ନିଖତଙ୍କୁ ସ୍ୱର୍ଣ୍ଣିମ ସାଫଲ୍ୟ

ବିଶ୍ୱ ବିଜୟିନୀ ହେବାରେ ପଞ୍ଚମ ଭାରତୀୟ
ନୂଆଦିଲ୍ଲୀ, ୧୯ା୫ (ଏଜେନ୍ସି): ଭାରତୀୟ ବକ୍ସର ନିଖତ ଜରୀନ ୫-୦ରେ ତୁର୍କୀର ଇସ୍ତାନବୁଲ୍ଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପ୍ସରେ ଦେଶ ପକ୍ଷରୁ ଏକମାତ୍ର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୫ବର୍ଷୀୟ ନିଖତ ଫ୍ଲାଏୱେଟ୍ (୫୨ କିଗ୍ରା) ଫାଇନାଲ୍ରେ ଥାଇଲାଣ୍ଡର ଜିତପୋଙ୍ଗ ଜୁଟାମାସଙ୍କୁ ୫-୦ରେ ସହଜରେ ହରାଇ ବିଶ୍ୱ ବିଜୟିନୀ ହୋଇଛନ୍ତି ।
ବିଶ୍ୱ ବିଜୟିନୀ ହେବାରେ ନିଖତ ଭାରତର ପଞ୍ଚମ ବକ୍ସର ହେବାର ଗୌରବ ଅର୍ଜନ କରିଛନ୍ତି । ଏଥି ପୂର୍ବରୁ ଛଅ ଥର ବିଜୟିନୀ ଏମ୍ସି ମେରୀ କମ୍ (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮), ସରିତା ଦେବୀ (୨୦୦୬), ଜେନୀ ଆର୍ଏଲ୍ (୨୦୦୬) ଓ ଲେଖା କେସି (୨୦୦୬) ବିଶ୍ୱ ମୁକୁଟ ଜିତି ସାରିଛନ୍ତି । ମହିଳା ବିଶ୍ୱ ଚାମ୍ପିଅନ୍ସିପ୍ସରେ ଭାରତର ଏହା ୧୦ମ ସ୍ୱର୍ଣ୍ଣ ।
ନିଖତ ପୂରା ଟୁର୍ଣ୍ଣାମେଣ୍ଟରେ ଜୋର୍ଦାର ଫର୍ମରେ ଥିଲେ । ଏହାର ପ୍ରମାଣ ଥିଲା, ସେ ସମସ୍ତ ମ୍ୟାଚ୍ ୫-୦ରେ ଏକତରଫା ଭାବେ ଜିତିଥିଲେ । ସେ ଦମ୍ଦାର ଢଙ୍ଗରେ ଫାଇନାଲ୍ ବାଉଟ୍ର ଆରମ୍ଭ କରିଥିଲେ ଏବଂ ପ୍ରଥମ ରାଉଣ୍ଡ ୫-୦ ବ୍ୟବଧାନରେ କରାୟତ୍ତ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ଥାଇ ବକ୍ସର ପ୍ରତ୍ୟାବର୍ତ୍ତନ କରି ୩-୨ରେ ଜିତିଥିଲେ । ଏହାପରେ ନିଖତ ତୃତୀୟ ରାଉଣ୍ଡରେ ଜୋର୍ଦାର ପ୍ରଦର୍ଶନ କରି ଓଭର୍ଅଲ୍ ୫-୦ରେ ବିଜୟ ହାସଲ କରିଥିଲେ ।
ନିଖତଙ୍କ ସ୍ୱର୍ଣ୍ଣ ଛଡ଼ା ମନୀଷା ମଉନ (୫୭କିଗ୍ରା) ଓ ନବାଗତା ପରବୀନ ହୁଡ଼ା (୬୩କିଗ୍ରା) କାଂସ୍ୟ ପଦକ ସହ ସ୍ୱଦେଶ ଫେରିବେ । ଏହି ପ୍ରତିଯୋଗିତାରେ ଭାରତର ୧୨ଜଣିଆ ଦଳ ଭାଗ ନେଇଥିଲା । ଶେଷ ଥର ଚାରି ବର୍ଷ ତଳେ ମେରୀ କମ୍ ୨୦୧୮ ସଂସ୍କରଣରେ ୪୮କିଗ୍ରାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଭାରତ ଏଥର ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି କାଂସ୍ୟ ପଦକ ପାଇଛି । ଏ ଯାବତ୍ ଖେଳାଯାଇଥିବା ୧୨ ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟ୍ ୧୦ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୧୯ କାଂସ୍ୟ ପଦକ ହାସଲ କରିଛି । ୩୭ ପଦକ ସହ ଭାରତ ଏହି ଇଭେଣ୍ଟର ତୃତୀୟ ସଫଳ ଦେଶ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *