କମିଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ, ୨୧ା୫: କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା ଉତ୍ପାଦ ଶୁଳ୍କ କମାଇ ଦେଇଛନ୍ତି । ଫଳତଃ ଶନିବାର ମଧ୍ୟରାତ୍ରିରୁ ଦେଶ ସାରା ପେଟ୍ରୋଲ ଲିଟର ପିଛା ଦାମ୍ ୯.୫୦ ପଇସା ଓ ଡିଜେଲ୍ ୭ଟଙ୍କା ଶସ୍ତା ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସନ୍ଧ୍ୟାରେ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ପେଟ୍ରୋଲ-ଡିଜେଲ ଉପରୁ ଅବକାରୀ ଶୁଳ୍କ ହ୍ରାସ କରାଯିବା ଦ୍ୱାରା ସରକାର ବର୍ଷକୁ ପ୍ରାୟ ୧ଲକ୍ଷ କୋଟି ଟଙ୍କା କ୍ଷତି ସହିବେ । ଅର୍ଥମନ୍ତ୍ରୀ ସବୁ ରାଜ୍ୟ ସରକାରଙ୍କୁ, ବିଶେଷ କରି ଯେଉଁ ରାଜ୍ୟମାନେ ଗତ ନଭେମ୍ବରରେ ଭାଟ୍ କମାଇ ନ ଥିଲେ, ସେମାନଙ୍କୁ ଇନ୍ଧନ ଉପରୁ ଭାଟ୍ କମାଇବା ପାଇଁ ନିବେଦନ କରିଛନ୍ତି ।
ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୯ କୋଟି ହିତାଧିକାରୀଙ୍କୁ ଗ୍ୟାସ୍ ସବ୍ସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ସିଲିଣ୍ଡର ପିଛା ୨୦୦ଟଙ୍କା ସବ୍ସିଡି ଦିଆଯିବ । ବର୍ଷକୁ ପ୍ରତି ପରିବାରକୁ ମୋଟ୍ ୧୨ଟି ସିଲିଣ୍ଡର୍ ପାଇଁ ସବ୍ସିଡି ମିଳିବ । ଏହାଦ୍ୱାରା ସରକାରଙ୍କ ଉପରେ ବର୍ଷକୁ ୬୧ଶହ କୋଟି ଟଙ୍କାର ଆର୍ଥିକ ବୋଝ ପଡିବ ।
ପ୍ଲାଷ୍ଟିକ୍ ଉତ୍ପାଦଗୁଡିକର କଞ୍ଚାମାଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯିବ ବୋଲି ଅର୍ଥମନ୍ତ୍ରୀ ସୀତା ରମଣ ସୂଚନା ଦେଇଛନ୍ତି । ସେହିପରି କେତେକ ଇସ୍ପାତ ସାମଗ୍ରୀର କଞ୍ଚାମାଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରାଯିବ । ସିମେଣ୍ଟ ଉପଲବ୍ଧତା ବଢାଇବା ସହିତ ଏହାର ଦାମ୍ କମାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଶନିବାର ପର୍ଯ୍ୟନ୍ତ ସରକାର ୧ ଲିଟର ପେଟ୍ରୋଲ ଉପରୁ ୨୭ ଟଙ୍କା ୯୦ ପଇସା ଓ ଡିଜେଲ ଉପରୁ ୨୧ ଟଙ୍କା ୮୦ ପଇସା ଉତ୍ପାଦ ଶୁଳ୍କ (ଏକ୍ସସାଇଜ୍ ଡୁ୍ୟଟି) ଆକାରରେ ଆଦାୟ କରୁଥିଲେ । ଏବେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ରହିଲା ଯଥାକ୍ରମେ ୧୯ ଟଙ୍କା ୯୦ ପଇସା ଓ ୧୫ ଟଙ୍କା ୮୦ ପଇସା ।
ପେଟ୍ରୋଲ ଓ ଡିଜେଲର ବେସ୍ ପ୍ରାଇସ୍ ଯଥାକ୍ରମେ ୫୬ ଟଙ୍କା ୩୫ ପଇସା ଓ ୫୭ ଟଙ୍କା ୯୪ ପଇସା । ଏହି ଦୁଇ ଇନ୍ଧନ ଉପରେ ଲାଗିଥିବା ଭାଟ୍ ପରିମାଣ ହେଉଛି ଯଥାକ୍ରମେ ୧୭ ଟଙ୍କା ୧୩ ପଇସା ଓ ୧୪ ଟଙ୍କା ୧୨ ପଇସା । ଏସବୁ ବାଦ୍ ଡିଲର କମିଶନ ଯଥାକ୍ରମେ ୩ ଟଙ୍କା ୮୫ ପଇସା ଓ ୨ ଟଙ୍କା ୬୯ ପଇସା ।
ଏହା ପୂର୍ବରୁ ୨୦୨୧ ନଭେମ୍ବର ୩ ତାରିଖ ଦିନ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକ୍ସସାଇଜ୍ ଡୁ୍ୟଟି ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା କମ୍ କରିଥିଲେ । ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ପେଟ୍ରୋଲ-ଡିଜେଲ ଉପରୁ ମୋଟ ୩ଥର ଏକ୍ସସାଇଜ୍ ଡୁ୍ୟଟି କମାଇଛନ୍ତି । ପ୍ରଥମେ ୨୦୧୭ ଅକ୍ଟୋବର ୪ରେ, ତା’ପରେ ୨୦୧୮ରେ ଶୁଳ୍କ ହ୍ରାସ ଫଳରେ ୨ଇନ୍ଧନ ଦର କିଛି କମି ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *