନୂଆ ସାମ୍ମୁଖ୍ୟ ଗଠନ କେସିଆର୍ଙ୍କ ଗସ୍ତର ଉଦେ୍ଦଶ୍ୟ ବୋଲି କେହି କେହି ଅନୁମାନ କରୁଛନ୍ତି । କିନ୍ତୁ ବାସ୍ତବରେ ତାଙ୍କର ଏକ ତକ୍ରାଳ ଯୋଜନା ଅଛି ଯେଉଁଥି ପାଇଁ ସେ ବିରୋଧୀ ନେତାମାନଙ୍କୁ ଘନ ଘନ ଭେଟୁଛନ୍ତି ।
ଆସନ୍ତା ଜୁଲାଇରେ ହେବ ରାଷ୍ଟ୍ରପତି ନିର୍ବାଚନ । କେସିଆର ଚାହୁଁଛନ୍ତି ବିରୋଧୀ ଦଳମାନେ ମିଳିତ ପ୍ରାର୍ଥୀ ଦିଅନ୍ତୁ । ଏହି ପରିପ୍ରେକ୍ଷୀରେ ସେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ଦୀର୍ଘ ଆଲୋଚନା କରିଛନ୍ତି । ଆସନ୍ତା ୨୬ ତାରିଖ ଦିନ କେସିଆର୍ ବେଙ୍ଗଲୁରୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କୁ ଓ ଜନତା ଦଳ (ଧର୍ମନିରପେକ୍ଷ) ନେତା ଏଚ୍ଡି କୁମାରସ୍ୱାମୀଙ୍କୁ ଭେଟିବା ପରେ ମହାରାଷ୍ଟ୍ରର ରାଲେଗଣ ସିଦ୍ଧିଠାରେ ସାମାଜିକ କାର୍ଯ୍ୟକର୍ତ୍ତା ଅନ୍ନା ହଜାରେଙ୍କ ପରାମର୍ଶ ଲୋଡ଼ିବେ । ଚଳିତ ମାସ ଶେଷ ସପ୍ତାହରେ ସେ ମଧ୍ୟ ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶା ଗସ୍ତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।
କୌତୁହଳର କଥା ଯେ, କେସିଆର୍ ଉଭୟ ନୀତୀଶ କୁମାର ଓ ବିହାରରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବେ । ତେଜସ୍ୱୀ କିଛି ଦିନ ପୂର୍ବେ ହାଇଦ୍ରାବାଦ ଯାଇ କେସିଆର୍ଙ୍କୁ ଭେଟିଥିଲେ ।
କେସିଆର୍ ପୂର୍ବରୁ ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏଥର ନବୀନଙ୍କ ସହ ଆଲୋଚନା ବିଶେଷ ଗୁରୁତ୍ୱ ବହନ କରିବ କାରଣ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତାର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟ ଲାଗି ଆଉ ୯୧୯୪ ଭୋଟ ଆବଶ୍ୟକ କରୁଥିବାରୁ ବିଜେଡି ଓ ୱାଇଏସ୍ଆର୍ କଂଗ୍ରେସର ଭୋଟ ନିର୍ଣ୍ଣାୟକ ହେବ । ଅବଶ୍ୟ ୱାଇଏସ୍ଆର୍ କଂଗ୍ରେସ ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ କେସିଆର୍ ଭେଟିବା ସୂଚନା ଏ ଯାଏ ମିଳି ନାହିଁ ।
୨୦୧୭ରେ କେବଳ ବିଜେଡି ଓ ୱାଇଏସ୍ଆର୍ସିପି ନୁହେଁ, ଟିଆର୍ଏସ୍ ଓ ଟିଡିପି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଥିଲେ । ଏଥର ଯଦି ବିରୋଧୀ ଦଳମାନଙ୍କ ପକ୍ଷରୁ ମିଳିତ ଭାବେ ପ୍ରାର୍ଥୀ ଦିଆଯାଏ, ସବୁ ଆଞ୍ଚଳିକ ଦଳମାନଙ୍କ ସମର୍ଥନ ନିତାନ୍ତ ଆବଶ୍ୟକ । କଂଗ୍ରେସ ପ୍ରସଙ୍ଗରେ ଟିଆର୍ଏସ୍ ନେତାମାନଙ୍କ ମତ ହେଉଛି ଯଦି ଆଞ୍ଚଳିକ ଦଳମାନେ ମିଳିତ ପ୍ରାର୍ଥୀ ଦେବେ, ସେ କ୍ଷେତ୍ରରେ କଂଗ୍ରେସ ତାଙ୍କୁ ସମର୍ଥନ ଦେବା ପାଇଁ ସମ୍ମତ ହୋଇପାରେ ।
କେସିଆର୍ଙ୍କ ପଲିଟିକାଲ ଟୁର୍ ପ୍ରସଙ୍ଗରେ ଆଉ ଏକ କଥା ବିଶେଷ ଉଲ୍ଲେଖଯୋଗ୍ୟ । ଉଦୟପୁର ଚିନ୍ତନ ଶିବିରରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲା । ଶିବିରର ଶେଷ ଦିନରେ ରାହୁଲ ଗାନ୍ଧି ଆଞ୍ଚଳିକ ଦଳମାନଙ୍କ ସମ୍ପର୍କରେ ବିବୃତି ଦେଲେ ଯେ ବିଜେପିକୁ ହରାଇବାକୁ ଆଞ୍ଚଳିକ ଦଳମାନଙ୍କର ଔକାତ ନାହିଁ । ରାହୁଲଙ୍କ ଏ ଭଳି ବୟାନ ଯୋଗୁଁ ଆଞ୍ଚଳିକ ଦଳମାନେ କଂଗ୍ରେସକୁ ଏଣିକି ଗୁରୁତ୍ୱ ଦେବେ ନାହିଁ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍) ଆଞ୍ଚଳିକ ଦଳମାନଙ୍କୁ ନେଇ ଏକ ପୃଥକ୍ ମେଣ୍ଟ ଗଠନ ଉଦ୍ୟମ ଆରମ୍ଭ କରିଛନ୍ତି । କେସିଆର୍ ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ଏହିଭଳି ଉଦ୍ୟମ କରିଥିଲେ କିନ୍ତୁ ସଫଳ ହୋଇପାରି ନ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *