ସୀମା ଟପିଲା ଆନ୍ଧ୍ରର ଦାଦାଗିରି
କୋରାପୁଟ, ୧୯ା୫ (ଆପ୍ର): ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । ଓଡ଼ିଶା ଗାଁରେ ଅନୁପ୍ରବେଶ କରି ଓଡ଼ିଶାର ଯୋଜନାକୁ ବନ୍ଦ କରିବା ସହିତ କାମ କରୁଥିବା ଠିକାଦାରଙ୍କ ବିରୋଧରେ ଆନ୍ଧ୍ର ଥାନାରେ ହୋଇଛି ଅଭିଯୋଗ । ଆନ୍ଧ୍ରର ଏଭଳି ଔଦ୍ଧତ୍ୟକଚ କୋରାପୁଟ ଜିଲ୍ଲାବାସୀ ବିରୋଧ କରିଛନ୍ତି । ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି କୋଟିଆବାସୀଙ୍କୁ ନ୍ୟାୟ ଦେଉ ବୋଲି ଦାବି କରାଯାଇଛି ।
ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ନେରେଡିବାଲାସାରେ ଠାରେ ଓଡିଶା ସରକାରଙ୍କ ତରଫରୁ ଘରେ ଘରେ ପାଣି ଯୋଗାଣ ପ୍ରକଳ୍ପ କାମ ଚାଲିଥବବା ସମୟରେ ଆନ୍ଧ୍ର ଅଧିକାରୀମାନେ ପହଞ୍ଚି ବାଧା ଦେଇଛନ୍ତି । ଫଳରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଛି । ଗାଁରେ ପାଣି ଟାଙ୍କି ବ୍ୟବସ୍ଥା ଦ୍ୱାରା ସବୁ ଘରକୁ ଜଳ ଯୋଗାଣ ନିମିତ୍ତ ରାସ୍ତା ଖୋଳି ପାଇପ ବିଛାଇଥିବା ସମୟରେ ସାଲୁର୍ ମଣ୍ଡଳମ୍ର କିଛି ସରକାରୀ ଅଧିକାରୀ ଆସି ରାସ୍ତା ଆନ୍ଧ୍ର ସରକାରଙ୍କର ବୋଲି କହି କାମ ବନ୍ଦ କରିଥିଲେ । କାମ କରୁଥିବା ଠିକାଦାରଙ୍କ ବିରୋଧରେ ସାଲୁର୍ ରୁରାଲ ଥାନାରେ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଆନ୍ଧ୍ରର ଏଭଳି ଦାଦାଗିରିକୁ ସାଧାରଣରେ ନିନ୍ଦା କରିବା ସହିତ ତୁରନ୍ତ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।
କିଛି ବର୍ଷ ହେଲା କୋରାପୁଟ, ମାଲକାନଗିରି, ଗଜପତି ଆଦି ଜିଲ୍ଲାରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଜବରଦଖଲ ପାଇଁ ଉଦ୍ୟମ କରାଯାଉଛି । ଓଡିଶା ଭିତରକୁ ଆନ୍ଧ୍ର ଅଧିକାରୀମାନେ ବାରମ୍ବାର ଅନୁପ୍ରବେଶ କରିବାରୁ ୁଦ୍ବେଗ ପ୍ରକାଶ ପାଇଛି । ଓଡ଼ିଶାରେ ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ର, ହାଟ ପିଣ୍ଡି ନିର୍ମାଣ କରିବା ଭଳି ଘଟଣା ପୂର୍ବରୁ ଦେଖିବାକୁ ମିଳିଥିଲେ ହେଁ ବର୍ତ୍ତମାନ ଓଡ଼ିଶା ଯୋଜନାକୁ ଆନ୍ଧ୍ର ଅଧିକାରୀ ଅଧାରୁ ବନ୍ଦ କରିବା ଚର୍ଚ୍ଚାର ବିଷୟ ହୋଇଛି । ଯଥାଶୀଘ୍ର ସୀମା ବିବାଦର ସ୍ଥାୟୀ ସମାଧାନ କରାଯାଉ ବୋଲି ପଟ୍ଟାଙ୍ଗି ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ଟିକାଇ ଗେମେଲଙ୍କ ସମେତ ଅନ୍ୟମାନେ ଦାବିକରିଛନ୍ତି ।