ଏସ୍ଏଚ୍ଜି ଗ୍ରୁପ୍ ନାମରେ ହରିଲୁଟ୍!

ନିମ୍ନମାନର ଛତୁଆ
ବ୍ରହ୍ମପୁର (ବୁ୍ୟରୋ): ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ରୋଜଗାରକ୍ଷମ କରାଇବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ ହେଉଛି । ସରକାର ପ୍ରତିଟି ଯୋଜନାରେ ଏସ୍ଏଚ୍ଜିଙ୍କୁ ସାମିଲ କରି ପରିଚାଳନା ଦାୟିତ୍ୱ ଦେଉଛନ୍ତି । କିନ୍ତୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅଙ୍ଗନୱାଡ଼ି କେନ୍ଦ୍ରକୁ ଛତୁଆ ଓ ପୋଷାକ ଆଦି ଯୋଗାଇବା ପାଇଁ ଏସ୍ଏଚ୍ଜି ଗ୍ରୁପ୍କୁ ପ୍ରତି ବ୍ଲକ୍ରେ ଜିଲ୍ଲା ପ୍ରଶାସନ ମନୋନୀତ କରାଇଛନ୍ତି । ମହିଳା ଶିଶୁ କଲ୍ୟାଣ ବିଭାଗ ତରଫରୁ ଉନ୍ନତମାନର ପୋଷାକ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ରହିଛି । ମାତ୍ର ଜିଲ୍ଲାର ବହୁ ବ୍ଲକ୍ରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ।
ନିମ୍ନମାନର ଛତୁଆ ପ୍ରଦାନ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ଆସୁଛି । ପୁଷ୍ଟିକର ଖାଦ୍ୟ ହିସାବରେ ଦିଆଯାଉଥିବା ଛତୁଆ ଶିଶୁ ଓ ଗର୍ଭବତୀ ମହିଳା ଖାଇବା ପରିବର୍ତ୍ତେ ଗୃହପାଳିତ ପଶୁଙ୍କ ଖାଦ୍ୟ ଭାବେ ବ୍ୟବହାର ହେଉଛି । ଯାହାଫଳରେ ସରକାରଙ୍କ ଯୋଜନା ବାଟମାରଣା ହେଉଛି । ଛତୁଆ ପ୍ରସ୍ତୁତ କେନ୍ଦ୍ରଗୁଡିକର ଦାୟିତ୍ୱରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କେବଳ କାଗଜ କଲମରେ ନାମକୁ ମାତ୍ର ରହୁଥିବାବେଳେ ଏହାର ପ୍ରଚ୍ଛଦପଟରେ ବଡ଼ ବଡ଼ ବ୍ୟବସାୟୀ ରହି ନିମ୍ନମାନର ଛତୁଆ ଓ ଖାଦ୍ୟ ସାମଗ୍ରୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇ ଆସୁଥିବା ଅଭିଯୋଗ ହେଉଛି । ଛତ୍ରପୁର ବ୍ଲକ୍କୁ ଯୋଗାଉଥିବା ମା’ ଉଜଳେଶ୍ୱରୀ ଗ୍ରୁପ୍ ନାମରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଜିଲ୍ଲାର ଯେଉଁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସିଲେଇ କେନ୍ଦ୍ରର ଭିତ୍ତିଭୂମି ରହିଥିବ ସେମାନଙ୍କୁ ଚୟନ କରିବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ କେବଳ ଏସ୍ଏଚ୍ଜି ଗ୍ରୁପ୍ ନାମରେ କାଗଜପତ୍ର କରି ବ୍ୟବସାୟୀମାନେ ଲୁଟି ଚାଲିଥିବା ଅଭିଯୋଗ ହେଉଛି । ବାରମ୍ବାର ନିମ୍ନାମାନର ଛତୁଆ ବଣ୍ଟନ ହେଉଥିବା ନେଇ ଅଭିଯୋଗ ସତ୍ତ୍ୱେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଛତୁଆର ମାନ ପରୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *