ଉପନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ
ଭୁବନେଶ୍ୱର (ବୁ୍ୟରୋ): ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ଉପନିର୍ବାଚନ ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ପଞ୍ଜାବ କ୍ୟାଡରର ୨୦୧୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମାଧବୀ କଟାରିଆ ଏବଂ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ୨୦୦୮ ବ୍ୟାଚ୍ର ବରିଷ୍ଠ ଆଇଆର୍ଏସ୍ ଅଧିକାରୀ ଏନ୍. ଅଶୋକ ବାବୁ ଜିଲ୍ଲାରେ ପହଞ୍ଚô ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଶ୍ରୀ ଲୋହାନୀ କହିଛନ୍ତି, ବ୍ରଜରାଜନଗର ଉପନିର୍ବାଚନରେ ସମୁଦାୟ ୨୧୫୮୭୮ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ତନ୍ମଧ୍ୟରେ ୧୧୦୦୫୦ ଜଣ ପୁରୁଷ, ୧୦୪୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଭୋଟ୍ଗ୍ରହଣ ନିମନ୍ତେ ଆବଶ୍ୟକ ହେଉଥିବା ୩୧୯ ବାଲାଟ୍ ୟୁନିଟ୍, ୩୧୯ କଣ୍ଟ୍ରୋଲ ୟୁନିଟ୍ ଏବଂ ୪୧୯ ଭିଭିପ୍ୟାଟ୍ ମହଜୁଦ୍ ହୋଇରହିଛି । କୋଭିଡ୍-୧୯ ଦୃଷ୍ଟିକୋଣରୁ ପ୍ରତ୍ୟେକ ବୁଥ୍ରେ ସର୍ବାଧିକ ୧୨୫୦ ଜଣ ଭୋଟର ରହିବା କାରଣରୁ ମୂଳବୁଥ୍ ବାଦ୍ ଅତିରିକ୍ତ ୨୨ ଗୋଟି ବୁଥ୍ ସ୍ଥାପନ ହୋଇ ସମୁଦାୟ ବୁଥ୍ ୨୭୯ ରହିଛି । ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ୍ଦେବାର ବ୍ୟବସ୍ଥା କରାଯାଇଛି ।
ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଦଶାନୁସାରେ ପୋଷ୍ଟାଲ ବାଲାଟ୍ ନିମନ୍ତେ ୫୨୫ ଜଣଙ୍କ ତାଲିକା ପ୍ରସ୍ତୁତି କରାଯାଇଥିଲା, ଯେଉଁଥିରୁ ୩୨୫ ଜଣ ଭୋଟର ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୋଲିଙ୍ଗ କର୍ମ·ରୀଙ୍କ ସହ ପୋଲିସ୍, ମାଇକ୍ରୋ ଅବଜର୍ବର, ଭିଡ଼ିଓଗ୍ରାଫର ଏବଂ ପ୍ରାର୍ଥୀଙ୍କ ଏଜେଣ୍ଟ ଘରକୁ ଘର ବୁଲି ପୋଷ୍ଟାଲ ବାଲାଟ୍ ଭୋଟ୍ ଆଣିବେ । ୧୩୯୬ ପୋଲିଂ କର୍ମ·ରୀ ନିୟୋଜିତ ହୋଇଛନ୍ତି । ଗୋଟିଏ ବୁଥ୍ ପାଇଁ ପୁଲିଙ୍ଗ ଦଳରେ ଜଣେ ପ୍ରଜାଇଡିଂ ଅଫିସରଙ୍କ ସହ ତିନିଜଣ ପୁଲିଙ୍ଗ ଅଫିସର ରହି ସୁରୁଖୁରୁରେ ମତଦାନ ଗ୍ରହଣ କରିବେ । ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲଠାରେ ଭୋଟ୍ଗ୍୍ରହଣ ନିମନ୍ତେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ମତଦାନ ପରେ ଇଭିଏମ୍ ଏବଂ ଭିଭିପ୍ୟାଟ୍ ଗ୍ରହଣ କେନ୍ଦ୍ର ସହ ଷ୍ଟ୍ରଙ୍ଗରୁମ୍ ସ୍ଥାପନା ଓ ଭୋଟ୍ଗଣତି କେନ୍ଦ୍ର କରାଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲାଇସେନ୍ସପ୍ରାପ୍ତ ୧୭୦ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ୧୦୪୮ ଜଣଙ୍କୁ ଅଟକ ରଖାଯାଇଛି, ୭୧ ଜଣ ବ୍ୟକ୍ତିଙ୍କ ନାମରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି ଓ ୮୩୫ ଲିଟର ମଦ ଜବତ କରାଯାଇଛି ।
ଉପନିର୍ବାଚନରେ ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା ପାଇଁ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବିଭିନ୍ନ ସର୍ଭିଲାନ୍ସ ଟିମ୍ ଯଥା-୨ଟି ଭିଏସ୍ଟିଏସ୍, ୫ଟି ଏସ୍ଏସ୍ଟି, ଗୋଟିଏ ଭିଭିଟି, ୬ ଟି ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଟିମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ୬୧ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି ଓ ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଦଶାନୁସାରେ ମତଦାନ ଦିନ ୫୦ ପ୍ରତିଶତ ବୁଥ୍ରେ ୱେବ୍କାଷ୍ଟିଂ କରାଯିବା ପାଇଁ ସ୍ଥିର କରାଯାଇଛି । ଏତଦ୍ବ୍ୟତୀତ ଦରକାର ପଡ଼ିଲେ ବୁଥ୍ରେ ଭିଡ଼ିଓଗ୍ରାଫି କରାଯିବ । ୩୦ଟି ବୁଥ୍କୁ “ମଡେଲ୍ ବୁଥ୍’ କରାଯାଇଛି । ୫ଟି ବୁଥ୍ରେ ପିଙ୍କ ବୁଥ୍ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ଭୋଟରଙ୍କ ନିମନ୍ତେ ଛାମୁଣ୍ଡିଆ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅର୍ଥ ଯୋଗାଇ ଦିଆଯାଇଛି । ସରକାରୀ କର୍ମଚାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ଭୋଟଗ୍ରହଣ ଦିନଟିକୁ ସବୈତନିକ ଛୁଟିଦିବସ ରୂପେ ଘୋଷଣା କରାଯାଇଛି ବୋଲି ଲୋହାନୀ ପ୍ରକାଶ କରିଛନ୍ତି ।