କଲେଜ କ୍ୟାମ୍ପସ୍ ହେବ ତମାଖୁମୁକ୍ତ
ଏନ୍ଏସ୍ଏସ୍ ଉପଦେଷ୍ଟା ପରିଷଦ ବୈଠକ
ଭୁବନେଶ୍ୱର (ବୁ୍ୟରୋ): ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)କୁ ଅଧିକ କ୍ରିୟାଶୀଳ କରାଯିବ । ରାଜ୍ୟର ୧ ଲକ୍ଷ ୧୫ ହଜାର ୫ଠଠ ସ୍ୱେଚ୍ଛାସେବୀଙ୍କୁ ଚଳିତ ଶିକ୍ଷାବର୍ଷରେ କଲେଜଗୁଡ଼ିକୁ ତମାଖୁମୁକ୍ତ, ସ୍ୱଚ୍ଛ ଓ ସବୁଜ କ୍ୟାମ୍ପସ୍ରେ ପରିଣତ କରିବା ସହ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ । ଏଥିସହ ବୃକ୍ଷରୋପଣ ଓ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ।
ପୁସ୍ତକ ଭବନଠାରେ ପ୍ରମୁଖ ସଚିବ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଏନ୍ଏନ୍ଏସ୍ ଉପଦେଷ୍ଟା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି ଅନୁସାରେ ଏଣିକି ପ୍ରତି ଏନ୍ଏସ୍ଏସ୍ ୟୁନିଟ୍ର ସ୍ୱେଚ୍ଛାସେବୀ ସଂଖ୍ୟା ୫ଠରୁ ୧ଠଠକୁ ବୃଦ୍ଧି କରାଯିବ । ସ୍ୱୟଂଶାସିତ କଲେଜଗୁଡ଼ିକରେ ଏନ୍ଏସ୍ଏସ୍କୁ ସକ୍ରିୟ କରାଯିବ । ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିିଭା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ସ୍ୱେଚ୍ଛାସେବୀଙ୍କୁ ଆନ୍ତଃରାଜ୍ୟ ଭ୍ରମଣ ପାଇଁ ସୁଯୋଗ ପ୍ରଦାନ କରାଯିବ ।
ବୈଠକରେ ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ, ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର ବାସା, ଏନ୍ଏସ୍ଏସ୍ ଆଞ୍ଚଳିକ ନିଦେ୍ର୍ଦଶକ ସରିତା ପଟେଲ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସତ୍ୟରଞ୍ଜନ ସାହୁ, ଓୟୁଏଟି ଏନ୍ଏସ୍ଏସ୍ ପ୍ରଶିକ୍ଷଣ ସଂଯୋଜକ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ନିରଦ ବରଣ ଖୁଣ୍ଟିଆ, ସମାଜସେବୀ ମଧୁସୂଦନ ଦାସଙ୍କ ସମେତ ୨୪ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଯୋଗଦେଇ ଏନ୍ଏସ୍ଏସ୍ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପୂର୍ବବର୍ଷର ବିବରଣୀ ସହ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।