ଭାରତରେ ଓମିକ୍ରନ୍ର ନୂଆ ଭାରିଏଣ୍ଟ ବିଏ.୪
ନୂଆଦିଲ୍ଲୀ, ୨୦ା୫: ଭାରତରେ କରୋନା ସଂକ୍ରମଣ ମାମଲା କ୍ରମଶଃ କମୁଥିବା ବେଳେ ଏହି ଭୂତାଣୁର ଏକ ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି । ହାଇଦ୍ରାବାଦର ଜନୈକ ଡାକ୍ତରଙ୍କ ଠାରେ ବିଏ.୪ ଓମିକ୍ରନ୍ ଭାରିଏଣ୍ଟ୍ର ପ୍ରଥମ ମାମଲା ସାମ୍ନାକୁ ଆସିଛି । ରୋଗୀମାନଙ୍କଠାରେ ନୂଆ କୋଭିଡ୍ ଭାରିଏଣ୍ଟ୍ ଚିହ୍ନଟ କାର୍ଯ୍ୟରେ ନିୟୋଜିତ ବୈଜ୍ଞାନିକମାନଙ୍କ ଗୋଷ୍ଠୀ ଇଣ୍ଡିଆନ୍ ସାର୍ସ-କୋଭ-୨ ଜିନୋମିକ୍ସ କନସୋର୍ଟିଅମ୍ (ଇନ୍ସାକଗ୍) ଏହି ସୂଚନା ଦେଇଛି ।
ଯେଉଁ କୋଭିଡ୍ ସଂକ୍ରମିତ ରୋଗୀଙ୍କଠାରୁ ବି.୪ ଓମିକ୍ରନ୍ ଭାରିଏଣ୍ଟ୍ ମିଳିଛି, ତାଙ୍କ ସାମ୍ପଲ୍ ଚଳିତ ମାସ ୯ ତାରିଖ ଦିନ ନିଆଯାଇଥିଲା । ଚଳିତବର୍ଷ ଜାନୁଆରୀରୁ ଏ ପର୍ଯ୍ୟନ୍ତ ଆମେରିକା ଓ ୟୁରୋପରେ ଓମିକ୍ରନ୍ର ଅନେକ ଭାରିଏଣ୍ଟ୍ର ସନ୍ଧାନ ମିଳିଛି । କିନ୍ତୁ ପ୍ରଥମ ଥର ପାଇଁ ଭାରତରେ ବିଏ.୪ ଭାରିଏଣ୍ଟ୍ ସାମ୍ନାକୁ ଆସିଛି ।
ପ୍ରତ୍ୟେକ ସଂକ୍ରାମକ ରୋଗ ଉପରେ ନଜର ରଖି ଆସିଥିବା ୟୁରୋପୀୟ ଏଜେନ୍ସି ଇସିଡିପିସି ବିଏ.୪ ଓ ବିଏ.୫ ଓମିକ୍ରନ୍ ଭାରିଏଣ୍ଟ୍କୁ ‘ଭାରିଏଣ୍ଟ୍ ଅଫ୍ କନ୍ସର୍ଣ୍ଣ’ ଘୋଷଣା କରିଥିଲା । ଇସିଡିପିସି ମତରେ ମନୁଷ୍ୟ ଶରୀରରେ ଏହି ଦୁଇ ଭାରିଏଣ୍ଟ୍ର ପ୍ରଭାବ ମାରାତ୍ମକ ହୋଇପାରେ ଏବଂ ଏହା ଯୋଗୁ ୟୁରୋପରେ ପୁନର୍ବାର ମହାମାରୀ ସ୍ଥିତି ଉପୁଜିପାରେ । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ବିଏ.୪ ଓ ବିଏ.୫ ଚିହ୍ନଟ ହୋଇଥିଲା । ଏହା ଦକ୍ଷିଣ ଆଫି୍ରକା ଦେଇ ଆମେରିକା, ୟୁକେ, ଜର୍ମାନୀ ଓ ଡେନ୍ମାର୍କ ଆଦି ୟୁରୋପୀୟ ଦେଶରେ କରୋନାର ନୂଆ ଲହର ସୃଷ୍ଟି କଲା ।
ଷ୍ଟଡି ରିପୋର୍ଟ ଅନୁଯାୟୀ ବିଏ.୪ ଓ ବିଏ.୫ ଉଭୟ ଭାରିଏଣ୍ଟ୍ ଓମିକ୍ରନ୍ର ମୂଳ ରୂପଠାରୁ ସମ୍ପୂର୍ଣ୍ଣ ଅଲଗା । ଅନେକ ଦେଶରେ ସଂକ୍ରମିତ ବିଏ.୨ର ଭାରିଏଣ୍ଟ୍ର ସ୍ଥାନ ନେଇଛି ଏହି ଦୁଇ ଭାରିଏଣ୍ଟ୍ । ଭାରତର ଅନେକ ରାଜ୍ୟରେ ବିଏ.୨ ଭାରିଏଣ୍ଟ୍ ସକ୍ରିୟ ଥିବା ଦୃଷ୍ଟିରୁ ବିଏ.୪ ଭାରିଏଣ୍ଟ୍ ଚିହ୍ନଟ ହେବା ବୈଜ୍ଞାନିକ ମହଲରେ ଉଦ୍ବେଗ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ଅଧିକାରୀମାନେ କହୁଛନ୍ତି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ ବିଏ.୪ର ପ୍ରଭାବ ଦେଖିବାକୁ ମିଳିପାରେ । ସେତେବେଳେ ଯାଇ ଏହାର ଗମ୍ଭୀରତା ଆକଳନ କରାଯାଇପାରିବ ।