ଶ୍ରାବଣୀଙ୍କୁ ୨୦୦ମି. ସ୍ୱର୍ଣ୍ଣ
– ପୁରୁଷ ୨୦୦ମି.ରେ ଆର୍ଯ୍ୟନଙ୍କୁ ରୌପ୍ୟ, ଅମୀୟଙ୍କୁ କାଂସ୍ୟ
– ପୁରୁଷ ହାଇଜମ୍ପ୍ରେ ସ୍ୱାଧୀନଙ୍କୁ କାଂସ୍ୟ
– ମହିଳା ୮୦୦ମି.ରେ ଲକ୍ଷ୍ମୀପ୍ରିୟାଙ୍କୁ କାସ୍ୟ
ଭୁବନେଶ୍ୱର, ୨୧ା୫ (ବୁ୍ୟରୋ): କଳିଙ୍ଗ ଷ୍ଟାଡିୟମ୍ରେ ଶନିବାର ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି ୩ ଆଥ୍ଲେଟିକ୍ସ ପ୍ରତିଯୋଗିତାରେ ଓଡ଼ିଶାର ଶ୍ରାବଣୀ ନନ୍ଦ ମହିଳାଙ୍କ ୨୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅନ୍ୟତମ ୩୧ ବର୍ଷୀୟା ଆଥ୍ଲେଟ୍ ଉତ୍ତର ପ୍ରଦେଶର ସରିତା ରୋହିତ ସିଂହ ମହିଳାଙ୍କ ହାମର୍ ଥ୍ରୋ’ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପୁରୁଷଙ୍କ ୨୦୦ମି.ରେ ଓଡ଼ିଶାର ଆର୍ଯ୍ୟନ ଏକ୍କା ରୌପ୍ୟ ଓ ଅମୀୟ ମଲ୍ଲିକ କାଂସ୍ୟ ପଦକ ପାଇଥିବା ବେଳେ ମହିଳା ୮୦୦ମି.ରେ ଓଡ଼ିଶାର ଲକ୍ଷ୍ମୀପ୍ରିୟାଙ୍କୁ କାସ୍ୟ ପଦକ ମିଳିଛି । ଅନ୍ୟପଟେ, ପୁରୁଷଙ୍କ ହାଇଜମ୍ପ୍୍ରେ ଓଡ଼ିଶାର ସ୍ୱାଧୀନ ମାଝୀ କାସ୍ୟ ପଦକ ମିଳିଛି । ଓଡ଼ିଶା ମୋଟ୍ ପାଞ୍ଚ ପଦକ ହାସଲ କରିଛି ।
୨୦୧୮ ଜୁନ୍ ପର ଠାରୁ ଘରୋଇ ମାଟିରେ ପ୍ରଥମ ଜାତୀୟ-ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଶ୍ରାବଣୀଙ୍କୁ ୨୦୦ ମିଟର ଦୌଡ଼ରେ ବଡ଼ ଆହ୍ୱାନ ମିଳି ନ ଥିଲା । ସେ ରେସ୍ ପୂରା କରିବାକୁ ୨୪.୦୪ ସେକେଣ୍ଡ ସମୟ ନେଇଥିଲେ । ଦ୍ୱିତୀୟ ସ୍ଥାନରେ ରହିଥିବା ହରିୟାଣାର ସୋନିଆ ୨୪.୮୨ ସେକେଣ୍ଡ ସମୟ ନେଇଥିବା ବେଳେ ତୃତୀୟ ସ୍ଥାନ ପାଇଥିବା ପଶ୍ଚିମବଙ୍ଗର ରାଜଶ୍ରୀ ପ୍ରସାଦ୨୫.୦୦ ସେକେଣ୍ଡରେ ରେସ୍ ପୂରା କରିଥିଲେ ।
ହାମର୍ ଥ୍ରୋଅର୍ ସରିତା ନିରନ୍ତରତା ବଜାୟ ରଖି ଚଳିତ ବର୍ଷ ତୃତୀୟ ଇଭେଣ୍ଟ ଜିତିଛନ୍ତି । ସେ ୬୧.୪୧ ମିଟର ଥ୍ରୋ’ କରି ସର୍ବାଗ୍ରେ ରହିଥିଲେ । ତେବେ ଚଳିତ ସିଜନ୍ରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୬୪.୧୬ମି. । ଗତ ମାସରେ କୋଝିକୋଡ଼େଠାରେ ଆୟୋଜିତ ଫେଡେରେସନ୍ କପ୍ରେ ସେ ଏହି ପ୍ରଦର୍ଶନ କରିଥିଲେ । ଶନିବାର ତାଙ୍କର ଚାରି ବୈଧ ପ୍ରୟାସ ୬୦ମି. ମାର୍କ ଅତିକ୍ରମ କରିଥିଲା । ମହାରାଷ୍ଟ୍ରର ସ୍ନେହ ସୁର୍ଯ୍ୟକାନ୍ତ ଜାଧବ ୫୧.୪୬ମି. ଥ୍ରୋ କରି ଦ୍ୱିତୀୟ ଏବଂ ହରିୟାଣାର ସ୍ନେହା ୩୬.୬୪ମି. ଥ୍ରୋ କରି ତୃତୀୟ ସ୍ଥାନ ହାସଲ କରିଥିଲେ ।
ପୁରୁଷଙ୍କ ପୋଲ୍ ଭଲ୍ଟରେ ତାମିଲନାଡ଼ୁର ଜି. ଦୀନଦୟାଲନ୍ (୪.୬୦ମି.) ପ୍ରଥମ ସ୍ଥାନରେ ରହିଥିବା ବେଳେ କେବଳର ବିନୀଶ ଜାକୋବ ଓ ହରିୟାଣାର ମନୀଷ ସିଂହ ୪.୪୦ମି. ସହ ରୌପ୍ୟ ପଦକ ପାଇଥିଲେ ।
ପୁରୁଷଙ୍କ ହାଇଜମ୍ପ୍ରେ ମହାରାଷ୍ଟ୍ରର ସର୍ବେଶ ଅନୀଲ କୁଶାରେ ୨.୨୧ ମିଟର ଉଚ୍ଚକୁ ଜମ୍ପ୍ କରି ପ୍ରଥମ ସ୍ଥାନରେ ରହିଥିଲେ । ହରିୟାଣାର ଜେସି ସନେ୍ଦଶ ୨.୧୮ମି. ସହ ଦ୍ୱିତୀୟ ଓ ଓଡ଼ିଶାର ସ୍ୱାଧୀନ ୨.୦୫ମି. ସହ ତୃତୀୟ ସ୍ଥାନରେ ରହିଥିଲେ । ଅନ୍ୟତମ ଓଡ଼ିଶା ଖେଳାଳି ନିଖିଳ ଦାସ ୧.୯୫ମି. ସହ ଚତୁର୍ଥ ସ୍ଥାନ ପାଇଥିଲେ ।
ପୁରୁଷଙ୍କ ୨୦୦ମି. (ବେଷ୍ଟ ଅଫ୍ ରେସ୍ ଏ ଓ ବି)ରେ ମହାରାଷ୍ଟ୍ରର ଅକ୍ଷୟ ଅନ୍ନାପ୍ପା ସେଟ୍ଟି ୨୧.୮୬ ସେକେଣ୍ଡରେ ରେସ୍ ପୂରା କରିଥିଲେ । ଆର୍ଯ୍ୟନ ୨୧.୮୭ ସେକେଣ୍ଡ ସମୟ ନେଇଥିବା ବେଳେ ଅମିୟ ୨୨ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱ ଅତିକ୍ରମ କରିଥିଲେ । ରେସ୍-ଏ’ରେ ଅକ୍ଷୟ ପ୍ରଥମ ଓ ଅମୀୟ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହିପରି ରେସ୍-ବି’ରେ ଆର୍ଯ୍ୟନ ପ୍ରଥମ ଓ ମହାରାଷ୍ଟ୍ରର ଅକ୍ଷୟ ପ୍ରକାଶ ଖଟ ଦ୍ୱିତୀୟ ସ୍ଥାନ ପାଇଥିଲେ ।
ମହିଳା ୮୦୦ମି.ରେ ପଶ୍ଚିମବଙ୍ଗର ଲିଲି ଦାସ ୨:୧୦.୭୨ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଉତ୍ତର ପ୍ରଦେଶର ସ୍ନେହଲତା ଯାଦବ (୨:୧୭.୨୬) ଦ୍ୱିତୀୟ ଓ ଓଡ଼ିଶାର ଲକ୍ଷ୍ମୀପ୍ରିୟା (୨:୧୭.୩୯) ତୃତୀୟ ସ୍ଥାନରେ ରହିଥିଲେ ।
ମହିଳାଙ୍କ ଟ୍ରିପଲ୍ ଜମ୍ପ୍ରେ ଆନ୍ଧ୍ର ପ୍ରଦେଶର ମଲ୍ଲଲା ଅନୁଷା (୧୨.୯୦ମି.), ମହାରାଷ୍ଟ୍ରର ପୂର୍ବା ହିତେଶ ସାୱନ୍ତ (୧୨.୬୦ମି.) ଓ ଶର୍ବରୀ ଅଭିନାସ ପରୁଲେକର (୧୨.୨୬ମି.) ପ୍ରଥମ ତିନି ସ୍ଥାନରେ ରହିଥିଲେ । ପୁରୁଷଙ୍କ ଟ୍ରପଲ୍ ଜମ୍ପ୍ରେ କେରଳର ଅବଦୁଲ୍ଲା ଅବୁବାକର (୧୭.୧୯ମି.) ଓ କାର୍ତ୍ତିକ ଉନ୍ନିକ୍ରିଷ୍ଣନ୍ (୧୭.୧୦ମି.) ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଥମ ଦୁଇ ସ୍ଥାନରେ ରହିଥିଲେ । ସେମାନେ ଦେଶର ତୃତୀୟ ଓ ଚତୁର୍ଥ ଟ୍ରପଲ୍ ଜମ୍ପର୍ ଭାବେ ୧୭ମି. ମାର୍କ ଅତିକ୍ରମ କରିଥିଲେ ।
ପୁରୁଷଙ୍କ ୧୧୦ମି. ହର୍ଡଲ୍ସରେ ଆନ୍ଧ୍ର ପ୍ରଦେଶର ଯଶବନ୍ତ କୁମାର ଲାଭେଟି (୧୪.୬୧ସେ.), ତାମିଲ୍ନାଡ଼ୁର ପ୍ରେମ କୁମାର (୧୪.୭୦ସେ.) ଓ ପି. ବୀରମଣୀ (୧୪.୮୩ସେ.) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ମଧ୍ୟରେ ରହିଥିଲେ । ମହିଳାଙ୍କ ୧୦୦ମି. ହର୍ଡଲ୍ସରେ ତାମିଲନାଡ଼ୁର ସି. କନିମୋଇ (୧୪.୦୯ସେ.), ଏସ୍. ଶ୍ରୀରେଶମା (୧୪.୬୦ସେ.) ଓ ମହାରାଷ୍ଟ୍ରର ପ୍ରିୟା ଶଭାଜିତ ଗୁପ୍ତା (୧୫.୩୮ସେ.) ପ୍ରଥମ ତିନି ସ୍ଥାନ ଅଧିକାର କରିଥିଲେ ।
ମହିଳାଙ୍କ ଡିସ୍କସ୍ ଥ୍ରୋ’ରେ ପଞ୍ଜାବର ନବଜିତ କୌର ଧିଲୋଁ ୫୮.୦୩ମି. ଥ୍ରୋ’ କରି ପ୍ରଥମ, ୟୁପିର ସୀମା ପୁନିଆ (୫୫.୯୭ମି.) ଦ୍ୱିତୀୟ ଓ ହରିୟାଣାର ନିଧି ରାଣୀ (୫୨.୬୩ମି.) ତୃତୀୟ ସ୍ଥାନରେ ରହିଥିଲେ । ମହିଳା ସଟ୍ପୁଟ୍ରେ ହରିୟାଣାର ମନପ୍ରୀତ କୌର (୧୬.୮୧ମି.), ମହାରାଷ୍ଟ୍ରର ଆଭା ଖଟୁଆ (୧୬.୬୦ମି.) ଓ ରାଜସ୍ଥାନର କାଚନାର ଚୌଧୁରୀ (୧୪.୯୯ମି.) ପ୍ରଥମ ତିନି ସ୍ଥାନରେ ରହିଥିଲେ । ପୁରୁଷଙ୍କ ସଟ୍ପୁଟ୍ରେ ପଞ୍ଜାବର କରନବୀର ସିଂହ (୧୯.୬୭ମି.), ହରିୟାଣାର ଇନ୍ଦରଜିତ ସିଂହ (୧୭.୯୯ମି.) ଓ ପଞ୍ଜାବର ଧନବୀର ସିଂହ (୧୭.୮୭ମି.) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ମଧ୍ୟରେ ରହିଥିଲେ ।