ଟ୍ରେନ୍ ଧକ୍କାରେ ୩ ହାତୀ ମୃତ

ପୁଣି ସଙ୍କଟରେ ଗଜରାଜ
କେନ୍ଦୁଝର, ୨୦ା୫ (ଆପ୍ର): କେନ୍ଦୁଝର ଜିଲ୍ଲାରେ ଗଜରାଜଙ୍କ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । ଏହି ଜିଲ୍ଲାରେ କେତେବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ଟ୍ରେନ ଓ ଅନ୍ୟାନ୍ୟ ଯାନବାହନ ଧକ୍କାରେ ପ୍ରାଣ ଯାଉଛି । ଗୁରୁବାର ରାତିରେ ଟ୍ରେନ୍ ଧକ୍କାରେ ଆହତ ହୋଇଥିବା ୩ ହାତୀ ଶୁକ୍ରବାର ପ୍ରାଣ ହରାଇଛନ୍ତି । ଯାହା ସଚେତନ ନାଗରିକ ଓ ପରିବେଶବିତଙ୍କୁ ମର୍ମାହତ କରିଛି । କିନ୍ତୁ ହାତୀ ମୃତୁ୍ୟ ରୋକିବାରେ ବନ ବିଭାଗ କି ରେଳବାଇ କେହିୂ ଆଗ୍ରହୀ ଥିବା ପରି ମନେ ହେଉନି ।
ଗତ ରାତିରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡା ସେକ୍ସନ ବାଁଶପାଣି ବେହେରା ହାଟିଂ ନିକଟରେ ୨୨ ଟିକିଆ ହାତୀପଲ ଟ୍ରେନ ଲାଇନ ପାର ହେଉଥିବା ବେଳେ ଟ୍ରେନ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ବାଂଶପାଣିରୁ ଜୁରୁଡି ଯାଉଥିବା ଏକ ମାଲବାହୀ ଟ୍ରେନ ହତୀପଲକୁ ଧକ୍କା ଦେଇଥିଲା । ଏକ ମାଈ ହତୀ ଓ ଦୁଇ ଛୁଆ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଅନ୍ୟ ହାତୀଗୁଡ଼ିକ ମା-ଛୁଆଙ୍କୁ ଜଗି ରହିଥିଲେ । ଦୁର୍ଘଟଣାର କିଛି ସମୟ ପରେ ଏକ ଛୁଆ ହାତୀ ପ୍ରାଣ ହରାଇଥିଲା । ଶୁକ୍ରବାର ସକାଳେ ମା’ ଓ ଅନ୍ୟ ଛୁଆର ମୃ୍ତୁ୍ୟ ଘଟିଥିବା ଜଣାପଡ଼ିଛି । ହାତୀ ପଲ ଘେରି ଗର୍ଜନ ତର୍ଜନ କରୁଥିବାରୁ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରି ନ ଥିଲା ।
ଯୋଡ଼ା ବନବିଭାଗ ଅଧିକାରୀମାନେ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ହାତୀପଲ ଘେରି ରହିଥିବାରୁ ସେମାନେ ଆହତ ହାତୀଙ୍କ ନିକଯକୁ ଯାଇ ପାରି ନ ଥିଲେ । ଫଳରେ ଆହତ ହାତୀଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା କରାଯାଇ ପାରି ନ ଥିଲା ବୋଲି ଜଣାପଡ଼ିଛି ।
ହାତୀପଲ ରେଳ ଧାରଣା ପାର ହେଉଥିବା ସମୟରେ ଟ୍ରେନକୁ ଅଟକାଇବା ଲାଗି ଚାଳକ ଯଥାସାଧ୍ୟ ଉଦ୍ୟମ କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ପହଞ୍ଚିଥିବା ବନ ବିଭାଗ ଅଧିକାରୀ କହିଛନ୍ତି, ଧକ୍କା ହୋଇଥିବା ସ୍ଥାନରେ ହାତୀପଲ ପ୍ରାୟ ଯାତାୟାତ କରି ନ ଥାନ୍ତି । କିନ୍ତୁ ଗୁରୁତ୍ୱପୁର୍ଣ୍ଣ ହେଉଛି, କେନ୍ଦୁଝର ଜିଲ୍ଲାରେ ହାତୀ ଚଲାପଥ ଉପରେ କେତେକ ସ୍ଥାନରେ ସଚେତନତା ବୋର୍ଡ ଲଗାଇ ଦେଇ ବନ ବିଭାଗ ନିଶ୍ଚିତରେ ବସିଛି ।
ଅଧିକାଂଶ ଚଲାପଥ ଜବରଦଖଲରେ ରହିଥିବାରୁ ହାତୀଙ୍କ ଚଳପ୍ରଚଳରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ।
ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବାରେ ବନ ବିଭାଗ ବିଫଳ ହୋଇଛି । ଓ୍ୟାଚ୍ ଟାୱାର ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି । ବନ ବିଭାଗ ତୁରନ୍ତ ହାତୀ ସୁରକ୍ଷା ଦିଗରେ ଅଧିକ ଯନôବାନ ହେବାକୁ ଦାବି ହୋଇଛି । ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ମଧ୍ୟ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କାରେ ୩ ହାତୀ ପ୍ରାଣ ହରାଇଥିଲେ । ସେହିପରି ୨୦୧୮ ମସିହାରେ ସଦର ରେଞ୍ଜର ରାମଚନ୍ଦ୍ରପୁରରେ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତୁ୍ୟ ଘଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *