ଉନ୍ନତୀକରଣ ଆଳରେ ଲକ୍ଷାଧିକ ଟଙ୍କା ଚଳୁ

ଘଟଗାଁ ମନ୍ଦିର ପରିଚାଳନାରେ ବିଭ୍ରାଟ
କେନ୍ଦୁଝର (ଆପ୍ର): ବିଗତ ଦିନରେ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁ ମା’ ତାରିଣୀ ମନ୍ଦିରରେ ହେଉଥିବା ମାନସିକ ନଡ଼ିଆ ଚୋରି ଘଟଣା ବିଭିନ୍ନ ଗଣମାଧ୍ୟମରେ ପର୍ଦ୍ଦାଫାସ ହୋଇଥିଲା । ଆଉ ଏବେ ପୁଣି ଥରେ ଏକ ବଡ଼ ଘୋଟାଲାର ତଥ୍ୟ ସାମ୍ନାକୁ ଆସିଛି । ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମଚାରୀ ବିଭିନ୍ନ ପନ୍ଥା ଆପଣେଇ ମା’ଙ୍କର ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ପ୍ରମାଣ ମିଳିଛି । ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରୁ ମୋଟା ଅଙ୍କର ଚାନ୍ଦା ନେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଓ ତତ୍କାଳିନ କାର୍ଯ୍ୟନିର୍ବାହୀ ଅଧିକାରୀ, ଯାହା ଆର୍ଟିଆଇ ତଥ୍ୟରୁ ଜଣାପଡ଼ିଛି । ବିଗତ ଦିନରେ ମା’ ତାରିଣୀଙ୍କ ମାନସିକ ନଡ଼ିଆ ଚୋରିରେ ସମ୍ପୃକ୍ତ ଥାଇ ମଧ୍ୟ ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ ବର୍ତ୍ତମାନର ଟ୍ରଷ୍ଟ ବୋର୍ଡ ଦୁଇ ବର୍ଷ ବଦଳରେ ୬ବର୍ଷ ଦାୟିତ୍ୱ ନେଲେଣି ଆଉ ଏହି ସୁଯୋଗରେ ଲୁଟି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଅନ୍ୟପକ୍ଷରେ ଟ୍ରଷ୍ଟ ବୋର୍ଡ ସଭାପତି ନିଜ ଉପରୁ ଦୋଷ ଛଡ଼ାଇବାରେ ଲାଗି ପଡ଼ିଛନ୍ତି ।
ସୂଚନା ଅନୁଯାୟୀ, ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁ ମା’ ତାରିଣୀ ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ମିଳିଥାଏ ଲକ୍ଷଲକ୍ଷ ଟଙ୍କା ଦାନ । ଯେଉଁଥି ପାଇଁ ମା’ ତାରିଣୀଙ୍କର ସମ୍ପତ୍ତି ୧୦୦ କୋଟିରୁ ଅଧିକ । ସେଥିପାଇଁ ରାଜ୍ୟର ଦ୍ୱିତୀୟ ଧନୀ ଭାବେ ଘଟଗାଁ ମା’ ତାରିଣୀ ମନ୍ଦିର ପରିଗଣିତ । ତେବେ ମା’ଙ୍କର ସେହି କୋଟି କୋଟି ଟଙ୍କାରୁ ଗତ ୨୦୧୯ ମସିହାରେ ୭୦ ଲକ୍ଷର ବ୍ୟୟ ଅଟକଳ କରି ମନ୍ଦିର ସମ୍ମୁଖ ଭାଗ ପେବର୍ କାମ କରାଯାଇଥିଲା । କିନ୍ତୁ ସବୁଠାରୁ ବଡ଼କଥା ଏହି କାମରୁ ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ଓ ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ସିଂ ମିଳିମିଶି ଲକ୍ଷାଧିକ ଟଙ୍କା ଲୁଟିଥିବା ଆର୍ଟିଆଇ ତଥ୍ୟରୁ ଜଣାପଡ଼ିଛି । ସରକାରଙ୍କ ନିୟମ ଅନୁଯାୟୀ, ଯେକୌଣସି କାମର ବ୍ୟୟ ଅଟକଳ ୫ ଲକ୍ଷରୁ ଅଧିକ ହେଲେ ତାହା ଟେଣ୍ଡର ଡକାଯାଇ କାମ କରାଯିବା ନିୟମ ରହିଛି । କିନ୍ତୁ ସବୁ ନିୟମକୁ ବେଖାତିର କରି ୭୦ ଲକ୍ଷର କାମକୁ କୋଟେସନ କଲ୍ ମାଧ୍ୟମରେ କେନ୍ଦୁଝରର ଟାଇଲ୍ସ ୱାଲର୍ଡ ନାମକ ସଂସ୍ଥା ଦ୍ୱାରା କରାଗଲା । ଯାହା ମନ୍ଦିର କର୍ତ୍ତୃପକ୍ଷଙ୍କ ମନ୍ଦ ଉଦେ୍ଦଶ୍ୟକୁ ସ୍ପଷ୍ଟ କରୁଛି ।
ଅନ୍ୟପକ୍ଷରେ ମନ୍ଦିର ଅର୍ଥରେ ଟାଇଲ୍ସ ୱାଲର୍ଡ ପେବର୍ କାମ କରି ଟଙ୍କା ଉଠାଯାଇଛି । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଏହି କାମ ପାଇଁ ଟାଇଲ୍ସ ୱାର୍ଡଠାରୁ ୬ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନିଆଯାଇଛି । କାମ ଚାଲିଥିବା ସମୟରେ ଟାଇଲ୍ସ ୱାଲର୍ଡ ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ସିଂଙ୍କ ଏକମାତ୍ର ପୁଅ ସୁଭ୍ରାଶୁ ଶେଖର ସିଂଙ୍କ ଆକାଉଣ୍ଟକୁ ୧ଲକ୍ଷ ୭୦ ହଜାର ଟଙ୍କା ଓ ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକଙ୍କ ଆକାଉଣ୍ଟକୁ ଦୁଇଥର ଯଥାକ୍ରମେ ୯୦ ହଜାର ଓ ୪ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି । ତେବେ ବିନା ଟେଣ୍ଡରରେ କାମ କରୁଥିବା ଠିକା ସଂସ୍ଥା ଏତେ ଟଙ୍କା ମନ୍ଦିର କର୍ତ୍ତୃପକ୍ଷଙ୍କ ପର୍ସନାଲ ଆକାଉଣ୍ଟକୁ ପଠାଇବା ତାରିଣୀ ମନ୍ଦିରରେ ଚାଲିଥିବା ଦୁର୍ନୀତିିକୁ ସ୍ପଷ୍ଟ କରୁଛି । ସମସ୍ତ ପ୍ରମାଣ ଲାଗିବା ଜାଣିବା ପରେ ମନ୍ଦିର କର୍ତ୍ତୃପକ୍ଷ ଏବେ ଧରାଛୁଆଁ ଦେଉ ନ ଥିବା ଜଣାପଡ଼ିଛି । ବାରମ୍ବାର ମା’ଙ୍କ ସମ୍ପତ୍ତି ଲୁଟ୍ କରି ଆଇନର ଗଳାବାଟରେ ଖସି ଯାଉଥିବା ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *