ବିଧବା ପ୍ରଥା ଲୋପ ଆଦେଶ

ମୁମ୍ବାଇ, ୧୯ା୫: ଏକ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବିଧବା ମହିଳାଙ୍କ ପାଇଁ ଚଳି ଆସିଥିବା ଅନେକ ରୂଢିବାଦୀ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପକାଇବା ଦିଗରେ ମହାରାଷ୍ଟ୍ର ସରକାର ଉଦ୍ୟତ ହୋଇଛନ୍ତି । ବିଧବା ପ୍ରଥା ଦ୍ୱାରା ନାରୀ ସମାଜ ଅପମାନିତ ହେଉଛନ୍ତି ବୋଲି ଦର୍ଶାଇ ରାଜ୍ୟ ସରକାର କୋହ୍ଲାପୁର ଜିଲ୍ଲା ଅନ୍ତର୍ଗତ ହେରୱାଡ ପଞ୍ଚାୟତର ଆଦର୍ଶ ମାନିନେଇ ସମଗ୍ର ରାଜ୍ୟରେ ବିଧବା ପ୍ରଥାର ପରିସମାପ୍ତି ଘଟାଇବା ପାଇଁ ଆଦେଶ ଦେଇଛନ୍ତି । ସେହି ଅନୁଯାୟୀ ଏଣିକି ମହାରାଷ୍ଟ୍ରରେ କୌଣସି ମହିଳା ସ୍ୱାମୀଙ୍କ ମୃତ୍ୟ ପରେ ଚୁଡ଼ି ଭାଙ୍ଗିବେ ନାହିଁ, ମଥାରୁ ସିନ୍ଦୁର ଫୋଛିବେ ନାହିଁ କିମ୍ବା ବେକରୀ ମଙ୍ଗଳସୂତ୍ର ଓହ୍ଲାଇବେ ନାହିଁ । ସେମାନଙ୍କୁ ଧଳା ଶାଢ଼ି ପିନ୍ଧିବା ପାଇଁ କେହି ବାଧ୍ୟ କରିପାରିବେ ନାହିଁ ।
ସରକାରଙ୍କ ଏହି ଆଦେଶ (ସର୍କୁଲାର) ସବୁ ଗ୍ରାମ ପଞ୍ଚାୟତକୁ ଜାରି କରାଯାଇଛି । ଏହାକୁ ପାଳନ କରିବା ଦାୟିତ୍ୱ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଙ୍କ ଉପରେ ନ୍ୟସ୍ତ ହୋଇଛି । ଅବଶ୍ୟ ନିୟମ ନ ମାନିଲେ ଦଣ୍ଡ ବିଧାନ ବ୍ୟବସ୍ଥା ସର୍କୁଲାରରେ ଉଲ୍ଲେଖ କରାଯାଇ ନାହିଁ । ଗ୍ରାମ ପଞ୍ଚାୟତଗୁଡିକୁ ପ୍ରୋତ୍ସାହିତ କରିବା ଓ ବ୍ୟାପକ ଜନଜଗାରଣ ସୃଷ୍ଟି କରିବା ଲାଗି ସିଇଓମାନଙ୍କୁ କୁହାଯାଇଛି । ଏହି କାର୍ଯ୍ୟରେ ସିଇଓମାନେ ଜିଲ୍ଲା ପରିଷଦ ଅଧୀନ ସବୁ ଗ୍ରାମ ପଞ୍ଚାୟତ ଅଧିକାରୀ ଓ କର୍ମଚାରୀମାନଙ୍କ ସହାୟତା ଲୋଡିପାରିବେ ଏବଂ ସେମାନଙ୍କ ସହମତି କ୍ରମେ ବିଧବା ପ୍ରଥା ଲୋପ ପାଇଁ ପଞ୍ଚାୟତ ସ୍ତରରେ ନିୟମ ପ୍ରଣୟନ କରିପାରିବେ ।
ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀ ହସନ୍ ମୁଶ୍ରୀଫ ହେରୱାଡ ପଞ୍ଚାୟତକୁ ଆଦର୍ଶ ରୂପେ ଗ୍ରହଣ କରିବା ଲାଗି ସବୁ ପଞ୍ଚାୟତକୁ ନିବେଦନ କରିଛନ୍ତି । ସେ କହିଛନ୍ତି ବିଧବା ପ୍ରଥା ଏକ କୁ-ପ୍ରଥା । ହେରୱାର୍ଡ ଗ୍ରାମପଞ୍ଚାୟତର ନିଷ୍ପତ୍ତି ଏକ ବୈପ୍ଲବିକ ପଦକ୍ଷେପ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ବର୍ଷା ଗାୟକୱାଡ୍ । ବରିଷ୍ଠ ଆଇନଜୀବୀ ଆଭା ସିଂ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଦେଶ ସାରା ବିଧବା ଭଳି କୁପ୍ରଥାକୁ ତତ୍କାଳ ହଟାଇ ଦିଆଯିବା ଉଚିତ୍ ।
ଉଲ୍ଲେଖଯୋଗ୍ୟ ଯେ, ହେରୱାଡ୍ ପଞ୍ଚାୟତ ପକ୍ଷରୁ ଚଳିତ ମାସ ୪ ତାରିଖ ଦିନ ବିଧବାମାନଙ୍କ ପାଇଁ ଥିବା ଏହି (ଅମାନବୀୟ) ପ୍ରଥା ଲୋପ କରିବା ପ୍ରସ୍ତାବ ଆଗତ କରାଯାଇଥିଲା । ତାହାକୁ ଗ୍ରାମପଞ୍ଚାୟତ ସଦସ୍ୟମାନେ ସର୍ବସମ୍ମତି କ୍ରମେ ଗ୍ରହଣ କରିନେଇଥିଲେ । ଏକଥା ସମଗ୍ର ରାଜ୍ୟରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *