ପ୍ଲାଷ୍ଟିକ୍ମୁକ୍ତ ହେବ କପିଳାସ ଶୈବପୀଠ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ପବିତ୍ର ପିଠସ୍ଥଳୀ ହେବ ପ୍ଲାଷ୍ଟିକ ମୁକ୍ତ । ସଫାସୁତୁରା ପରିବେଶରେ ପର୍ଯ୍ୟଟକ ଦିଅଁ ଦର୍ଶନ କରିପାରିବା ସଙ୍ଗେ ସଙ୍ଗେ ଏକ ସୁଖଦ ଅନୁଭୂତି ନେଇ ଫେରିବେ, କ୍ଲାଇମେଟ୍ ଚେଞ୍ଜ ଉପରେ ଯୁବପିଢିଙ୍କ ଫୋକସ୍ । ଏଭଳି ଏକ ମହତ ଉଦେ୍ଦଶ୍ୟ ନେଇ ପୁନର୍ବାର “ମିଶନ୍ ପ୍ଲାଷ୍ଟିକ୍ ଫ୍ରି ଅଭିଯାନ’ । ଏହି ଉପଲକ୍ଷେ ଶନିବାର ଢେଙ୍କାନାଳ ଜିଲ୍ଲା ର ଅଗ୍ରଣୀ ଯୁବ ଅନୁଷ୍ଠାନ ହେଲ୍ପିଙ୍ଗ୍ ହାଣ୍ଡ୍ସ୍ ସୋଶିଓ ଷ୍ପେସିଫିକ୍ (ଏଚ୍ ଟୁ ଏସ୍ ଟୁ) ଏବଂ ୟୁଥ୍ ଫର୍ ୱଟର୍ର ମିଳିତ ପ୍ରୟାସରେ ଶୈବପୀଠ କପିଳାସ ଅଞ୍ଚଳକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ଦିଗରେ ଏକ “ପ୍ଲାଷ୍ଟିକ୍ ଫ୍ରି ମିଶନ ଢେଙ୍କାନାଳ ଟୁରିଜିମ’ (ସ୍ୱଚ୍ଛ କପିଳାସ- ସୁନ୍ଦର ଢେଙ୍କାନାଳ) ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପର୍ବତାରୋହୀଣି ପ୍ରଭାସିନୀ ପରିଡା, ପ୍ରିତିମୟୀ ମହାନ୍ତି, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ,୧୦୦ରୁ ଊଦ୍ଧ୍ୱର୍ ସ୍ୱେଚ୍ଛାସେବୀ ଏବଂ ଯୁବପିଢ଼ି ଯୋଗ ଦେଇ ୩.୫ କିମି ପାହାଡ଼ ଚଢ଼ି ଆବର୍ଜନା, ବୋତଲ ସଂଗ୍ରହ କରିବା ସହ ସଫେଇ ଅଭିଯାନ କରିଥିଲେ ।
ଶୈବ ପୀଠକୁ ପଲିଥିନ ବାରଣ କରିବା ସହ ବ୍ୟବସାୟୀ ଙ୍କୁ ବ୍ୟବସାୟ ପାଇଁ ପଲିଥିନ ର ବିକଳ୍ପ ବ୍ୟବସ୍ଥା ଆପଣାଇଲେ କପିଳାସ ର ଶୋଭା ଆହୁରି ବଢିବ ବୋଲି ଦୁଇ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଇଥିଲା । ସେହିପରି କପିଳାସ କୁ ସ୍ୱଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ରଖିବା ଦିଗରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତାମାନେ ମତବ୍ୟକ୍ତ କରିଥିଲେ । ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ନିଜକୁ ଫିଟ୍ ରଖିବା ସହିତ ପରିବେଶ କୁ ସଫାସୁତୁରା ରଖି ପରିବେଶକୁ କିପରି ସୌନ୍ଦର୍ଯ୍ୟମୟ ରଖାଯାଇପାରିବ ସେହି ଦିଗରେ ଢେଙ୍କାନାଳ ଜିଲ୍ଲାର ଏହି ଯୁବ ଅନୁଷ୍ଠାନ ହେଲ୍ପିଙ୍ଗ୍ ହାଣ୍ଡ୍ସ୍ ସୋଶିଓ ଷ୍ପେସିଫିକ୍ (ଏଚ୍ ଟୁ ଏସ୍ ଟୁ) ଲଗାତାର ଏହି କାର୍ଯ୍ୟକ୍ରମର ପ୍ରୟାସ ଜାରି ରଖିବା ସହିତ ଆଗକୁ ଏହି ସଚେତନତା ବାର୍ତା କୁ ଢେଙ୍କାନାଳ ସମେତ ଓଡିଶା ର ସମସ୍ତ କୋଣ ଅନୁକୋଣ ରେ ପହଞ୍ଚାଇବା ପାଇଁ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ ଲକ୍ଷ ରଖିଥିବା ସହ ଦୃଢୋକ୍ତିର ସହ ମତ ପ୍ରକାଶ କରିଛନ୍ତି ।