ପୂଜାର୍ଚ୍ଚନା ପାଇଁ ଖୋଲିବ ସଂରକ୍ଷିତ ମନ୍ଦିର

ନୂଆଦିଲ୍ଲୀ, ୨୧ା୫: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା ସଂରକ୍ଷିତ ବନ୍ଦ ମନ୍ଦିରଗୁଡିକରେ ଧାର୍ମିକ ଗତିବିଧି ପୁନର୍ବାର ଆରମ୍ଭ କରିବା ଲାଗି କେନ୍ଦ୍ର ସରକାର ବିଚାର କରୁଛନ୍ତି । ବନ୍ଦ ମନ୍ଦିରଗୁଡିକରେ ପୂଜା ପାଠ ଅନୁମତି ଦେବା ଲାଗି ୧୯୫୮ ମସିହାର ଆଇନରେ ସଂଶୋଧନ କରାଯିବ ।
ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଅଛି ଏଏସ୍ଆଇ । ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମନ୍ଦିରଗୁଡିକୁ ଯେଉଁ ଉଦେ୍ଦଶ୍ୟରେ ସଂରକ୍ଷିତ କରିବା ଲାଗି ୧୯୫୮ରେ ଆଇନ ପ୍ରଣୟନ କରାଯାଇଥିଲା, ସେହି ଲକ୍ଷ୍ୟ ପୂରଣ ହେଉ ନାହିଁ । ଓଲଟି ଶ୍ରଦ୍ଧାଳୁଙ୍କ ପ୍ରବେଶ ପ୍ରତିବନ୍ଧିତ ହେବା ଦ୍ୱାରା ମନ୍ଦିରଗୁଡିକର ସ୍ଥିତି ଖରାପ ହେଉଛି । ଆଇନରେ ସଂଶୋଧନ ପୂର୍ବକ ବନ୍ଦ ମନ୍ଦିରରେ ପୂଜାପାଠ ଆରମ୍ଭ କରାଗଲେ ମନ୍ଦିର ରକ୍ଷଣାବେକ୍ଷଣ ସହଜତର ହେବ । ଯେତେଦୂର ସମ୍ଭବ ଆଗାମୀ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ୧୯୫୮ ଆଇନର ସଂଶୋଧନ ବିଧେୟକ ପେସ୍ କରାଯିବ ।
ସରକାରୀ ସୂତ୍ର ଅନୁଯାୟୀ, ଏବେ ଦେଶରେ ଏପରି ପ୍ରାୟ ୩୮୦୦ ପ୍ରତ୍ନତାତ୍ତ୍ୱିକ ପୀଠ ଅଛି ଯାହାର ସଂରକ୍ଷଣ ଦାୟିତ୍ୱ ଏଏସ୍ଆଇ ଉପରେ ନ୍ୟସ୍ତ କରାଯାଇଛି । ସେଥିରେ ୧ହଜାରରୁ ଅଧିକ ମନ୍ଦିର ଅନ୍ତର୍ଭୁକ୍ତ । କିନ୍ତୁ ଏସବୁ ମନ୍ଦିର ମଧ୍ୟରୁ କେରଳର ପଦ୍ମନାଭନ୍ ମନ୍ଦିର ଓ ଉତ୍ତରାଖଣ୍ଡର ଜାଗେଶ୍ୱର ଧାମ ଭଳି ଖୁବ୍ କମ୍ ମନ୍ଦିରରେ ପୂଜାର୍ଚ୍ଚନା ଜାରି ରହିଛି । ଅଧିକାଂଶ ମନ୍ଦିର ବନ୍ଦ ରହିଛି ଏବଂ ସେଠାରେ ଧାର୍ମିକ ଗତିବିଧି ପ୍ରତିବନ୍ଧିତ ହୋଇଛି ।
ଜମ୍ମୁ-କାଶ୍ମୀରର ମାର୍ତଣ୍ଡ ମନ୍ଦିର ପରି ଅନେକ ମନ୍ଦିରର ଅବଶେଷ ମାତ୍ର ରହିଛି ।
ଏହି ଶ୍ରେଣୀର ମନ୍ଦିରଗୁଡିକରେ ପୂଜାପାଠ ପାଇଁ ଅନୁମତି ନାହିଁ । କିଛି ଦିନ ପୂର୍ବେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମାର୍ତଣ୍ଡ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାରୁ ଏଏସ୍ଆଇ କର୍ତ୍ତୃପକ୍ଷ ସ୍ଥାନୀୟ ପ୍ରଶାସନକୁ ଚିଠି ଲେଖି କଡା ବିରୋଧ କରିଥିଲେ । ଏଏସ୍ଆଇର ପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ ପ୍ରାଚୀନ ସ୍ମାରକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଓ ଅବଶେଷ ଅଧିନିୟମ, ୧୯୫୮ରେ ସଂରକ୍ଷିତ ବନ୍ଦ ମନ୍ଦିରରେ ପୂଜାପାଠକୁ ଅନୁମତି ନ ଦେବା ଲାଗି ସ୍ପଷ୍ଟ ଭାବେ ଦର୍ଶାଯାଇଛି ।
ସଂସ୍କୃତି ମନ୍ତ୍ରଣାଳୟର ପୂର୍ବୋକ୍ତ ବରିଷ୍ଠ ଅଧିକାରୀ କହିଛନ୍ତି, ଏଏସ୍ଆଇ ଏହିସବୁ ମନ୍ଦିରକୁ ସଂରକ୍ଷିତ କରିନେଲା; କିନ୍ତୁ ସେଗୁଡିକର ରକ୍ଷଣାବେକ୍ଷଣ ପାଇଁ ଏଏସ୍ଆଇ ପାଖରେ ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି । ଫଳତଃ ଅନେକ ମନ୍ଦିରକୁ ବର୍ଷକେ ଥରେ ମାତ୍ର ଖୋଲି ସଫାସୁତୁରା କରାଯାଉଛି । ଅବଶିଷ୍ଟ ୩୬୪ ଦିନ ମନ୍ଦିରଗୁଡିକରେ ତାଲା ଝୁଲୁଛି । ପୂଜାର୍ଚ୍ଚନା ଓ ଅନ୍ୟ ଧାର୍ମିକ କାର୍ଯ୍ୟକଳାପ ଲାଗି ଅନୁମତି ଦେଲେ ସଂପୃକ୍ତ ପୀଠଗୁଡିକର ରକ୍ଷଣାବେକ୍ଷଣ ସୁନିଶ୍ଚିତ ହେବା ସହିତ ତାହାର ସଂରକ୍ଷଣରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ବଢିବ ।
ସଂରକ୍ଷିତ ବନ୍ଦ ମନ୍ଦିରଗୁଡିକର ସ୍ଥିତି ଭିନ୍ନଭିନ୍ନ । ଅନେକ ମନ୍ଦିରରେ ମୂର୍ତ୍ତିଗୁଡିକ ଖଣ୍ଡିତ ଅବସ୍ଥାରେ ଅଛି । ଆଉ କେତେକ ମନ୍ଦିରରେ ମୂର୍ତ୍ତି ହିଁ ନାହିଁ । ପୂର୍ବତନ ହିନ୍ଦୁ ଶାସକମାନଙ୍କ କିଲ୍ଲାଗୁଡିକରେ ଏଭଳି ଅନେକ ମନ୍ଦିର ରହିଛି । ଆଉ କେତେକ ପୀଠକୁ ନାଁକୁ ମାତ୍ର ମନ୍ଦିର କୁହାଯାଉଛି, କିନ୍ତୁ ସେଠାରେ ମନ୍ଦିରର ଅବଶେଷ ମାତ୍ର ବିଦ୍ୟମାନ । ଏହି ଧରଣ ସଂରକ୍ଷିତ ମନ୍ଦିରଗୁଡିକୁ ବର୍ଗୀକୃତ କରାଯାଉଛି । ଯେଉଁ ସବୁ ମନ୍ଦିରରେ ମୂର୍ତ୍ତି ସୁରକ୍ଷିତ ରହିଛି ଏବଂ ଭବନ (ମନ୍ଦିର) ସ୍ଥିତି ଠିକ୍ ଅଛି, ସେଠାରେ ତତ୍କାଳ ପୂଜାପାଠ ପାଇଁ ଅନୁମତି ଦିଆଯାଇପାରେ । ଖଣ୍ଡିତ ମୂର୍ତ୍ତି ଥିବା ମନ୍ଦିରରେ ପ୍ରାଣପ୍ରତିଷ୍ଠା ପୂର୍ବକ ନୂଆ ମୂର୍ତ୍ତି ସ୍ଥାପନ କରାଯିବ । ଏହି ଦିଗରେ କାମ ଆରମ୍ଭ ହୋଇଛି । ଶୀଘ୍ରାତିଶୀଘ୍ର ସମ୍ପୃକ୍ତ ମନ୍ଦିରଗୁଡିକୁ ଖୋଲି ପୂଜାପାଠ ଦ୍ୱାରା ଚଳଚଞ୍ଚଳ କରାଇବା ଦିଗରେ ସରକାର ଉଦ୍ୟମ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *