ଡେରା ହେଲା ତିନି ରଥର ୬ ନାହାକା ଚକ

ଶ୍ରୀକ୍ଷେତ୍ରେ ଭଉଁରୀ ନୀତି ସମ୍ପନ୍ନ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରେ ଭଉଁରୀ ଅବସରରେ ରବିବାର ରଥଖଳାରେ ମହାପ୍ରଭୁଙ୍କ ତିନି ରଥର ୬ ନାହାକା ଚକ ଡେରା ନୀତି ସମ୍ପନ୍ନ ହୋଇଛି । ସକାଳେ ରଥଖଳାରେ ୬ଟି ଚକର ପନ୍ଦାରୀରେ କମାର ସେବକମାନେ ଯୋକିଆ କଣ୍ଟା ବାଡ଼େଇ ଥିଲେ । ୩ ନାହାକା ଅଖ ଏବଂ ୬ ନାହାକା ଚକର ଅଖ ବିନ୍ଧରେ ତେଲ ଦିଆଯାଇଥିଲା । ପରେ ବଡ଼ଆଖଡା ମଠ କୂଅରୁ ପାଣି ଅଣାଯାଇ ଡେରା ପାଇଁ ରହିଥିବା ତିନି ରଥର ନାହାକା ଚକ ଓ ନାହାକା ଅଖକୁ ସ୍ନାନ କରାଯାଇଥିଲା । ପୂର୍ବାହ୍ନ ୧୧ଟା ୫୦ରେ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ପଟୁଆରରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ୩ଟି ଆଜ୍ଞାମାଳ ନେଇ ରଥଖଳାରେ ପହଞ୍ଚିଥିଲେ । ଭୋଇ ସେବକମାନେ ପ୍ରଥମେ ତାଳଧ୍ୱଜ ରଥର ଚକ ସହିତ ଅଖ ସଂଯୋଗ କରି ଡେରିଥିଲେ । ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଡେରା ନୀତି ସମ୍ପନ୍ନ ହୋଇଥିଲା ।
ମହାପ୍ରଭୁଙ୍କ ତିନି ରଥର ଚକ ଡେରା ନୀତି ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ହୋଇଥିଲା । କିନ୍ତୁ ଗତବର୍ଷ ମହାମାରୀ କରୋନା ପାଇଁ ବିନାଭକ୍ତରେ ଶ୍ରୀଜିଉଙ୍କ ଚକଡେରା ନୀତି ସମ୍ପନ୍ନ କରାଯାଇଥିଲା । ଏପରିକି ଅଳ୍ପସଂଖ୍ୟକ ସେବାୟତ ଓ ବିଶ୍ୱକର୍ମା ମହାରଣା ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ ଗହଣରେ ନୀତି ହୋଇଥିଲା । ହେଲେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ନୀତି । ଫଳରେ ଏହି ସମୟରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସେବାୟତ ଓ ଭକ୍ତଙ୍କ ହରିବୋଲି, ହୁଳହୁଳି ଓ ସେବକଙ୍କ ‘ଜୟ ଜଗନ୍ନାଥ, ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ରଥଖଳା । ଚକ ଡେରା ନୀତି ସମ୍ପନ୍ନ ହେବା ପରେ ବଡ଼ବାଡ଼ର ପୂଜାପଣ୍ଡା ସାମନ୍ତ ଗଣେଷ ପୂଜାପଣ୍ଡା ତାଳଧ୍ୱଜ ରଥର ଚକରେ ଆଜ୍ଞା ମାଳ ଦେଇଥିଲେ । ଏହାପରେ ତିନି ବାଡ଼ର ମୁଖ୍ୟ ବିଶ୍ୱକର୍ମାମାନେ ମହାପ୍ରଭୁଙ୍କୁ ପ୍ରଣାମ କରି ରଥ ଚକରେ ଲାଗି ହୋଇଥିବା ଆଜ୍ଞାମାଳକୁ କାଢ଼ି ରଥଖଳା ସମ୍ମୁଖରେ ଥିବା ମା’ ଚର୍ଚ୍ଚିକା ପୀଠକୁ ନେଇଥିଲେ । ୩ ଅଜ୍ଞାମାଳ ମା’ ଚର୍ଚ୍ଚିକାଙ୍କୁ ଲାଗି କରାଯାଇଥିଲା । ବିଶ୍ୱକର୍ମାମାନେ ଚର୍ଚ୍ଚିକାଙ୍କ ନିକଟରେ ପୂଜାର୍ଚ୍ଚନା କରି ଫେରିଥିଲେ । ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହ, ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *