ଗୋବିନ୍ଦପୁର ଅଞ୍ଚଳରେ ଥମୁନି ରାଜନୈତିକ ହିଂସା
କଣ୍ଟାପଡା (ଆପ୍ର): ଗୋବିନ୍ଦପୁର ଥାନା ଅଧୀନରେ ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଦଳ ଦଳ ଭିତରେ ରକ୍ତପାତ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏ ନେଇ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ ମାମଲା ରୁଜୁ ହୋଇଛି । ଏହା ଦେଖିବାକୁ ମିଳିଛି ଉତ୍ତାରଣ ପଞ୍ଚାୟତ ଅଲିଙ୍ଗି ଗ୍ରାମରେ । ଏହି ଗ୍ରାମର କେଦାରନାଥ ମଲ୍ଲିକ (୮୫)ଙ୍କୁ ସେହି ଗ୍ରାମର ମଳୟ ମଲ୍ଲିକ ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ସେ ଘରେ ଶୋଇଥିବା ବେଳେ ତାଙ୍କୁ ହାଣିଥିଲେ । ତାଙ୍କ ଦେହରେ ୩ଟି ଚୋଟ ବାଜିଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରି କେଦାରନାଥଙ୍କୁ ବଞ୍ଚାଇଥିଲେ । ଏତିକିରେ ମଳୟଙ୍କ ମନ ଶାନ୍ତି ହୋଇନ ଥିଲା ଯେ ସେହି ଗ୍ରାମର ଅଞ୍ଜଳୀ ମଲ୍ଲିକ ଓ ତାଙ୍କ ପିଲାଙ୍କୁ ଗାଳିଗୁଲଜ କରିବା ସହିତ ଘରଉପରେ ବୋମାମାଡ କରିବାକୁ ଧମକ ଦେଇଥିଲେ । ଏ ନେଇ କେଦାରନାଥଙ୍କ ପୁଅ ସୁରେଶ ମଲ୍ଲିକ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗୋବିନ୍ଦପୁର ପୁଲିସ୍ ୨୭/୨୦୨୨ରେ ମାମଲା ରୁଜୁକରି ଦଫା ୪୫୨, ୨୯୪, ୩୨୩, ୩୨୪, ୩୫୪, ୫୦୬, ୩୪ ଆଇପିସିରେ ମାମଲା ରୁଜୁ କରିଛି । ଏବେ ଆସାମି ଖୁଲମଖୁଲ୍ଲା ବୁଲୁଥିବା ବେଳେ ପୁଲିସ୍ ନିରବ ବସିଛି ।
ସେହିଭଳି ଗତକାଲି ଡିମିରି ପଞ୍ଚାୟତ ନୋଦା ଗ୍ରାମରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫାଣ୍ଡିରେ ଏହି ଘଟଣାକୁ ସମାଧାନ କରିବା ପାଇଁ ଉଭୟପକ୍ଷ ରାଜି ହୋଇଥିଲେ । କିନ୍ତୁ ଫାଣ୍ଡି ପାଖରେ ଉଭୟ ଗୋଷ୍ଠୀ ଟେକା ପଥର ଫିଙ୍ଗା ଫିଙ୍ଗି ହୋଇ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିଲା । ଏ ନେଇ ଗୋବିନ୍ଦପୁର ଥାନାରେ ଉଭୟ ପକ୍ଷରୁ ଏତାଲା କରାଯାଇଥିବା ବେଳେ ଗୋବିନ୍ଦପୁର ପୁଲିସ୍ ପୃଥକ୍ ପୃଥକ୍ ମାମଲା ରୁଜୁ ହେବ ବୋଲି କହିଛି । କାହ୍ନୁଭୋଇଙ୍କ ଏତାଲା କ୍ରମେ ପୁଲିସ୍ ବିଜୟ ଭୋଇ ଓ ଅଜୟ ଭୋଇଙ୍କ ନାମ ଦେଇଥିବା ବେଳେ ଅପରପକ୍ଷରେ ବିଜୟ ଭୋଇଙ୍କ ଏତାଲା କ୍ରମେ ପୁଲିସ୍ ଜିତେଶ୍ ଭୋଇ, ଜତିନ୍ଦ୍ର ଭୋଇ, ସାହାବ ଭୋଇ, ତୋଫାନ ଭୋଇ, କପିଳା ଭୋଇ, ବାବନ ଭୋଇଙ୍କ ନାମରେ ଅଭିଯୋଗ ହୋଇଛି । ସେହିଭଳି ଗୋବିନ୍ଦପୁର ଥାନା ଅଧୀନସ୍ଥ ମଜୁରାଇ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିବାବେଳେ ଖଣ୍ଡାରେ ଆକ୍ରମଣ କରିବାକୁ ଗୋଡ଼ାଇଥିବା ଅଭିଯୋଗ ହୋଇଛି । ଏହିସବୁ ଘଟଣାର ତଦନ୍ତ ଗୋବିନ୍ଦପୁର ପୁଲିସ୍ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନଥିବା ପୁଲିସ୍ ପକ୍ଷରୁ ପ୍ରକାଶ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।