ଘର ପାଇଁ ପ୍ରଶାସନର ଦ୍ୱାରସ୍ଥ

ସାନଖେମୁଣ୍ଡି (ଆପ୍ର): ବାପା, ମାଆ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତେଲ ଲୁଣ ସଂସାର ସୁଖ ଶାନ୍ତିରେ ଚାଲିଥିଲା । ପିଲାମାନେ ବଡ଼ ହୋଇ ଭଲ ପାଠ ପଢ଼ି ବଡ଼ ଚାକିରି କରି ବାପା ମାଆ’ଙ୍କର ଦୁଃଖ ଦୂର କରିବେ ବୋଲି ଆଶା ରଖିଥିଲେ ଦମ୍ପତି । ହେଲେ ଆଶା ନିରାଶା ହୋଇଛି ସ୍ୱପ୍ନ ଚୁରମାର ହୋଇଯାଇଛି । ଏବେ ମାଆ-ବାପାଙ୍କୁ ହରାଇ ବେସାହାରା ହୋଇପଡ଼ିଛନ୍ତି ୩ ପିଲା । ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଳୀଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ଦିଗାମ୍ବର ଜେନାଙ୍କ ପିଲାମାନେ ଏବେ ଅନାଥ ପ୍ରାୟ ।
ପରିବାର କହିଲେ ସ୍ତ୍ରୀ ଝୁମୁରି ଜେନା, ବଡ଼ପୁଅ ଓମ୍(୧୨) ଦୁଇ ଝିଅ ସାଲିନ(୧୦) ଓ ଇସାନି(୭) । ମୂଲ ଖଟି ଦିଗାମ୍ବରଙ୍କ ସଂସାର ସୁଖ ଶାନ୍ତିରେ ଚାଲିଥିଲା । ଦିଗାମ୍ବରଙ୍କ ସ୍ତ୍ରୀ ନିଜ ବାପ ଘର ପାଇକ ରାମଚନ୍ଦ୍ରପୁର ଯାଇଥିବାବେଳେ ଜମିରେ କାମ କରୁଥିବା ବେଳେ ବିଷଧର ସର୍ପାଘାତରେ ମୃତୁ୍ୟବରଣ କରିଥିଲେ । ସ୍ତ୍ରୀର ମୃତୁ୍ୟ ପରେ ଦିଗାମ୍ବର ତିନି ପିଲାଙ୍କୁ ଲାଳନ ପାଳନ କରି ସଂସାର ଚଲାଇ ଆସୁଥିଲେ । ମାତ୍ର ହଠାତ ସେ କେଉଁଆଡ଼େ ଚାଲିଗଲେ । ମାଆ ଦେଢ଼ ବର୍ଷ ହେଲା ଆରପାରିରେ । ବାପାଙ୍କ ମୁଁହକୁ ଚାହିଁ ଦିନ ବିତୁଥିଲା । ଏବେ ବାପା ଅସହାୟ କରି ଚାଲିଗଲେ । ବୃଦ୍ଧ ଅଜା ସୁରେନ୍ଦ୍ର ପ୍ରଧାନ ତିନି ନାତି ନାତୁଣୀଙ୍କର ଏକମାତ୍ର ସାହାଭରସା । ପରିଣତ ବୟସରେ ପହଞ୍ଚô ଥିଲେ ମଧ୍ୟ ଦୁଃଖ କଷ୍ଟରେ ପାନ ଦୋକାନ କରି ତିନି ପିଲାଙ୍କୁ ଲାଳନ ପାଳନ କରୁଛନ୍ତି । ପକ୍କା ଘର ନ ଥିବାରୁ ଝାଟିମାଟି ଘରେ ଅଜା ସହ ମୁଣ୍ଡଗୁଞ୍ଜିଛନ୍ତି ୩ ଅସହାୟ ଶିଶୁ ।
ଅଜା ସୁରେନ୍ଦ୍ର ପ୍ରଧାନ ବେସାହାରା ଅନାଥ ଛୁଆଙ୍କୁ ଧରି ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକଙ୍କ ପାଖାକୁ ଯାଇଥିଲେ । ପକ୍କା ଘର ଖଣ୍ଡିଏ ଦେବା ପାଇଁ ନିବେଦନ କରିଛନ୍ତି । ସାନ ନାତୁଣୀ ଇସାନୀକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ଗୁହାରି କରିଛନ୍ତି । ରାଜ୍ୟ ସରକାର ଜନ୍ମ ଠାରୁ ମୃତୁ୍ୟ ଯାଏଁ ବହୁ ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ୩ ଅନାଥ ଶିଶୁଙ୍କୁ ସହାୟ ହେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *