ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିବେ ୪ ରାଷ୍ଟ୍ର ମୁଖ୍ୟ

୨୪ରେ କ୍ୱାଡ୍ ବୈଠକ, ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା
ଟୋକିଓ (ଏଜେନ୍ସି): ଆସନ୍ତା ୨୪ରେ ଜାପାନ୍ ରାଜଧାନୀ ଟୋକିଓ ଠାରେ କ୍ୱାଡ଼୍ ନେତାମାନଙ୍କର ଶୀର୍ଷ ବୈଠକ ଆୟୋଜନ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସମୂହଙ୍କ ଶୀର୍ଷସ୍ତରୀୟ ନେତାମାନେ ଅଂଶଗ୍ରହଣ କରିବେ । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣ କ୍ରମେ ମୋଦି, ଏହି ବୈଠକରେ ଅଂଶଗ୍ରହଣ କରିବେ । ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ମଧ୍ୟ ବୈଠକରେ ଯୋଗଦେବେ ।
ଏସମ୍ପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍ ବାଗ୍ଚୀ ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାଗ୍ଚୀଙ୍କ କହିବାନୁସାରେ କ୍ୱାଡ୍ ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସୁରକ୍ଷା ଏବଂ ସମସ୍ତଙ୍କ ସ୍ୱାର୍ଥ ସାଧନ ହେଲାଭଳି ସାମ୍ପ୍ରତିକ ବିଶ୍ୱ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯିବାର ଏଜେଣ୍ଡା ରହିଛି । ବୈଠକରେ କ୍ୱାଡ଼୍ ପ୍ରସ୍ତାବ ଓ କାର୍ଯ୍ୟକାରୀ ଗୋଷ୍ଠୀର ରୂପାୟନ ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବା ସଙ୍ଗେ ସଙ୍ଗେ ଭବିଷ୍ୟତ ସହଭାଗିତା ପାଇଁ ନୂଆ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବ । କ୍ୱାଡ୍ ଶିଖର ସମ୍ମିଳନୀ ପରେ ପରେ ମୋଦି, ଜାପାନ୍ରେ ଥିବା ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏତଦ୍ବ୍ୟତୀତ ଜାପାନ୍ ତଥା ଭାରତୀୟର ଶିଳ୍ପପତିମାନଙ୍କଦ୍ୱାରା ଆୟୋଜିତ ଏକ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ଏତଦ୍ବ୍ୟତୀତ ମୋଦିଙ୍କ ବାଇଡନ୍, ଫୁମିଓ କିଶିଦା, ସ୍କଟ ମରିସନ୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ବୈଠକ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *