ଜୁନ୍ ୨ଠ ସୁଦ୍ଧା ରିପୋର୍ଟ ଦିଅ

ପେଗାସସ୍ ବିବାଦ
ହାଇଦ୍ରାବାଦ୍ (ଏଜେନ୍ସି): ପେଗାସସ୍ ବିବାଦରେ ଆସନ୍ତା ୨୦ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ପେଗାସସ୍ ଟେକ୍ନିକାଲ୍ ପ୍ୟାନେଲ୍କୁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜେ ହିଁ ଗୋଟିଏ ଟେକ୍ନିକାଲ କମିଟି ଗଠନ କରିଥିଲେ । କମିଟି ତଦନ୍ତ କରି କୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଛି । ଏହାର ଶୁଣାଣି ବେଳେ ଚୂଡ଼ାନ୍ତ ରିପୋର୍ଟ ପାଇଁ କମିଟି ୪ ସପ୍ତାହ ସମୟ ମାଗିଥିଲା । କୋର୍ଟ ମଧ୍ୟ ଏଥିରେ ରାଜି ହୋଇଛି । ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ଭି ରମନ୍ନା ଏବଂ ହିମା କୋହଲିଙ୍କ ଏକ ବେଞ୍ଚ ଟେକ୍ନିକାଲ କମିଟିକୁ ଜୁନ୍ ୨୦ ସୁଦ୍ଧା ପେଗାସସ୍ ବିବାଦର ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହାପରେ ସୁପରଭାଇଜିଂ ଜଜ୍ ଟେକ୍ନିକାଲ କମିଟିର ରିପୋର୍ଟକୁ ଅନୁଧ୍ୟାନ କରି ନିଜର ମତମତ ଜୁନ୍ ଶେଷ ସୁଦ୍ଧା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ । ଏହାପରେ ମାମଲାର ଶୁଣାଣି କରାଯିବ ।
କୋର୍ଟରେ ଦାଖଲ ହୋଇଥିବା ଅନ୍ତରୀଣ ରିପୋର୍ଟ ଅନୁଯାୟୀ, ୨୯ ଜଣ ବ୍ୟକ୍ତି ପ୍ୟାନେଲ ସମ୍ମୁଖରେ ଯାଞ୍ଚ ପାଇଁ ମୋବାଇଲ୍ ଫୋନ୍ ଦାଖଲ କରିଛନ୍ତି । ଏହି ପ୍ୟାନେଲ୍ରେ ପେଗାସସ୍ ଗୁପ୍ତଚର ମାମଲାରେ ସାମ୍ବାଦିକ, ସାମାଜସେବୀ ତଥା ଅନ୍ୟ ବ୍ୟକ୍ତିବିଶେଷଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା । ବେଞ୍ଚ ଆହୁରି କହିଛି ଯେ ପ୍ୟାନେଲ୍ ମାଲ୍ୱେୟାର୍ରେ ସଂକ୍ରମିତ ଉପକରଣଗୁଡ଼ିକୁ ଯାଞ୍ଚ କରୁଛି । ଗୁପ୍ତଚରର ମୁକାବିଲା ପାଇଁ ବିସ୍ତୃତ ରିପୋର୍ଟ ମଧ୍ୟ ଆବଶ୍ୟକୀୟ ଆଇନଗତ ସଂଶୋଧନ କରିବ ।
ପ୍ରକାଶ ଯୋଗ୍ୟ ଯେ ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ଏନେଇ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଏଥିପାଇଁ କୋର୍ଟ ପ୍ୟାନେଲ ଗଠନ କରିଥିଲେ । ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ହୋଇଥିବା ଲ୍ୟାବ୍ ଯାଞ୍ଚରେ ପାଖାପାଖି ୧୪ ଜଣ ସାମାଜିକ କର୍ମୀ, ସାମ୍ବାଦିକ, ବିରୋଧୀ ଦଳ ନେତା ଓ ଅନ୍ୟ ଲୋକଙ୍କ ଫୋନ୍କୁ ହ୍ୟାକ୍ କରାଯାଇଥିବା ସ୍ପଷ୍ଟ ହୋଇଥିବା କୁହାଯାଇଥିଲା । ୨୦୧୭ ଜୁଲାଇରେ ଭାରତର ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍ ଜରିଆରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ କିଛି ସାମାଜିକକର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି ଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା ।
ଉଲ୍ଲେଖନୀୟ ଯେ ପେଗାସସ୍ ଏପରି ଏକ ସ୍ପାଇୱେୟାର୍ ଯାହା କେବଳ ଫୋନ୍ ନମ୍ବର ଅଧାରରେ ସମସ୍ତ ତଥ୍ୟ ଚୋରି କରିପାରିବ । ଫୋନ୍ କଲ୍, ହ୍ୱାଟ୍ସଆପ୍ ଚ୍ୟାଟ୍, ଫେସ୍ବୁକ୍ ଅପଡେଟ୍ ଆଦି ତଥ୍ୟ ଫୋନ୍ ବ୍ୟବହାରକାରୀଙ୍କ ଅଜ୍ଞାତରେ ପେଗାସସ୍ ସ୍ପାଇୱେୟାର୍ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ । ଏହିପରି ଭାବେ ପେଗାସସ୍ ବିଶ୍ୱର ବହୁ ଲୋକଙ୍କ ତଥ୍ୟ ହାସଲ କରିଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଓ ଫରବିଡିନ୍ ଷ୍ଟୋରିଜ୍ ଦାବି କରିଥିଲେ । ଏହି ଦୁଇ ସଂସ୍ଥା ସହ ଆଉ କେତେକ ସଂସ୍ଥା ମିଶି ପେଗାସସ୍ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳାଇଥିଲେ । ଅନୁସନ୍ଧାନ ରିପୋର୍ଟ ପରେ ଭାରତରେ ହଇଚଇ ସୃଷ୍ଟି ହୋଇଥିଲା । ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *