ନୂଆ ରୂପ ନେବ କଟକ ଚଣ୍ଡୀ ମନ୍ଦିର

ଭୁବନେଶ୍ୱର,୧୯ା୫(ବୁ୍ୟରୋ): କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ । ହଜାର ହଜାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ । ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ । କାମ ଏକବର୍ଷରେ ଶେଷ ହେବ ।
୫ଟି ଉପକ୍ରମ ଅଧୀନରେ ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟ ଅଫ୍ ହେରିଟେଜ୍, ମନୁମେଣ୍ଟସ୍ ଆଣ୍ଡ ଟୁରିଷ୍ଟ୍ ଡେଷ୍ଟିନେସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । କଟକ ସହରର ସାମଗ୍ରିକ ବିକାଶରେ ଚଣ୍ଡୀ ମନ୍ଦିରର କୟାକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏ ଦିଗରେ କଟକବାସୀଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ ।
ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଯୋଜନା ବିଷୟରେ ଏକ ଉପସ୍ଥାପନ କରାଯାଇଥିଲା । ଓବିସିସି ଦ୍ୱାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ୱରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରିଟି ଦ୍ୱାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ । ମନ୍ଦିର ପରିସରରେ ଖଣ୍ଡାଲାଇଟସ୍ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ ସିସିଟିଭି ମଧ୍ୟ ଲଗାଯିବ । ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃନିର୍ମାଣ କରାଯିବ ।
ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୁଲିସ କଣ୍ଟ୍ରୋଲ ରୁମ୍, କ୍ଲକ୍ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ । ଏହାସହିତ ଯାତ୍ରୀଙ୍କ ରହିବା ପାଇଁ ଯାତ୍ରୀ ନିବାସ, ବିସ୍ଥାପିତ ଦୋକାନୀଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ । ପାର୍କିଂ ସହିତ ଖୋଲାସ୍ଥାନ ଓ ଲ୍ୟାଣ୍ଡସ୍କେପିଂ ମଧ୍ୟ ବିକାଶ କରାଯିବ ।
ଓବିସିସି ଜରିଆରେ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ସହ ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ବିଭିନ୍ନ ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଗୁରୁତ୍ୱ ଆରୋପ କରାଯାଇଛି । ଚଣ୍ଡୀ ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରୀଯାନ ଚଳାଚଳ, ଯାତ୍ରୀଙ୍କ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି । ତେଣୁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ ଡାଇଭର୍ଟ କରାଯିବ । ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କଟକ ଚଣ୍ଡୀ ମନ୍ଦିର ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ । ବର୍ଷ ସାରା ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ଏଠାକୁ ଆସିଥାନ୍ତି । ଦୁର୍ଗାପୂଜା ସମୟରେ ମା’ଙ୍କ ଷୋଡଶ ଦିନାତ୍ମକ ପୂଜାରେ ମା’ଙ୍କ ବିଭିନ୍ନ ବେଶ ଦେଖିବା ପାଇଁ ଏଠାରେ ପ୍ରବଳ ଜନସମାବେଶ ହୋଇଥାଏ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ମା’ଙ୍କ ପୀଠକୁ ଯାଇ ବିକାଶ ସଂପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତଙ୍କ ସହିତ ଆଲୋଚନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଗଣ ଓ ଆର୍ଡିସି, କଟକ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ ଆଲୋଚନା ସଂଯୋଜନା କରିଥିଲେ । ବୈଠକରେ ଯୋଗ ଦେଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ସେବାୟତଙ୍କ ପ୍ରତିନଧି ଯୋଜନାର ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *