୩ଠ ବର୍ଷରେ ୧ଠ ଲକ୍ଷ ହେକ୍ଟର କମିଛି

ଭୁବନେଶ୍ୱର (ତଥ୍ୟ): ପ୍ରାୟ ସବୁ କ୍ଷେତ୍ରରେ ଓଡ଼ିଶାରେ ବିକାଶ ସାଧିତ ହୋଇଛି । ରାଜ୍ୟରେ ବିକାଶର ଧାରା ଅବ୍ୟାହତ ଥିବା ସମୟରେ ଚାଷ ଜମିର ପରିମାଣ ତିନି ଦଶନ୍ଧିରେ ଅନୁ୍ୟନ ୧୦ଲକ୍ଷ ହେକ୍ଟର କମିଛି । ଗୋଟିଏ ପଟେ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ପଟେ ଜମି ପରିମାଣ ବର୍ଷକୁ ବର୍ଷ କମିବା ଉଦ୍ବେଗଜନକ ବୋଲି ଯୋଜନା, କୃଷି ଓ ଅର୍ଥନୀତି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।
ରାଜ୍ୟ ସରକାରଙ୍କ ପ୍ରକାଶିତ ତଥ୍ୟ ମୁତାବକ ୧୯୯୦-୯୧ ବର୍ଷରେ ଓଡିଶାରେ ୬୩ ଲକ୍ଷ ୪ହଜାର ହେକ୍ଟର ଜମିରେ ଚାଷ କରାଯାଉଥିଲା । ୨୦୦୦-୦୧ ବେଳକୁ ତାହା କମି କମି ୫୮ଲକ୍ଷ ୨୯ହଜାର ହେକ୍ଟରରେ ପହଞ୍ଚିଥିଲା । ୨୦୧୮-୧୯ ରେ କିନ୍ତୁ ଓଡିଶାରେ ଚାଷ ହୋଇଥିବା ଜମିର ପରିମାଣ ୫୩ଲକ୍ଷ ୬୨ହଜାର ହେକ୍ଟରରେ ରହିଛି । ୧୯୯୧ ବେଳକୁ ରାଜ୍ୟର ଜନସଂଖ୍ୟା ଯାହା ଥିଲା ଏବେ ତାହା ଢେର ଅଧିକ ବଢିଥିବାବେଳେ ଚାଷଜମି ପରିମାଣ କମି କମି ଚାଲିବା ଉଦ୍ବେଗ ସୃଷ୍ଟି କରିଛି । ଓଡିଶାରେ ଏବେ ୧୫୫ଲକ୍ଷ ୭୧ ହଜାର ହେକ୍ଟର ଜମି ରହିଛି । ଯେଉଁଥିରୁ ଜଙ୍ଗଲ ଜମି ପରିମାଣ ହେଉଛି ୫୮ଲକ୍ଷ ୧୩ହଜାର ହେକ୍ଟର । ସରକାରୀ ପରିସଂଖ୍ୟାନରେ ୧୯୯୦-୯୧ରୁ ୨୦୧୮-୧୯ ମଧ୍ୟରେ ଓଡିଶାରେ ଜଙ୍ଗଲ ଜମିର ପରିମାଣ ପ୍ରାୟ ସାଢେ ୩ ଲକ୍ଷ ହେକ୍ଟର ବୃଦ୍ଧିପାଇଛି ।
ଅନ୍ୟ ପକ୍ଷରେ ଜଳସେଚିତ ଜମି ପରିମାଣ କିନ୍ତୁ ଏହି ୩୦ ବର୍ଷରେ ୬ ଲକ୍ଷ ହେକ୍ଟରରୁ ଅଧିକ ବଢିଛି । ୧୯୯୦-୯୧ ବର୍ଷରେ ସରକାରୀ ତଥ୍ୟ ମୁତାବକ ୧୯ଲକ୍ଷ ୩୪ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ୨୦୦୦-୦୧ ବର୍ଷରେ ଏହାର ପରିମାଣ ୧୫ଲକ୍ଷ ୯୦ହଜାର ହେକ୍ଟରକୁ କମିଥିଲା । ତେବେ ୨୦୧୦-୧୧ ବର୍ଷରେ ୨୦ଲକ୍ଷ ୮୫ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ଏହାର ପରିମାଣ ୨୫ଲକ୍ଷ ୯୨ହଜାର ହେକ୍ଟରକୁ ବୃଦ୍ଧି ପାଇଥିଲା ।
କୃଷି ବିଭାଗର ପରିସଂଖ୍ୟାନ ଅନୁଯାୟୀ, ତିନି ଦଶନ୍ଧିରେ ଓଡିଶାରେ ବାର୍ଷିକ ବୃଷ୍ଟିପାତ ପରିମାଣ ୯୯୦ ମିଲିମିଟରରୁ ୧୬୨୭ ମିଲିମିଟର ମଧ୍ୟରେ ରହିଛି । ଡିଶାରେ ବାର୍ଷିକ ବୃଷ୍ଟିପାତର ପରିମାଣ ସ୍ୱାଭାବିକ ଭାବେ ୧୪୫୧ରୁ ୧୫୦୨ ମିଲିମିଟର ମଧ୍ୟରେ ରହିବାକଥା । ୧୯୯୨ ରୁ ୨୦୧୯ ମଧ୍ୟରେ ଅନୁ୍ୟନ ୧୬ ବର୍ଷରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି । ୧୯୯୨ରେ ଓଡିଶାରେ ଆବଶ୍ୟକତା ଠାରୁ ୧୦ ମି.ମି କମ୍‌ ବୃଷ୍ଟିପାତ ହୋଇଥିବାବେଳେ ୧୯୯୪ରେ ୩୪ ମି.ମି, ୨୦୦୦ରେ ୩୧ମି.ମି, ୨୦୦୨ରେ ୩୨ ମି.ମି, ୨୦୦୧୪ରେ ୧୪ମି.ମି, ୨୦୧୦ ରେ ୧୧ ମି.ମି, ୨୦୧୫ରେ ୧୬ ମି.ମି, ୨୦୧୭ରେ ୮ ମିମି କମ୍‌ ବୃଷ୍ଟିପାତ ହୋଇଥିଲା । ଠିକଣା ସମୟରେ ଆବଶ୍ୟକତା ଅନୁଯାୟୀ ବର୍ଷା ହେଉନାହିଁ । କିନ୍ତୁ ଆବଶ୍ୟକ ନ ଥାଇ ବାଦଲଫଟା ବର୍ଷା ହୋଇ ବନ୍ୟା, ବାତ୍ୟାରେ ବ୍ୟାପକ କ୍ଷତି ଘଟୁଛି । କେତେବେଳେ ମାସ ମାସ ଧରି ଆଦୌ ବର୍ଷା ନ ହେବା କିମ୍ବା ଚାଷ ପାଇଁ ବର୍ଷାର ଆବଶ୍ୟକତା ଥିବାବେଳେ ଢେର କମ୍‌ ବୃଷ୍ଟିପାତ ହେବାରୁ ମରୁଡି ଓ ଶସ୍ୟହାନି ଭଳି ପରିସ୍ଥିତି ଲାଗି ରହୁଛି । ଏହା କୃଷକମାନଙ୍କ ପାଇଁ ବଡ ଆହ୍ୱାନ । ବୃଷ୍ଟିପାତର ଅନିୟମିତତା ଫସଲ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି । କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି କାରଣରୁ ଚଳିତବର୍ଷ ରାଜ୍ୟରେ ଲେମ୍ବୁ, ଆମ୍ବ ଓ ଟମାଟୋ ଆଦି ଖରାଦିନିଆ ଫଳ ଅଧିକ ଉତ୍ପାଦନ ନ ହେବାରୁ ବଜାରରେ ଦର ଢେର ଅଧିକ ରହୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *