ଷ୍ଟିଲ୍ କାରଖାନା ସମ୍ମୁଖରେ ଜମିହରାଙ୍କ ଧାରଣା

ପ୍ରତିଶ୍ରୁତି ପରେ ବି ମିଳିନି ନିଯୁକ୍ତି
କେନ୍ଦୁଝର (ଆପ୍ର): ସଦର ବ୍ଲକ୍ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ ମସିହାରୁ ବ୍ରାଣ୍ଡ ଷ୍ଟିଲ୍ ଆଣ୍ଡ୍ ପାୱାର୍ ପ୍ରାଇଭେଟ୍ ଲିମିଟେଡ୍ କାରଖାନା କାର୍ଯ୍ୟକ୍ଷମ ହୋଇଛି । ଏହି କାରଖାନା ପାଇଁ ଜମି ଦେଇଥିବା ପରିବାରକୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି । ଯାହା ଫଳରେ ୧୯ ତାରିଖଠାରୁ ନିଯୁକ୍ତି ଦାବିରେ ଜମିହରା ପ୍ରଜାମାନେ କାରଖାନାର ମୁଖ୍ୟ ଫାଟକକୁ ଅବରୋଧ କରି ଆନେ୍ଦାଳନ ଜାରି ରଖିଛନ୍ତି ।
କାରଖାନା ପ୍ରତିଷ୍ଠା ହେଲେ ଜମିହରାଙ୍କୁ ନିଯୁକ୍ତି ସହ ପାରିପାଶ୍ୱର୍ିକ ଅଞ୍ଚଳର ବିକାଶ ଭଳି ଲୋଭାଣିଆ ପ୍ରତିଶ୍ରୁତି ଦେଇ ପଶ୍ଚିମବଙ୍ଗ ରାଜ୍ୟର ଜଣେ ଅଣଓଡ଼ିଆ ଶିଳ୍ପପତି ଶାଗମାଛ ଦରରେ ୨୦୦୪ ମସିହାରେ ୨୨.୪୬ ଏକର ଜମି ମୁରୁସୂଆଁ ଗ୍ରାମବାସୀଙ୍କ ଠାରୁ ଜମି କ୍ରୟ କରି କାରଖାନା ନିର୍ମାଣ ଆରମ୍ଭ କରିଥିଲେ । କାରଖାନା ନିର୍ମାଣ ଶେଷ ହୋଇ ଉତ୍ପାଦନକ୍ଷମ ହେଲେ ନିଯୁକ୍ତି ମିଳିବ ଏହି ଆଶାରେ ଜମିହରା ଏବଂ ସ୍ଥାନୀୟ ପ୍ରଭାବିତ ଗ୍ରାମବାସୀ କାରଖାନା କର୍ତ୍ତୃପକ୍ଷଙ୍କୁ ଅକୁଣ୍ଠ ସମର୍ଥନ କରିଥିଲେ । ୨୦୧୦ରୁ କାରଖାନା ତା’ର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଥିବା ବେଳେ ହାତଗଣତି କିଛି ଜମିହରାଙ୍କୁ ମାସିକ ସ୍ୱଳ୍ପ ବେତନରେ ନିଯୁକ୍ତିଦେଇ ଅବଶିଷ୍ଟ ୨୦ ଜଣ ଜମିହରାଙ୍କୁ କାରଖାନା କାର୍ଯ୍ୟକ୍ଷମର ୧୨ ବର୍ଷ ପରେ ମଧ୍ୟ ନିଯୁକ୍ତି ଦିଆନଯିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ଜମିହରାଙ୍କ ପ୍ରତି ଉଦାସୀନ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି । କମ୍ପାନୀ ଜମି ହାତେଇବା ପରେ ନିଯୁକ୍ତି ନ ଦେବାରୁ ଜମିହରାଙ୍କ ପକ୍ଷରୁ ନିଯୁକ୍ତି ଦାବିରେ କାରଖାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଜମିହରା ପ୍ରଜାମାନେ ଚେତାବନୀ ଦେଇଥିଲେ ।
ଜମିହରା ରଣଜିତ୍ ମହାନ୍ତ, ଦୁଷ୍ମନ୍ତ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଅଲେଖ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, ପରମାନନ୍ଦ ମହାନ୍ତ, ଦିଲ୍ଲୀପ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, ଲାଲମୋହନ ମହାନ୍ତ, ଅଖିଳ ମହାନ୍ତ, ଡମ୍ବରୁଧର ମହାନ୍ତ, ବଳଭଦ୍ର ମହାନ୍ତ, ଗୋପାଳଚନ୍ଦ୍ର ମହାନ୍ତ, ନିର୍ମଳମାଝୀ, ଅନୀଲ ମାଝୀ, ମଙ୍ଗଳୁ ମୁଣ୍ଡା, ଉମେଶ ପାତ୍ର, ନରେଶ ପାତ୍ର ଜମିହରାଙ୍କୁ ସମର୍ଥନ ଜଣାଇ ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ, ସମିତିସଭ୍ୟ ସଞ୍ଜୟ କୁମାର ନାଏକ ଓ ଜିଲ୍ଲା ପରିଷଦ ସଦସ୍ୟ ଲୀଳାବତୀ ମହାନ୍ତ ପ୍ରମୁଖ ଆନେ୍ଦାଳନକାରୀଙ୍କ ସହ ସାମିଲ ହୋଇଥିଲେ । ଜମିହରାଙ୍କ ଦାବି ପୂରଣ ନେଇ କମ୍ପାନୀ କର୍ତ୍ତୃପକ୍ଷ କୌଣସି ଆଲୋଚନା କରି ନ ଥିବା ଜଣାପଡ଼ିଛି । ଏଥିପୂର୍ବରୁ ୨୦୧୫ ମସିହାରେ ଜମିହରାମାନେ ଆନେ୍ଦାଳନ କରିବାରୁ ୧ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଥିଲା । ପ୍ରଶାସନ, ଜମିହରା ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ୫୯ ଜଣଙ୍କୁ ନିଯୁକ୍ତି ଦେବା ପରେ କାରଖାନା ପୁନଃ ଉତ୍ପାଦନ ଆରମ୍ଭ କରିଥିଲା । ଦୀର୍ଘ ୭ ବର୍ଷ ପରେ ପୁଣି ଆନେ୍ଦାଳନକୁ ଓହ୍ଲାଇଛନ୍ତି ଜମିହରା । ନିଯୁକ୍ତିରୁ ବଞ୍ଚିତ ଥିବା ୨୦ ଜଣଙ୍କୁ ତୁରନ୍ତ ଚୁକ୍ତି ମୁତାବକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । କମ୍ପାନୀ ଜାମୁଡ଼ିହା ସ୍କୁଲ ଛକଠାରୁ କାରଖାନା ଗେଟ୍ ପର୍ଯ୍ୟନ୍ତ ରାସ୍ତାରେ ଭାରିଯାନ ଚଳାଚଳ କରି ଗାଁ ରାସ୍ତା ନଷ୍ଟ କରୁଥିବା ଜାମୁଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *