ଜିଏସ୍ଟି ପରିଷଦ ସୁପାରିସ ବାଧ୍ୟତାମୂଳକ ନୁହେଁ

କେନ୍ଦ୍ର-ରାଜ୍ୟ ପାଖରେ ନିଜସ୍ୱ ଆଇନ୍ ଆଣିବାର ସମାନ ଅଧିକାର ଅଛି
ନୂଆଦିଲ୍ଲୀ(ଏଜେନ୍ସି): ‘ଜିଏସ୍ଟି ପରିଷଦର ସୁପାରିଶ୍ ମାନିବାକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ବାଧ୍ୟ ନୁହଁନ୍ତି । ଉଭୟଙ୍କ ପାଖରେ ଜିଏସ୍ଟି ସମ୍ପର୍କରେ ନିଜସ୍ୱ ଆଇନ୍ ଆଣିବାରେ ସମାନ ଅଧିକାର ରହିଛି ।’ ଗୁରୁବାର ଜିଏସ୍ଟି ସମ୍ପର୍କୀତ ଏକ ମାମଲା ଉପରେ ଶୁଣାଣି କରିବା ପରିପ୍ରେକ୍ଷୀରେ ଏପ୍ରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଣିଛନ୍ତି ।
ଶୁଣାଣି କାଳରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଜିଏସ୍ଟି କାଉନସିଲ୍ ପକ୍ଷରୁ କେବଳ ପ୍ରସ୍ତାବ ଦିଆଯାଇପାରିବ ଏବଂ ସୁପାରିସ କରାଯାଇପାରିବ । କିନ୍ତୁ ଏହାକୁ ମାନିବା ପାଇଁ କାଉନ୍ସିଲ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିପାରିବ ନାହିଁ । ଅର୍ଥାତ୍ ଜିଏସଟି କାଉନସିଲ କେବଳ ପରାମର୍ଶ ଦେଇପାରିବ, ଏହାକୁ ମାନିବା ନମାନିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଧ୍ୟ ନୁହଁନ୍ତି । ବରଂ ଉଭୟଙ୍କ ପାଇଁ ନିଜସ୍ୱ ଆଇନ୍ ପ୍ରଣୟନ ତଥା କାର୍ଯ୍ୟକାରୀ କରିବା ନେଇ ସ୍ୱତନ୍ତ୍ର କ୍ଷମତା ରହିଛି । ସୂଚନାଯୋଗ୍ୟ, ଜିଏସ୍ଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସମୟରେ ଉଭୟ ସଂସଦ ଏବଂ ରାଜ୍ୟ ବିଧାନସଭା ନିକଟରେ ଜିଏସ୍ଟି ଉପରେ ନିଜସ୍ୱ ଆଇନ ଆଣିବାର ତଥା ଜିଏସ୍ଟି କାଉନ୍ସିଲ୍ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବାର ସମାନ ଅଧିକାର ରହିଛି । ଜିଏସ୍ଟି ପରିଷଦ କେବଳ ନିଜ ନୀତିଗତ ନିଷ୍ପତ୍ତି ଉପରେ ଉପଯୁକ୍ତ ପରାମର୍ଶ ଦେବା ପାଇଁ ଗଠନ କରାଯାଇଛି । ଜିଏସ୍ଟି କାଉନସିଲକୁ କେନ୍ଦ୍ର-ରାଜ୍ୟ ମଧ୍ୟରେ ବ୍ୟବହାରିକ ସମାଧାନ ପାଇଁ କାମ କରିବା ଜରୁରୀ ।
ପ୍ରକାଶ, ଜିଏସ୍ଟି ସମ୍ପର୍କୀତ ଏକ ମାମଲାରେ ଗୁଜରାଟ ହାଇକୋର୍ଟ ଦେଇଥିବା ଏକ ରାୟ ଉପରେ ସୁପ୍ରିମକୋର୍ଟଙ୍କ ଏପ୍ରକାର ରାୟ ଆସିଛି । ୨ଠ୧୭ରେ ଗୁଜରାଟ ହାଇକୋର୍ଟ ଓସେନ୍ ଫ୍ରେଟ୍ ନାମକ ଏକ ସିପିଂ କମ୍ପାନୀ ପକ୍ଷରୁ ଆଗତ ପିଟିସନ୍ ଉପରେ ଶୁଣାଣି କରିବା ପରିପ୍ରେକ୍ଷୀରେ ବିଦେଶରୁୂ ଜାହଜ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀ (ଆମଦାନୀ) ଉପରେ ୫% ଆଇଜିଏସ୍ଟି ଲାଗୁ କରିବା ପାଇଁ ସରକାରଙ୍କ ବିଜ୍ଞପ୍ତିକୁ ଖାରଜ କରିଦେଇଥିଲେ । ତେବେ ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କ ସେହି ରାୟକୁ କାଏମ ରଖିଛନ୍ତି ।
ଉଲ୍ଲେଖଯୋଗ୍ୟ, ଜିଏସ୍ଟି କାଉନସିଲର ପରବର୍ତ୍ତୀ ବୈଠକରେ କାସିନୋ, ଘୋଡା ଦୌଡ, ଅନ୍ଲାଇନ୍ ଗେମିଂ ଉପରେ ୨୮% ଟିକସ ଲାଗୁ କରାଯିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିବା ନେଇ ଅନୁମାନ କରାଯାଉଛି । ସମ୍ପ୍ରତି ଏସବୁ ଉପରେ କେବଳ ୧୮% ଜିଏସ୍ଟି ଲାଗୁ ହୋଇଆସୁଛି । ୨ଠ୧୭ ଜୁଲାଇ ୧ରେ ସାରା ଦେଶରେ ଜିଏସ୍ଟି ପ୍ରକ୍ରିୟା ଲାଗୁ କରାଯାଇଥିଲା । ଜିଏସଟିକୁ ନେଇ କୌଣସି ନିଷ୍ପତ୍ତି ନେବାର ଅଧିକାର ଜିଏସ୍ଟି କାଉନସିଲ ନିକଟରେ ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିବା ବେଳେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ଏହାର ସଦସ୍ୟ ଭାବେ ବିବେଚନା ହୋଇଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *