ବେତନ ଆୟୋଗ ଯୁଗ ଶେଷ!
ନୂଆଦିଲ୍ଲୀ, ୧୯ା୫: କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ ଆୟୋଗ ହିଁ ସମ୍ଭବତଃ ଶେଷ ଆୟୋଗ ହେବ । ଅର୍ଥାତ୍ ଅଷ୍ଟମ ବେତନ ଆୟୋଗ ଗଠନ କରାଯିବ ନାହିଁ । ଏଭଳି ସ୍ଥିତିରେ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ବେତନ ବୃଦ୍ଧିର ନୂଆ ଫର୍ମୁଲା ଖୋଜୁଛନ୍ତି ।
ଅଷ୍ଟମ ବେତନ ଆୟୋଗକୁ ନେଇ ଚର୍ଚ୍ଚା ଚାଲିଥିବା ଭିତରେ ସରକାରଙ୍କ ପକ୍ଷରୁ ଏପରି ଏକ ବଡ ଅପ୍ଟେଡ୍ ଆସିଛି । ଅର୍ଥ ମନ୍ତ୍ରଣାଳୟ ସୂତ୍ର ଉଦ୍ଧାର କରି ଏକ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଆଉ କର୍ମଚାରୀଙ୍କ ପାଇଁ ନୂତନ ବେତନ ଆୟୋଗ ଗଠନ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଅର୍ଥାତ୍ ସପ୍ତମ ବେତନ ଆୟୋଗ ଆଧାରରେହିଁ କର୍ମଚାରୀମାନେ ବେତନ ପାଇଚାଲିବେ ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ୭ମ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ ବେତନ ଦିଆଯାଇଛି । ସେଥିରେ ବାର୍ଷିକ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ସାମିଲ । ନିକଟରେ କେନ୍ଦ୍ର ପକ୍ଷରୁ ଡିଏ ୩ ପ୍ରତିଶତ ବଢାଇ ଦିଆଯାଇଛି । ଫଳରେ କର୍ମଚାରୀମାନେ ୩୧ ପରିବର୍ତ୍ତେ ୩୪ ପ୍ରତିଶତ ଡିଏ ସହିତ ମୋଟା ଅଙ୍କର ବେତନ ପାଉଛନ୍ତି । ମହଙ୍ଗା ସ୍ଥିତି ଦିନକୁ ଦିନ ବେକାବୁ ହେଉଥିବାବେଳେ କେନ୍ଦ୍ର କର୍ମଚାରୀଙ୍କ ଡିଏ ଆଗାମୀ ଦିନରେ (ଜୁଲାଇ-ଅଗଷ୍ଟ)ରେ ପୁନର୍ବାର ମହଙ୍ଗା ଭତ୍ତା ବଢିବା ସମ୍ଭାବନା ରହିଛି ।
ରିପୋର୍ଟ ଅନୁଯାୟୀ, ଯଦି ୭ମ ବେତନ ଆୟୋଗ ହେବ, ଅର୍ଥାତ୍ ଯଦି ଅଷ୍ଟମ ଆୟୋଗ ଗଢା ନ ଯିବ, ସେ କ୍ଷେତ୍ରରେ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ନୂଆ ବ୍ୟବସ୍ଥା ହେବ । ସରକାର ତତ୍ସମ୍ପର୍କିତ ନୂଆ ଫର୍ମୁଲା ଖୋଜୁଛନ୍ତି । ସୂତ୍ର ଅନୁଯାୟୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା (ପର୍ଫର୍ମାନ୍ସ)କୁ ଚାହିଁ ସେମାନଙ୍କ ଦରମା ବଢିବ । ଏହି ଫର୍ମୁଲା ଉପରେ ଯଦିଓ ଏବେ ମୋହର ଲାଗି ନାହିଁ, ଏ ଦିଗରେ ବିଚାରବିମର୍ଷ ଚାଲିଛି । ପର୍ଫର୍ମାନ୍ସ ଭିତ୍ତିକ ବେତନ ବୃଦ୍ଧି ଫର୍ମୁଲା ଅନୁଯାୟୀ ଡିଏ ୫୦ ପ୍ରତିଶତ ହୋଇଗଲେ କର୍ମଚାରୀଙ୍କ ଦରମା ଆପେ ବଢିଯିବ ।
ଯଦି କେନ୍ଦ୍ର ସରକାର ଏ ପ୍ରକାର କୌଣସି ନିୟମ ପ୍ରଣୟନ କରନ୍ତି, ସେଥିରେ ୪୭ ଲକ୍ଷ କର୍ମଚାରୀଙ୍କ ସହ ୬୮ଲକ୍ଷ ପେନ୍ସନ୍ ଭୋଗୀ ମଧ୍ୟ ଉପକୃତ ହେବେ । ତେବେ ଏପରି ବ୍ୟବସ୍ଥାରେ ସବୁଠୁ ଲାଭବାନ ହେବେ ତଳ ପାହ୍ୟାର କର୍ମଚାରୀମାନେ । କେନ୍ଦ୍ର ସରକାର ଏସବୁ ବିଷୟରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଯଦିଓ ଦେଇନାହାନ୍ତି, ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ଏ ଦିଗରେ କାମ ଜାରି ରହିଛି । ଅଷ୍ଟମ ବେତନ ଆୟୋଗ ଗଠନର କୌଣସି ଯୋଜନା ସରକାରଙ୍କର ନାହିଁ ।