ଏଥର ସାମିଲ ହେବେ ଭକ୍ତ
ଶ୍ରଦ୍ଧାଳୁଙ୍କ ଲାଗି ଖୁସି ଖବର
ପୁରୀ (ବୁ୍ୟରୋ): ଶ୍ରଦ୍ଧାଳୁଙ୍କ ଲାଗି ଖୁସି ଖବର । ଦୀର୍ଘ ଦୁଇ ବର୍ଷ ପରେ ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ଭକ୍ତ । ସ୍ନାନବେଦୀରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବେ ଭକ୍ତ, କିନ୍ତୁ ସ୍ପର୍ଶ କରିପାରିବେ ନାହିଁ । ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଦଇତାପତି ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭକ୍ତମାନେ ହାତୀ ବେଶ ପୂର୍ବରୁ ସ୍ନାନମଣ୍ଡପ ତଳେ ଦର୍ଶନ ଲାଗି ଅନୁମତି ମିଳିଛି । ଏହାସହ ବେଶ ପରେ ୨ ଘଣ୍ଟା ମଣ୍ଡପରେ ଦର୍ଶନ ଲାଗି ଭକ୍ତଙ୍କୁ ଅନୁମତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଦର୍ଶନ ସମୟରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ଅର୍ଥାତ୍ ଭକ୍ତ ଦର୍ଶନ କରିବେ ସିନା କିନ୍ତୁ ସ୍ପର୍ଶ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତତ୍ସହିତ ଆଗକୁ କୋଭିଡ୍ କଟକଣା ନ ଥିଲେ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହେବ ବୋଲି ଆଲୋଚନା ଜାରି ରହିଛି । ବିଶେଷ ଭାବରେ ସ୍ନାନଯାତ୍ରାରେ ଠାକୁରଙ୍କ କିଭଳି ନୀତିକାନ୍ତି ସଠିକ୍ ସମୟରେ ସମ୍ପନ୍ନ କରାଯିବ ଏବଂ ଭକ୍ତମାନେ ଶାନ୍ତିଶୃଙ୍ଖଳାରେ ଶ୍ରୀଜିଉଙ୍କ ଦୁର୍ଲଭ ହାତୀ ବେଶ ଦର୍ଶନ କରିବେ ସେ ନେଇ ବୈଠକରେ ବିସ୍ତୁତ ଭାବରେ ଆଲୋଚନା କରାଯାଇଥିଲା ।
ଅନ୍ୟପକ୍ଷରେ ଆଜି ବସିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସେ ଦଇତାପତି ନିଯୋଗ, ପୂଜା ପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ, ପୁଷ୍ପାଳକ ନିଯୋଗ ସହ ଅନ୍ୟ ସେବାୟତମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ । ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶୃଙ୍ଖଳିତ ସମାପନ କରିବା ଲାଗି ସମସ୍ତ ନିଯୋଗର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ସମସ୍ତ ନିଯୋଗର ସଦସ୍ୟମାନେ ମୁଖ୍ୟ ପ୍ରଶାସକଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିରର ଉପୁମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।