ସମାଧାନ ପାଇଁ ମହିଳା ସୁରକ୍ଷା ମଞ୍ଚ ଅଧ୍ୟକ୍ଷାଙ୍କୁ ଦାବିପତ୍ର
୮ ପଞ୍ଚାୟତରେ ପାନୀୟ ଜଳ ସଙ୍କଟ
ଘୁ.ଉଦୟଗିରି(ଆପ୍ର): ଘୁ.ଉଦୟଗିରି ପଞ୍ଚାୟତ ସମିତି ଅଧୀନରେ ଥିବା ୮ଟି ପଞ୍ଚାୟତରେ ପାନୀୟ ଜଳ ସମସ୍ୟାର ଲାଗି ରହିଛି । ସମ୍ୟାରେ ଅତିଷ୍ଠ ହୋଇ ଉକ୍ତ ୮ ପଞ୍ଚାୟତର ଲୋକେ ସମାଧାନ କରିବା ନିମନ୍ତେ ମହିଳା ଜୀବିକା ସୁରକ୍ଷା ମଞ୍ଚ ଘୁ ଉଦୟଗିରି ବ୍ଲକ ସମ୍ପାଦିକା ରିନିମା ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକର ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଉଦେ୍ଦଶ୍ୟରେ ଉପାଧ୍ୟକ୍ଷ ଏନ୍ ଲୁକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର୍ ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।
ବିଭିନ୍ନ ପଞ୍ଚାୟତର ବହୁ ଗାଁରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଘର ଠାରୁ ବହୁ ଦୂରକୁ ଖରାରେ ଯାଇ ପାଣି ଆଣୁଛନ୍ତି । ବିଭିନ୍ନ ସ୍ଥାନରେ ନଳକୂପ ରହିଛି ସତ କେତେକ ସ୍ଥାନରେ ଖରାପ ହୋଇପଡିଛି ତ କେତେକ ସ୍ଥାନରେ ଖରାପ ପାଣି ବାହାରୁଛି । ଗ୍ରୀଷ୍ମ ପ୍ରବାହ ସମୟରେ ଗ୍ରାମାଞ୍ଚଳରେ ଥିବା ଖୋଲା କୂଅ, ଚୁଅାଁ ଓ ଝରଣା ଶୁଖି ଯାଉଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକେ ପାଣି ମୁନେ୍ଦ ପାଇଁ ଡହଳବିକଳ ହେଉଥିବା ବେଳେ ସରକାର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ଗ୍ରାମବାସୀଙ୍କ ଅଭିଯୋଗ । ଏହିପରି ଅବସ୍ଥାରେ ଲୋକେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ମହିଳାମାନେ ଏକତ୍ର ହୋଇ ବ୍ଲକ ଅଧ୍ୟକ୍ଷାଙ୍କ ନିକଟରେ ନଳକୂପ, କୂଅ ଓ ଚୁଆଁ ଗୁଡ଼ିକୁ ଅତି ଶୀଘ୍ର ମରାମତି କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ, ଜନ ସାଥୀ ମମତା ମଲ୍ଲିକ, ଗୌରୀ ପ୍ରଧାନ ଏବଂ ବ୍ଲକ କମିଟିର ଅନ୍ୟାନ୍ୟ ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।
