ୟାମାଗୁଚିଙ୍କୁ ହରାଇ ସେମିରେ ସିନ୍ଧୁ

ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ
ବ୍ୟାଙ୍କକ୍, ୨୦ା୫ (ଏଜେନ୍ସି): ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଶୁକ୍ରବାର ବିଶ୍ୱର ଏକ ନମ୍ବର ଖେଳାଳି ଜାପାନ୍ର ଅକାନେ ୟାମାଗୁଚିଙ୍କୁ ହରାଇ ଥାଇଲାଣ୍ଡ ଓଡନ୍ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଛନ୍ତି ।
ଏକମାତ୍ର ଭାରତୀୟ ଭାବେ ପ୍ରତିଯୋଗିତାରେ ତିଷ୍ଠି ରହିଥିବା ସିନ୍ଧୁ ମହିଳା ଏକକ କ୍ୱାର୍ଟର୍-ଫାଇନାଲ୍ ମ୍ୟାଚ୍ରେ ଦ୍ୱିତୀୟ ସିଡ୍ ଜାପାନୀଙ୍କୁ ୨୧-୧୫, ୨୦-୨୨, ୨୧-୧୩ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ୫୧ ମିନିଟ୍ ଧରି ଚାଲିଥିଲା । ସିନ୍ଧୁ ଅନ୍ତିମ-୪ରେ ଅଲିମ୍ପିକ୍ ଚାମ୍ପିଅନ୍ ଚୀନ୍ର ଚେନ୍ ୟୁ ଫେଇଙ୍କୁ ଭେଟିବେ ।
ଶେଷ ଥର ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ସ ସେମିଫାଇନାଲ୍ରେ ଉଭୟ ଖେଳାଳି ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ ବିବାଦୀୟ ହୋଇଥିଲା । ବିଳମ୍ବରେ ସର୍ଭ କରିଥିବା ଯୋଗୁଁ ସିନ୍ଧୁଙ୍କୁ ୧ ପେନାଲ୍ଟି ପଏଣ୍ଟ ଦିଆଯାଇଥିଲା । ଏଥର ଭାରତୀୟ ଖେଳାଳି ୧୩-୯ ଜୟ-ପରାଜୟ ରେକର୍ଡ ସହ କୋର୍ଟକୁ ଓହ୍ଲାଇଥିଲେ ଏବଂ ଆଉ ଏକ ଦମ୍ଦାର ପ୍ରଦର୍ଶନ କରି ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ଙ୍କ ବିପକ୍ଷରେ ୧୪ତମ ବିଜୟ ହାସଲ କରିଥିଲେ ।
ଉଭୟ ଖେଳାଳି ଜୋର୍ଦାର ଢଙ୍ଗରେ ଖେଳ ଆରମ୍ଭ କରିଥିଲେ । ତେବେ ସିଦ୍ଧୁଙ୍କ କ୍ରସ୍ କୋର୍ଟ ସ୍ଲାଇସ୍ ଓ ଡ୍ରଗ୍ ୟାମାଗୁଚିଙ୍କୁ ଅଡ଼ୁଆରେ ପକାଇଥିଲା ଏବଂ ବିରତି ବେଳକୁ ଭାରତୀୟ ଖେଳାଳି ୧୧-୯ରେ ଆଗରେ ଥିଲେ । ବିରତି ପରେ ବି ସିନ୍ଧୁ ଉତ୍ତମ ପ୍ରଦର୍ଶନ କରି ଗେମ୍ ହାତେଇଥିଲେ । ଦ୍ୱିତୀୟ ଗେମ୍ରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିଲା, ହେଲେ ୨ ପଏଣ୍ଟରେ ଗେମ୍ ହାତେଇଥିଲେ ୟାମାଗୁଚି । ନିର୍ଣ୍ଣାୟକ ଗେମ୍ରେ ସିନ୍ଧୁ ଦମ୍ଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସହଜରେ ଗେମ୍ ଜିତିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁରୁଷ ଏକକରେ ଭାରତୀୟ ଆହ୍ୱାନ ଶେଷ ହୋଇଛି । ମହିଳା ଏକକରେ ସିନ୍ଧୁ ଏକମାତ୍ର ଭାରତୀୟ ଭାବେ ତିଷ୍ଠି ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *